ନନ୍ଦନକାନନ ବନ୍ଦ ଘୋଷଣା ହେଲେ ଅନ୍‌ଲାଇନ୍‌ରେ ବୁକିଂ ଖୋଲା – ପର୍ଯ୍ୟଟକ ଅସନ୍ତୋଷ

ନନ୍ଦନକାନନ – ନନ୍ଦନକାନନରେ ନୂଆ ବର୍ଷ ଅବସରରେ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଥିବାରୁ ବନ୍ଦ ରଖାଯାଇଛି । ଏବେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାତ୍ର କର୍ତ୍ତୃପକ୍ଷଙ୍କ ପରିଚାଳନା ଗତତ୍ରୁଟି ଯୋଗୁଁ ବହୁ ପର୍ଯ୍ୟଟକ ନନ୍ଦନକାନନ ମୁଖ୍ୟ ଫାଟକ ପାଖରୁ ନିରାଶ ହୋଇ ଫେରିଛନ୍ତି ।

ଗୁରୁବାରରେ ଏହି ଘଟଣାକୁ ନେଇ ପର୍ଯ୍ୟଟକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା ଶେଷରେ ସ୍ଥାନୀୟ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ସୁଧାରିଥିଲା । ନନ୍ଦନକାନନ ନିରାପତ୍ତା ଓ ରେଭେନ୍ୟୁ ବିଭାଗର ବନାଞ୍ଚଳ ଅଧିକାରୀ ପର୍ଯ୍ୟଟକଙ୍କୁ କର୍ତ୍ତୃପକ୍ଷଙ୍କ ପରିଚାଳନା ଗତତ୍ରୁଟି ଯୋଗୁଁ ହୋଇଥିବା ସମସ୍ୟା ଲାଗି ଭୁଲ୍ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ।

ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ଡିସେମ୍ବର ୩୦ତାରିଖ ଠାରୁ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ୫ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏହା ସତ୍ତ୍ବେ ନନ୍ଦନକାନନ ବୁଲିବାକୁ ଅନଲାଇନରେ ଟିକଟ କରିବା ପାଇଁ ସୁଯୋଗ ଥିଲା।ଫଳରେ କଟକ,ଭୁବନେଶ୍ବର,ଖୋରଧା,ବ୍ରହ୍ମପୁର,କେନ୍ଦ୍ରାପଡା ସମେତ ଅନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ସକାଳୁ ସକାଳୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଦେଖିବାକୁ ଆସି ଜମା ହୋଇଥିଲେ।କିନ୍ତୁ ପ୍ରାଣୀଉଦ୍ୟାନ ବନ୍ଦ ଫଳରେ ଫାଟକରେ ଥିବା ନିରାପତ୍ତା ବିଭାଗର କର୍ମଚାରୀମାନେ ଭିତରକୁ ଛାଡି ନଥିଲେ।ଶତାଧିକ ପର୍ଯ୍ୟଟକ ଏକାଠି ହୋଇ ପାଟିତୁଣ୍ଡ କରିଥିଲେ।ଏତେ ଲୋକଙ୍କ ଭିଡ ଦେଖି ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ଓ ପର୍ଯ୍ୟଟକ ପରିଚାଳନା ଦାୟିତ୍ବରେ ଥିବା ପର୍ଯ୍ୟଟକ ଏସିଏଫ୍ ଘଟଣାସ୍ଥଳକୁ ଆସିନଥିଲେ।ଶେଷରେ ପରିସ୍ଥିତି ଦେଖି ନନ୍ଦନକାନନ ନନ୍ଦନକାନନ ଥାନା ପୁଲିସ ଆସି ବୁଝାସୁଝା କରିଥିଲା ଓ ପ୍ରାଣୀଉଦ୍ୟାନର ରେଭେନ୍ୟୁ ବିଭାଗ ଓ ନିରାପତ୍ତା ବିଭାଗର ବନାଞ୍ଚଳ ଅଧିକାରୀ ଉପସ୍ଥିତ ପର୍ଯ୍ୟଟକଙ୍କୁ ଏହି ତ୍ରୃଟି ପାଇଁ ଭୁଲ ସ୍ବୀକାର କରିଥିଲେ।

ଆସନ୍ତା ୧୦ ଦିନ ମଧ୍ୟରେ ଟିକେଟ ବୁକିଂ କରିଥିବା ଲୋକମାନଙ୍କୁ ଟଙ୍କା ଫେରସ୍ତ ଦିଆଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 

Comments are closed.