ପଲ୍ଲୀକବି ନନ୍ଦକିଶୋରଙ୍କ ଜୟନ୍ତୀ ଉପଲକ୍ଷେ…..

ନନ୍ଦକିଶୋର ବଳ ଓଡ଼ିଆ ସାରସ୍ବତ ଜଗତରେ ‘ପଲ୍ଲୀକବି’ ଭାବରେ ସୁଖ୍ୟାତ। ଆଧୁନିକ କାବ୍ୟଧାରାରେ ପଲ୍ଲୀଜୀବନର ନୈସର୍ଗିକ ପଲ୍ଲୀପ୍ରାଣର ଚିତ୍ର ସେ ଆଙ୍କି ପାରିଛନ୍ତି। ‘ପଲ୍ଲୀଚିତ୍ର’, ‘ନିର୍ଝରିଣୀ’, ‘ନାନାବାୟା ଗୀତ’, ‘ବସନ୍ତ କୋକିଳ’, ‘ତରଙ୍ଗିଣୀ’, ‘ଚାରୁଚିତ୍ର’, ‘ଜନ୍ମଭୂମି’, ‘ନିର୍ମାଲ୍ୟ’, ‘ପ୍ରଭାତ ସଙ୍ଗୀତ’, ‘କୃଷ୍ଣାକୁମାରୀ’, ‘ଶର୍ମିଷ୍ଠା’ ପ୍ରଭୃତି କାବ୍ୟକବିତା ରଚନା କରିଅଛନ୍ତି। ଏକମାତ୍ର ‘କନକଲତା’ ଉପନ୍ୟାସ ତାଙ୍କ ସାରସ୍ବତ ପ୍ରାଣର ଅପୂର୍ବ ଦ୍ୟୋତନା। ଏକାଧାରରେ କବି, ଶିଶୁସାହିତ୍ୟିକ, ଔପନ୍ୟାସିକ, ପ୍ରାବନ୍ଧିକ ଭାବରେ ସେ ଯେପରି ଅପୂର୍ବ ସିଦ୍ଧିର ଅଧିକାରୀ; ସେହିପରି ଜଣେ ଆଦର୍ଶ ଶିକ୍ଷକ ଓ ସମାଜ ସଂସ୍କାରକ ଭାବରେ ନନ୍ଦକିଶୋରଙ୍କ ଖ୍ୟାତି ସୁବିଦିତ। ଓଡ଼ିଶାର ପୁରପଲ୍ଲୀରେ ‘ପଲ୍ଲୀକବି’ ରୂପେ ସୁପରିଚିତ ନନ୍ଦକିଶୋର ଆପଣାର ରଚନାରେ ପଲ୍ଲୀଜୀବନର ନିଖୁଣ ଚିତ୍ରକୁ ଅଙ୍କନ କରିବା ସହ ସମାଜ ଜୀବନରେ ସଂସ୍କାର ପାଇଁ ଉଦ୍ୟମ କରିଥିଲେ। ବିଂଶ ଶତାବ୍ଦୀର ଆଦ୍ୟପାଦରେ ବିଶ୍ବଯୁଦ୍ଧ, ବିଜ୍ଞାନର ଜୟଯାତ୍ରା, ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିଲା ବେଳେ ନନ୍ଦକିଶୋର ଭାରତର ଆତ୍ମା ପଲ୍ଲୀଭୂଇଁର ନିରାଡ଼ମ୍ବର ଜୀବନ ଓ ସରଳ ଜୀବନ୍ତ ପ୍ରକୃତିର ରୂପକାର ସାଜିଥିଲେ।

-ଶିକ୍ଷାର୍ଥୀ ଜୀବନରୁ ନନ୍ଦକିଶୋରଙ୍କ ପ୍ରାଣରେ ସଂସ୍କାରବୋଧର ବୀଜ ପ୍ରୋଥିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ, ସୁସାହିତ୍ୟିକ ବାଗ୍ମୀ ବିଶ୍ବନାଥ କର, ବ୍ରହ୍ମଜ୍ଞ ମଧୁସୂଦନ ରାଓ ଥିଲେ ମଧୁସୂଦନଙ୍କ ଶିକ୍ଷକ। ଏହାଙ୍କ ସଂସ୍ପର୍ଶରେ ଆସି ବ୍ରାହ୍ମଧର୍ମ, ସଂସ୍କାରଚେତନା, ନାରୀଶିକ୍ଷା, ଅନ୍ଧବିଶ୍ବାସ ଆଦି ସମ୍ପର୍କରେ ଜ୍ଞାନ ଲାଭ କରିଥିଲେ। ପୁନଶ୍ଚ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ, ପ୍ରଧାନ ଶିକ୍ଷକ, ସ୍କୁଲ ଇନସ୍ପେକ୍ଟର ଆଦି ପଦରେ ରହି ଓଡ଼ିଶାର ବହୁ ଅଞ୍ଚଳ ଭ୍ରମଣ କରିଥିଲେ। ସମସାମୟିକ ଆଧୁନିକ ଯୁଗ ନିର୍ମାତା ଫକିରମୋହନ, ରାଧାନାଥ, ଗଙ୍ଗାଧର, ମଧୁସୂଦନ, ଚନ୍ଦ୍ରମୋହନ ପ୍ରମୁଖଙ୍କ ପ୍ରତ୍ୟକ୍ଷ ସମ୍ପର୍କ ମଧ୍ୟ ପଲ୍ଲୀକବିଙ୍କୁ ସାହିତ୍ୟ ରଚନା ପ୍ରତି ଅଧିକ ମନଯୋଗୀ କରାଇ ପାରିଥିଲା। ତତ୍କାଳୀନ ବ୍ୟବସ୍ଥା, ସାମାଜିକ ରୀତିନୀତି, ନାରୀ ପ୍ରତି ଥିବା ବି​‌େ​‌ଦ୍ବଷ ଭାବକୁ ସେ ଅନୁଭବ କରିଥିଲେ ଏବଂ ସ୍ବଭାବସୁଲଭ ଢଙ୍ଗରେ ନିଜ ରଚନାରେ ତାହାର ସଂସ୍କାର ପାଇଁ ଯତ୍ନ କରିଥିଲେ।
ଡ. ଶିଶିର ବେହେରା

Comments
Loading...