ନାନକାନା ସାହିବ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ମୁକ୍ତ

ଇସଲାମାବାଦ: ନାନାକାନା ସାହିବ ଗୁରୁଦ୍ବାର ଓ ଦର୍ଶନାର୍ଥୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ସରକାର ପ୍ରଥମରୁ ଫାଙ୍କି ଆସୁଥିଲେ ମଧ୍ୟ ରବିବାର ଏଥିସହିତ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ପୁଲିସ ଗିରଫ କରିଥିବା ସମ୍ପୃକ୍ତ ଅଭିଯୁକ୍ତର ନାମ ଇମ୍ରାନ ଚିସ୍ତି। ଚିସ୍ତି ହିଂସାକାଣ୍ଡର ନେତୃତ୍ବ ନେଇଥିଲା ବୋଲି ପୁଲିସ କହିଛି। ତା’ ବିରୋଧରେ ପୁଲିସ ଆତଙ୍କବାଦ ବିରୋଧୀ ଆଇନାନୁସାରେ ଦଫା ଲଗାଇଥିବା ଜଣାପଡ଼ିଛି। ଅନ୍ୟ ଏକ ସୂଚନାନୁଯାୟୀ, ଗିରଫର କିଛି ସମୟ ପରେ ଚିସ୍ତିକୁ ପୁଲିସ ଛାଡ଼ିଦେଇଛି। ସେ କ୍ଷମା ପ୍ରାର୍ଥନା କରିବା ପରେ ପୁଲିସ ଛାଡ଼ି ଦେଇଥିବା ପ୍ରକାଶ। ଇମ୍ରାନ ଓ ତାର ପରିବାର ଅନୁତାପ କରିବାର ଏକ ଭିଡିଓ ପୁଲିସ ପ୍ରସାର କରିଛି। ଶୁକ୍ରବାର ସନ୍ଧ୍ୟାରେ ଚିସ୍ତି ଓ ତାର ପରିବାର ନେତୃତ୍ବରେ ସ୍ଥାନୀୟ ଲୋକେ ଗୁରୁଦ୍ବାର ଓ ଦର୍ଶନାର୍ଥୀଙ୍କ ଉପରକୁ ଢ଼େଲାପଥର ଫିଙ୍ଗିଥିଲେ ଓ ଶିଖ ବିରୋଧୀ ସ୍ଲୋଗାନ ଦେଇଥିଲେ। ଚିସ୍ତିର ଭାଇ ଏହସାନ ନାମରେ ଗୁରୁଦ୍ବାରର ପନ୍ଥୀ (ପୂଜକ)ଙ୍କ ଝିଅ ଜଗଜିତ କାଉରଙ୍କୁ ଅପହରଣ ଅଭିଯୋଗ ରହିଥିଲା। ତେବେ ଗୁରୁଦ୍ବାର ଉପରେ ଆକ୍ରମଣ ଘଟଣା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଶିଖ ସମ୍ପ୍ରଦାୟଙ୍କ ବିକ୍ଷୋଭ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ପାକିସ୍ତାନ ନିକଟରେ ଆପତ୍ତି କରାଯିବା ସହ ଆକ୍ରମଣକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ଏହି ଘଟଣା ପରେ ଶନିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆକ୍ରମଣ ଘଟଣା ଅମୂଳକ ବୋଲି କହିଥିଲେ ମଧ୍ୟ ରବିବାର ଦୁଃଖ ପ୍ରକାଶ କରିଥିଲେ।
ନାନକାନା ସାହିବ ଗୁରୁଦ୍ବାର ଉପରେ ଆକ୍ରମଣ ଘଟଣାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ ସୋମବାର ପାକିସ୍ତାନ ଉଚ୍ଚାୟୁକ୍ତ ଦାୟିତ୍ବରେ ଥିବା ଅଧିକାରୀ ସୟଦ ହାଇଦର ଶାହାଙ୍କୁ ସମନ ଜାରି ପୂର୍ବକ ପ୍ରତିବାଦ ଜଣାଇଛି। ଗୁରୁଦ୍ବାରରେ ଭଙ୍ଗାରୁଜା ଓ ପେଶୱାରରେ ଶିଖ ଯୁବକଙ୍କୁ ହତ୍ୟା କରାଯିବା ଘଟଣାରେ ଭାରତ ପ୍ରତିବାଦ କରିବା ସହିତ ସଂଖ୍ୟାଲଘୁ ସଦସ୍ୟଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କହିଛି।

Comments
Loading...