କେରଳ ପୁଲିସର ତ୍ରୁଟି ପାଇଁ ୧୫ ବର୍ଷ ପଛକୁ ପଳାଇଥିଲା ଇସ୍ରୋ; ଏବେ ନମ୍ବି ନାରାୟଣମଙ୍କୁ ମିଳିଲା ୧.୩ କୋଟି କ୍ଷତିପୂରଣ

ନୂଆଦିଲ୍ଲୀ: ଶେଷରେ ଅନ୍ୟାୟ ବିରୋଧରେ ନ୍ୟାୟର ବିଜୟ ହୋଇଛି। ଜଣେ କର୍ତ୍ତବ୍ୟନିଷ୍ଠ ପ୍ରଖ୍ୟାତ ବୈଜ୍ଞାନିକ ନ୍ୟାୟ ପାଇଁ ୨୬ ବର୍ଷ ଧରି ଜାରି ରଖିଥିବା ଲଢ଼େଇରେ ବିଜୟୀ ହୋଇଛନ୍ତି। ବାହ୍ୟ ଶତ୍ରୁର ଷଡ଼ଯନ୍ତ୍ର ଏବଂ କେରଳ ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତର ଶିକାର ହୋଇଥିବା ଏହି ବୈଜ୍ଞାନିକ ହେଉଛନ୍ତି କେରଳର ନମ୍ବି ନାରାୟଣମ । ଶେଷରେ ତାଙ୍କୁ କେରଳ ସରକାର ୧ କୋଟି ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି। ନମ୍ବି ନାରାୟଣମଙ୍କୁ କ୍ଷତିପୂରଣ ମିଳିଲା ସତ, କିନ୍ତୁ ତାଙ୍କର ବହୁମୂଲ୍ୟ ସମୟ ବରବାଦ୍‌ ହୋଇଗଲା, ଯେଉଁଥିପାଇଁ କେବଳ ତାଙ୍କୁ ନୁହେଁ, ଇସ୍ରୋ ଏବଂ ପୂରା ଦେଶକୁ ବିପୁଳ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି। ଏକଦା ମହାକାଶ ଗବେଷଣା କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ଭାରତ ୧୫ ବର୍ଷ ପଛକୁ ପଳାଇଥିଲା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।

୧୯୯୪ରେ ନମ୍ବି ନାରାୟଣଙ୍କୁ ଗୁପ୍ତଚରଗିରି ପାଇଁ ଗିରଫ କରାଯାଇଥିଲା। ଏକ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଦିଆଯାଇଥିଲା। ଏହା ପଛରେ ରୁଷ, ଆମେରିକା, ଫ୍ରାନ୍ସ ଭଳି ରାଷ୍ଟ୍ରର ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଉଠିଥିଲା। କିନ୍ତୁ କୌଣସି ପ୍ରମାଣ ମିଳି ନ ଥିଲା। ଇସ୍ରୋର କ୍ରାୟୋଜେନିକ ଇଞ୍ଜିନ ବିକାଶ ଲାଗି ଅହରହ ଉଦ୍ୟମ ଚଳାଇଥିବା ନମ୍ବି ନାରାୟଣମଙ୍କୁ ପାକିସ୍ତାନକୁ ଇସ୍ରୋର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିକ୍ରି ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ସହିତ ଅନ୍ୟ ଜଣେ ବୈଜ୍ଞାନିକ ଏବଂ ଜଣେ ବିଦେଶୀ ମହିଳା ନାଗରିକଙ୍କୁ ବି ଗିରଫ କରାଯାଇଥିଲା। କିନ୍ତୁ ଏସବୁ ଏକ ଷଡ଼ଯନ୍ତ୍ର ଥିବା ପରେ ଜଣାପଡ଼ିଥିଲା।

୨୦୧୮ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ନମ୍ବି ନାରାୟଣମଙ୍କ ଗିରଫଦାରି ଅନାବଶ୍ୟକ ଥିଲା ଏବଂ ତାଙ୍କୁ ଫସାଇ ଦିଆଯାଇଥିଲା ବୋଲି ସ୍ପଷ୍ଟ କରିଥିଲେ। ଏହା ସହିତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ରାଶି କମ୍‌ ହୋଇଥିବାରୁ ସରକାର ଏ ଦିଗରେ ବିଚାର କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଶେଷରେ ନାରାୟଣମଙ୍କୁ କେରଳ ସରକାର ୧ କୋଟି ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଛନ୍ତି।

ସୂଚନା ଅନୁସାରେ, ୧୯୯୪ରେ ଇସ୍ରୋର କ୍ରାୟୋଜେନିକ ରକେଟ୍‌ ଇଞ୍ଜିନ ବିକାଶ ପାଇଁ ନାରାୟଣମଙ୍କ ନେତୃତ୍ଵରେ ଏକେ ପ୍ରୋଜେକ୍ଟ ଚାଲିଥିଲା। ଏହି ସମୟରେ ମରିୟମ ରସିଦା ନାମ୍ନୀ ଜଣେ ବିଦେଶୀ ମହିଳାଙ୍କ ନିକଟରୁ ପ୍ରୋଜେକ୍ଟ ସମ୍ବନ୍ଧୀୟ କାଗଜପତ୍ର ମିଳିବାରୁ ପୁଲିସ ନାରାୟଣମଙ୍କୁ ଗିରଫ କରିଥିଲା। କିନ୍ତୁ ତଦନ୍ତକାରୀ ସଂସ୍ଥା ତଦନ୍ତ ସମୟରେ ନାରାୟଣମଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ନ ଥିଲା। କିନ୍ତୁ ସେତେବେଳକୁ ତାଙ୍କୁ ଅନେକ ଦିନ ଜେଲରେ ରହିବାକୁ ପଡ଼ିଥିଲା। ତଦନ୍ତ ଯୋଗୁ ନାରାୟଣମଙ୍କ ମାନସିକ ଅବସ୍ଥା ଖରାପ ହୋଇଯାଇଥିଲା। ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୯୯୬ରେ ସିବିଆଇ ମାମଲାର ତଦନ୍ତ କରି କୌଣସି ଗୁପ୍ତଚରଗିରି ହୋଇ ନ ଥିବା ସ୍ପଷ୍ଟ କରିଥିଲା। ଏହା ଭିତରେ ନାରାୟଣମଙ୍କର ଅନେକ ସମୟ ନଷ୍ଟ ହୋଇଯାଇଥିଲା, ଯେଉଁଥିପାଇଁ ଇସ୍ରୋର ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ଭାରତର କ୍ରାୟୋଜନିକ ଇଞ୍ଜିନ ବିକାଶକୁ ରୋକିବା ଲାଗି ବିଦେଶୀ ଶତ୍ରୁ ଏହି ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରାଯାଇଥିଲା। ଇସ୍ରୋର ରକେଟ୍‌ ଲଞ୍ଚ ଇଞ୍ଜିନ ବିକାଶରେ ମହାନ ବୈଜ୍ଞାନିକ ନାରାୟଣମଙ୍କ ବହୁ ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ମାତ୍ର ପୁଲିସର ତ୍ରୁଟିପୂର୍ଣ୍ଣ ତଦନ୍ତ ଯୋଗୁ ପୂରା ଦେଶକୁ କ୍ଷତି ସହିବାକୁ ପଡ଼ିଥିଲା।

ନାରାୟଣମ୍‌ କହିଥିଲେ, ୧୯୯୪ ଇସ୍ରୋ ପାଇଁ ଏବଂ ପୂରା ଭାରତ ପାଇଁ ଗୁରୁତ୍ଵପୂର୍ଣ୍ଣ ସମୟ ଥିଲା। ଆମେ ଗବେଷଣା କ୍ଷେତ୍ରରେ ବହୁତ ଗୌରବ ଅର୍ଜନ କରିଥାନ୍ତୁ। କାରଣ ସେ ୧୯୯୧ରେ ରୁଷ ସହିତ କ୍ରାୟୋଜେନିକ ଟେକ୍ନୋଲୋଜି ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ୧୯୯୯ରେ ଏହା ସମ୍ପୂର୍ଣ୍ଣ ହୋଇଥାନ୍ତା। ଫଳରେ ସାରା ଦୁନିଆକୁ ଇସ୍ରୋର ଶକ୍ତି ଜଣାପଡ଼ି ଯାଇଥାନ୍ତା। କିନ୍ତୁ ଏହା ୨୦୧୪ରେ ଶେଷ ହେଲା। ଏହା ପଛରେ ଆମେରିକା, ଫ୍ରାନ୍ସ ଓ ରୁଷର ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। କାରଣ ୧୯୯୨ରେ ଭାରତ ରୁଷ ସହିତ ଏକ ଚୁକ୍ତି କରିଥିଲା। ଏଥିରେ ରୁଷ ସହିତ କ୍ରାୟୋଜେନିକ ବେସ୍‌ଡ ଫୁଏଲର ଟ୍ରାନ୍ସଫର ଅଫ୍‌ ଟେକ୍ନୋଲୋଜି ପାଇଁ ଚୁକ୍ତି ହୋଇଥିଲା। ୨୩୫ କୋଟିରେ ଏହି ଚୁକ୍ତି ହୋଇଥିଲା। କିନ୍ତୁ ଆମେରିକା ଏବଂ ଫ୍ରାନ୍ସ ସେହି ଟେକ୍ନୋଲୋଜି ପାଇଁ ଭାରତକୁ ୯୫୦ କୋଟି ଏବଂ ୬୫୦ କୋଟିର ଚୁକ୍ତି ଅଫର କରିଥିଲେ। କିନ୍ତୁ ଭାରତ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା, ଯେଉଁଥିପାଇଁ ଆମେରିକା ଓ ଫ୍ରାନ୍ସର ବହୁ କ୍ଷତି ହୋଇଥିଲା। ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିବା ଜର୍ଜ ଏଚ ଡବ୍ଲ୍ୟୁ ବୁଶ୍‌ ରୁଷକୁ ଚିଠି ଲେଖି ଚୁକ୍ତି ବାତିଲ କରିବାକୁ ଧମକ ଦେଇଥିଲେ। ଭାରତକୁ ଟେକ୍ନୋଲୋଜି ବିକ୍ରି କଲେ ଏକାଧିକ ଅନ୍ତର୍ଜାତୀୟ ଗ୍ରୁପରୁ ରୁଷକୁ ବାହାର କରିଦେବାକୁ ଧମକ୍ ଦିଆଯାଇଥିଲା। ତେଣୁ ରୁଷ ଚୁକ୍ତିରୁ ଓହରି ଯାଇଥିଲା। ମାତ୍ର ଭାରତ ହାର୍‌ ନ ମାନି ଆଉ ଏକ ଟେଣ୍ଡର ବାହାର କରିଥିଲା, ଯେଉଁଥିରେ ଭାରତ ଏବଂ ରୁଷ ମିଳିତ ଭାବେ ଏହି ଟେକ୍ନୋଲୋଜି ବିକାଶ କରିବାର ଥିଲା। କିନ୍ତୁ ଆମେରିକା ଏହା ବି ଚାହୁଁ ନ ଥିଲା। ତେଣୁ ବାହ୍ୟ ଶକ୍ତି ଜରିଆରେ ଟେକ୍ନୋଲୋଜି ବିକାଶ କରିବାର ଦାୟିତ୍ଵ ନେଇଥିବା ନାରାୟଣମଙ୍କୁ ଫସାଇ ଦିଆଯାଇଥିଲା।

Comments
Loading...