ନାମିବ୍ୟାର ଚମକପ୍ରଦ ବିଜୟ

ଆବୁଧାବି : ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରି ଏକ ବଡ଼ ଟୁର୍ଣ୍ଣାମେଣ୍ଟର ୨ୟ ରାଉଣ୍ଡରେ ପ୍ରଥମ ବିଜୟ ହାସଲକରି ଇତିହାସ ସୃଷ୍ଟିକରିଛି ନାମିବ୍ୟା । ପ୍ରଥମଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ନାମିବ୍ୟା ବୁଧବାର ସୁପର୍-୧୨ର ଏକ ଲିଗ୍‌ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଗ୍ରୁପ୍‌-୨ର ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ପ୍ରଥମେ ବ୍ୟାଟିଂକରି ମାଇକେଲ ଲିସ୍କ୍‌ଙ୍କ ୪୪ ରନ୍ ବଳରେ ୮ ୱିକେଟରେ ୧୦୯ ରନ୍‌ କରିଥିଲା। ପରେ ସାମୂହିକ ଯୋଗଦାନ ବଳରେ ୫ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ନାମିବ୍ୟା ଜିତି ନେଇଥିଲା।
୧୧୦ ରନ୍‌ ଲକ୍ଷ୍ୟରେ ନାମିବ୍ୟା ଓପ୍‌ନିଂ ଯୋଡ଼ିରେ ୨୮ ରନ୍‌ କରିଥିଲା। କ୍ରେଗ୍ ୱିଲିୟମ୍‌ସ ୨୩, ମାଇକେଲ ଭାନ୍ ଲିନ୍‌ଜେନ ୧୮, ଡେଭିଡ୍‌ ୱିଜେ ୧୬ ଓ ଜେଜେ ସ୍ମିଟ୍‌ ଅପରାଜିତ ୩୨ ରନ୍‌ କରିଥିଲେ। ଟସ୍ ଜିତି ନାମିବ୍ୟା ଫିଲ୍‌ଡିଂ କରିିଥିଲା। ସ୍କଟ୍‌ଲାଣ୍ଡ ପ୍ରଥମ ଓଭରରେ ୪ଟି ବଲ୍‌ରେ ୩ଟି ୱିକେଟ ହରାଇଥିଲା। ଜର୍ଜ ମନ୍‌ସି, କାଲମ୍ ମ୍ୟାକ୍‌ଲଏଡ୍‌ ଓ ଅଧିନାୟକ ରିଚି ବେରିଂଟନ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସ୍କଟ୍‌ଲାଣ୍ଡର ୪ର୍ଥ ୱିକେଟ ୧୮ ରନ୍‌ରେ ପଡ଼ି ଯାଇଥିଲା। ୫ମ ୱିକେଟ ପାଇଁ ମାଥ୍ୟୁ କ୍ରସ୍ ଓ ମାଇକେଲ ଲିସ୍କ୍‌ ୩୯ ରନ୍‌ ଯୋଡ଼ିଥିଲେ। ମାଥ୍ୟୁ କ୍ରସ୍ ୧୯ ରନ୍‌ କରିଥିଲେ। ୬ଷ୍ଠ ୱିକେଟ ପାଇଁ ଲିସ୍କ୍‌ ଓ କ୍ରିସ୍ ଗ୍ରିଭ୍‌ସ ୩୬ ରନ୍ ଯୋଡ଼ିଥିଲେ। ମାଇକେଲ ଲିସ୍କ୍‌ ବିସ୍ଫୋରକ ବ୍ୟାଟିଂକରି ୨୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୪ ରନ୍‌ କରିଥିଲେ। କ୍ରିସ୍ ଗ୍ରିଭ୍‌ସ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ରୁବେଲ ଟ୍ରମ୍ପେଲ୍‌ମ୍ୟାନ୍ ୩ଟି ଓ ୟାନ୍ ଫ୍ରାଇଲିଙ୍କ୍‌ ୨ଟି ୱିକେଟ ନେଇଥିଲେ।

Comments are closed.