ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅଣ୍ଟାଭିଡିଲେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ

ପୂର୍ବ ସିଂହଭୂମ ରେଳଷ୍ଟସନ ଗୁଡିକରେ ଓଡ଼ିଆରେ ନାମଫଳକ ପୁନଃଲଗାଇବାକୁ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଲେ

ଭୁବନେଶ୍ୱର: ଓଡ଼ିଆ ଭାଷାର ସୁରକ୍ଷା ଏବଂ ସୀମାନ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାର ପୁନଃପ୍ରଚଳନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ଝାଡଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଦିନେଶ ଷଡଙ୍ଗୀ। ପୂର୍ବ ସିଂହଭୂମ ଦେଇ ଯାଇଥିବା ଖଡଗପୁର ରେଳ ଡିଭିଜନର ଚକୁଳିଆ ଠାରୁ ଟାଟା ନଗର ପର୍ଯ୍ୟନ୍ତ ରେଳଷ୍ଟେସନ ଗୁଡିକରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ଦାବି ଉଠାଇଛନ୍ତି। ଏ ସଂକ୍ରାନ୍ତରେ ସେ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ନିକଟକୁ ଚଳିତ ମାସ ୨୨ ତାରିଖରେ ପତ୍ର ଲେଖିଛନ୍ତି।
ଏଥିରେ ଶ୍ରୀ ଷଡଙ୍ଗୀ କହିଛନ୍ତି, ଝାଡଖଣ୍ଡର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସିଂହଭୂମ ଏକଦା ଉତ୍କଳ ଦେଶରେ ରହିଥିବା ନେଇ ଐତିହାସିକ ଏବଂ ପୋ÷ରାଣିକ ତଥ୍ୟ ରହିଛି। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଏହା ଉଲ୍ଲିଖିତ ଅଛି। ବିଖ୍ୟାତ କବି କାଳିଦାସ ମଧ୍ୟ ‘ରଘୁବଂଶ’ରେ ସିଂହଭୂମ ଉତ୍କଳ ଦେଶର ଅଂଶବିଶେଷ ଥିବା ଉଲ୍ଲେଖ କରିଛନ୍ତି। ଡଃ ଗ୍ରେର୍ସନ ମଧ୍ୟ ତାଙ୍କର ‘ଲିଙ୍ଗୁଇଷ୍ଟିକ ସର୍ଭେ ଅଫ ଇଣ୍ଡିଆ’ରେ ସିଂହଭୂମକୁ ଏକ ଓଡ଼ିଆ ଜିଲା ଭାବରେ ଦର୍ଶାଇଛନ୍ତି। ଭାଷାଭିତ୍ତିକ ଜନଗଣନାରୁ ଇସ୍ପାତ ସହରରେ ବାସ କରୁଥିବା ଏବଂ ଦୈନନ୍ଦିନ ଯାତାୟତ କରୁଥିବା ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷାଭାଷୀ କାହିଁ କେଉଁକାଳରୁ ‘ହୋ’ ପରେ ଦ୍ୱିତୀୟ ସର୍ବବୃହତ ଭାବେ ବିବେଚିତ ହେଉଛନ୍ତି। ରାଜ୍ୟ ପୁନର୍ଗଠନ କମିଶନ ୧୯୫୫ରେ ତାଙ୍କ ରିପୋର୍ଟର ପୃଷ୍ଠ ୧୮୩, ପରିଚ୍ଛଦ ୬୬୭ରେ ଉଲ୍ଲେଖ କରିଛନ୍ତି ଯେ ଭାଷାଗତ ଦୃଷ୍ଟିରୁ ସିଂହଭୂମ ହୋ, ଓଡ଼ିଆ, ବେଙ୍ଗଲି, ସାନ୍ତାଳିର ଏକ ସଙ୍ଗମ ସ୍ଥଳ। ବ୍ରିଟିଶ ଶାସନ ସମୟରେ ବେଙ୍ଗଲ ନ୍ୟାସନାଲ ରେଲୱେ ସମୟରୁ ଜେରାଇକେଲା, ଗୋଏଲକେରା ଠାରୁ ଚକୁଳିଆ ପର୍ଯ୍ୟନ୍ତ ବମ୍ବେ-ହାଓଡା ରେଳଲାଇନର ସମସ୍ତ ଷ୍ଟେସନରେ ରେଳ ଟିକେଟରେ ଓଡ଼ିଆ ଭାଷାରେ ଲେଖାଯାଉଥିଲା। ୧୯୭୦ ଦଶକରେ କିଛି ଦୁର୍ବୃତ୍ତଙ୍କ ଚକ୍ରାନ୍ତ ଯୋଗୁଁ ଏହାକୁ ଲିଭାଇ ଦିଆଗଲା। ତତ୍କାଳୀନ କେନ୍ଦ୍ର ରେଳବାଇ ଉପମନ୍ତ୍ରୀ ସି ପି ମାଝୀଙ୍କ ନିକଟରେ ସେମାନେ ଦାବି ଜଣାଇବା ପରେ ପୁନଶ୍ଚ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ ହୋଇଥିଲା। ପୁନଶ୍ଚ ୧୯୮୦ ଦଶକରେ ଷ୍ଟେସନ ଏବଂ ଟିକେଟରୁ ଓଡ଼ିଆ ଭାଷାକୁ ବାଦ୍‍ ଦିଆଗଲା। ତାଙ୍କର ହସ୍ତକ୍ଷେପ ଏବଂ ଗଣମାଧ୍ୟମର ଖବର ପ୍ରସାରଣ ପରେ ଓଡ଼ିଶା ବିଧାନସଭାରେ ଏହାକୁ ନେଇ ସରଗରମ ଆଲୋଚନା ହୋଇଥିଲା। ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ ବି ପଟ୍ଟନାୟକ, ବାଚସ୍ପତି ପି କେ ଦାଶ ଏବଂ କେନ୍ଦ୍ର ରେଳମନ୍ତ୍ରୀ ବୁଟା ସିଂହଙ୍କ ହସ୍ତକ୍ଷେପ ପରେ ପୁନଶ୍ଚ ଓଡ଼ିଆ ଭାଷାର ବ୍ୟବହାର କରାଗଲା। ଚକ୍ରଧରପୁର, ରାଜଖରସୁଆଁ ଏବଂ ଟାଟା ନଗର ଭଳି ପ୍ରମୁଖ ଷ୍ଟେସନରେ ଇଂରାଜୀ, ହିନ୍ଦୀ ସହିତ ଓଡ଼ିଆ ଭାଷାରେ ମଧ୍ୟ ଘୋଷଣା କରାଗଲା। ଏବେ ଗତ ପାଞ୍ଚବର୍ଷ ହେଲା ପୁନଶ୍ଚ ଓଡ଼ିଆ ଭାଷାକୁ ବାଦ୍‍ ଦିଆଯାଇଛି। ଏ ସମ୍ପର୍କରେ ଖଡଗପୁରସ୍ଥିତ ରେଳବାଇ ଡିଆରଏମ, କୋଲକାତାସ୍ଥିତ ଦକ୍ଷିଣପୂର୍ବ ରେଳପଥର ମହାପ୍ରବନ୍ଧକଙ୍କୁ ବାରମ୍ବାର ପତ୍ର ଲେଖିଲେ ସବୁ ବୃଥା ହୋଇଛି। ଏହି ପ୍ରସଙ୍ଗ ଦକ୍ଷିଣ ପୂର୍ବ ରେଳପଥ ଜୋନାଲ ପରାମର୍ଶଦାତା କମିଟିରେ ମଧ୍ୟ ଝାଡଖଣ୍ଡର ପୂର୍ବତନ ବିଧାୟକ କୁନାଲ ଷଡଙ୍ଗୀ ଉଠାଇଛନ୍ତି। ସେ ବହୁବାର ପତ୍ର ଲେଖିଛନ୍ତି। କିନ୍ତ ସେଥିରୁ ସୁଫଳ ମିଳିନାହିଁ।
ଶ୍ରୀ ଷଡଙ୍ଗୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଟାଟାନଗର, ଘାଟଶିଳା, ଧଳଭୂମଗଡ ଏବଂ ଚକୁଳିଆରେ ଥିବା ଷ୍ଟେସନ ମୁଖ୍ୟତଃ ଓଡ଼ିଶାର ମୟୁରଭଞ୍ଜ ଜିଲାର ଜନସାଧାରଣଙ୍କୁ ସେବା ଯୋଗାଉଛି। ଏହି ଲୋକମାନଙ୍କ ପାଇଁ ଉପରୋକ୍ତ ଷ୍ଟେସନଗୁଡିକ ବମ୍ବେ-ହାଓଡା ମୁଖ୍ୟ ଲାଇନରେ ମୁଖ୍ୟ ରେଲ ହେଡ ହୋଇଛି। କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ରେଳ ବଜେଟରେ ବୁଡାମରା-ଚକୁଳିଆ ରେଳଲାଇନ ନିର୍ମାଣକୁ ମଞ୍ଜୁର କରିଛନ୍ତି ଏବଂ ତାହାର କିଛି କାମ ପାଇଁ ଅର୍ଡର ଦିଆଯାଇସାରିଛି। ଏହା ନିର୍ମାଣ ହେଲେ ଭବିଷ୍ୟତରେ ଚକୁଳିଆ ଏକ ଜଙ୍କ୍‍ସନରେ ପରିଣତ ହେବ। ଟାଟା-ବାଦାମପାହାଡ ରେଳ ଲାଇନ ଏବଂ ରାଜଖରସୁଆଁ-ବଡବିଲ ରେଳଲାଇନ ମୟୁରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ ଏବଂ ତାହାର ଜଙ୍କସନ ଟାଟା ନଗର ଓ ରାଜଖରସୁଆଁରେ ରହିବ।
ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଦୁଇ ସାଂସଦଙ୍କ ରାଜନୈତିକ ଚାପରେ ଏହି ଷ୍ଟେସନଗୁଡିକରେ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ସାନ୍ତାଳି ଭାଷାରେ ନାମଫଳକ ଲେଖାଯିବା ସହିତ ଘୋଷଣାରୁ ମଧ୍ୟ ଓଡ଼ିଆ ଭାଷାକୁ ବାଦ୍‍ ଦିଆଯିବ। ସମ୍ବିଧାନର ଅଷ୍ଟମ ସୂଚୀରେ ଓଡ଼ିଆ ଭାଷା ସ୍ଥାନ ପାଇଥିବାବେଳେ ଝାଡଖଣ୍ଡରେ ଏହା ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଲାଭ କରିଛି। ସମ୍ବିଧାନରେ ସ୍ୱୀକୃତ ଅନ୍ୟ ସମସ୍ତ ଭାଷା ଲେଖିବାରେ କିଛି ଆପତ୍ତି ନାହିଁ। କିନ୍ତୁ ଚକୁଳିଆ ଠାରୁ ଟାଟା ନଗର ପର୍ଯ୍ୟନ୍ତ ସମସ୍ତ ଷ୍ଟେସନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ସହିତ ରେଳ ଟିକେଟରେ ଓଡ଼ିଆରେ ଲେଖାଯିବା ଏବଂ ଅନ୍ୟାନ୍ୟ ଭାଷା ସହିତ ଓଡ଼ିଆରେ ଘୋଷଣା କରିବା ଦିଗରେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ଷଡଙ୍ଗୀ ଅନୁରୋଧ କରିଛନ୍ତି।

Comments are closed.