ନମସ୍କାର !!

କରୋନା ଭୂତାଣୁର ଆଶଙ୍କା ମଧ୍ୟରେ ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ‘ନମସ୍କାର’ ଅଭିବାଦନ ଜଣାଇବାର ବିଶ୍ବମାନ୍ୟ ଶୈଳୀ ହୋଇପାରିଛି। ଭୂତାଣୁ ସଂକ୍ରମଣ ଯୋଗୁ ହାତ ମିଳାଇବା ପରି ବିଭିନ୍ନ ଆଧୁନିକ ଅଭିବାଦନ ଶୈଳୀ ବନ୍ଦ ହେବା ସହିତ ବିଶ୍ବସ୍ତରୀୟ ନେତୃବୃନ୍ଦ ମଧ୍ୟ ନମସ୍କାରକୁ ଗ୍ରହଣ କରିଛନ୍ତି। ନମସ୍କାରର ଉପକାର ସମ୍ବନ୍ଧୀୟ କେତୋଟି କଥା-
କରୋନା ଭୂତାଣୁ ବ୍ୟାପିବା ମଧ୍ୟରେ ଅଭିବାଦନର ସର୍ବମାନ୍ୟ ଶୈଳୀ ପାଲଟିଛି ନମସ୍କାର। ଭାରତୀୟ ସଂସ୍କୃତିର ଏହି ଶୈଳୀକୁ ଆପଣାଇଥିବା ବିଶ୍ବସ୍ତରୀୟ ନେତାଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ, ବ୍ରିଟେନ୍ର ପ୍ରିନ୍ସ ଚାର୍ଲସ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପ୍ରମୁଖ। ଟ୍ରମ୍ପ ଭାରତ ଗସ୍ତରୁ ଏହି ଶୈଳୀ ଶିଖିଥିବା ନେଇ କହିଥିବା ବେଳେ ବିଦେଶୀ ନେତାଙ୍କର ନମସ୍କାର ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରିକି ସେମାନେ ନିଜନିଜ ଦେଶର ବାସିନ୍ଦାଙ୍କୁ ମଧ୍ୟ ନମସ୍କାର ଶୈଳୀ ଆପଣାଇବାକୁ କହୁଛନ୍ତି। ୟୁରୋପୀୟ ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଲୋକମାନଙ୍କୁ ହାତ ମିଳାଇବା ଏବଂ ଆଲିଙ୍ଗନ ପରି ଅଭିବାଦନରୁ ଦୂରେଇ ନମସ୍କାର କରିବାକୁ କହିଛନ୍ତି।
ନମସ୍କାର କେବଳ ଏକ ପରମ୍ପରା ନୁହେଁ, ଏହାର ଏକାଧିକ ଭୌତିକ ଏବଂ ବୈଜ୍ଞାନିକ ଉପକାରିତା ରହିଛି। ଭାରତୀୟ ଶାସ୍ତ୍ର ଅନୁସାରେ ସମସ୍ତ ମଣିଷଙ୍କ ହୃଦୟରେ ଦୈବୀ ଚେତନା ରହିଛି। ନମସ୍କାର ଦ୍ବାରା ଗୋଟିଏ ଆତ୍ମା ଆଉ ଗୋଟିଏ ଆତ୍ମା ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଏ। ତେଣୁ ଲୋକେ ପରସ୍ପରକୁ ସାକ୍ଷାତ କରିବା ଏବଂ ବିଦାୟ ନେବା ସମୟରେ ନମସ୍କାର କରିଥାନ୍ତି।
– ନମସ୍କାର କରିବା ସମୟରେ ବ୍ୟକ୍ତି ଦୁଇ ହାତକୁ ଯୋଡି ଛାତି ସାମ୍ନାରେ ରଖିଥାନ୍ତି। ସେଠାରେ ଥିବା ଅନାହତ ଚକ୍ର ପ୍ରେମ ଏବଂ ସ୍ନେହର ପ୍ରତୀକ ହୋଇଥାଏ। ତେଣୁ ନମସ୍କାର କରିବା ଦ୍ବାରା ପରସ୍ପର ପ୍ରତି ସ୍ନେହ ଭାବ ସୃଷ୍ଟି ହୁଏ।
– ହାତ ଯୋଡି ରଖିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ବୃଦ୍ଧି ହୁଏ। ମଣିଷ ଶରୀରରେ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଭାବନା ରହିଛି। ନମସ୍କାର ପାଇଁ ହାତ ଯୋଡିବା ସମୟରେ ଶକ୍ତି ସଞ୍ଚାରିତ ହେବା ସହ ଶରୀରରେ ସକାରାତ୍ମକ ଭାବନାର ସ୍ତର ବୃଦ୍ଧି ହୁଏ।
– ହାତର କୋଷଗୁଡିକ ମସ୍ତିଷ୍କ କୋଷ ସହିତ ସଂଯୁକ୍ତ। ନମସ୍କାର କରିବା ସମୟରେ ହାତ ପାପୁଲିକୁ ଯୋଡି ବା ଚାପି ରଖିବା ଦ୍ବାରା ହୃଦୟ ଚକ୍ର ଏବଂ ଆଜ୍ଞା ଚକ୍ର ସକ୍ରିୟ ହୋଇଥାଏ। ତେଣୁ ଜାଗୃତି ବଢେ ଏବଂ ମନ ଶାନ୍ତ ଓ ପ୍ରସନ୍ନ ରହେ। ଏହା ସହିତ ହୃଦ୍ଯନ୍ତ୍ର ମଜବୁତ ହୋଇଥାଏ। ମନରୁ ଭୟ ଦୂର ହୁଏ।
– ହାତର ସମସ୍ତ ଆଙ୍ଗୁଳିର ଶୀର୍ଷ ପରସ୍ପରକୁ ଛୁଇଁବା ଦ୍ବାରା ଆକ୍ୟୁପ୍ରେସରର ଉପକାରିତା ମିଳେ। ଏହି ଚାପ ଆଖି, କାନ ଏବଂ ମସ୍ତିଷ୍କକୁ ପ୍ରଭାବିତ କରି ଦୀର୍ଘସମୟ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।
– ହାତଯୋଡି ନମସ୍କାର କରିବା ଏକ ମନସ୍ତାତ୍ତ୍ବିକ ପ୍ରକ୍ରିୟା। ହାତ ଯୋଡିଥିବା ବ୍ୟକ୍ତି ଜୋର୍ରେ କଥା କହିପାରନ୍ତି ନାହିଁ ଏବଂ କ୍ରୋଧ ମଧ୍ୟ କରିପାରନ୍ତି ନାହିଁ। ହାତ ଯୋଡି ରଖିବା ଦ୍ବାରା ମଣିଷ ଉପରେ ମନସ୍ତାତ୍ତ୍ବିକ ଚାପ ସୃଷ୍ଟି ହୋଇଥାଏ। ଏହା ମଧ୍ୟ ସାମ୍ନାରେ ଥିବା ଲୋକଙ୍କୁ କ୍ରୋଧିତ ହେବାକୁ ଦିଏନାହିଁ। ହାତ ଯୋଡି ରଖିବା ଦ୍ବାରା ମନରେ ବିନମ୍ର ଭାବ ବଢିଥାଏ।
– ଜଣେ ଅନ୍ୟଜଣଙ୍କୁ ନମସ୍କାର କରିବା ଦ୍ବାରା ଅପର ବ୍ୟକ୍ତି ମଧ୍ୟ ଖୁସି ଅନୁଭବ କରିଥାନ୍ତି। ଏପରି କରିବା ଦ୍ବାରା ଉଭୟଙ୍କ ମାନସିକତା ସୁଖଦ ରହିପାରେ।