ନାଲକୋ ବିଶ୍ୱରେ ସର୍ବନିମ୍ନ ବ୍ୟୟରେ ଆଲୁମିନା ଉତ୍ପାଦନ କରେ : ଉଡ୍‌ ମାକେନ୍‌ଜି ରିପୋର୍ଟ

0

କଟକ: ଉଡ୍‌ ମାକେନ୍‌ଜି ରିପୋର୍ଟ ଅନୁସାରେ   ନାଲକୋ ବିଶ୍ୱରେ ସର୍ବ ନିମ୍ନ ବ୍ୟୟରେ ଆଲୁମିନା ଉତ୍ପାଦନ କରୁଛି । ଉଡ୍‌ ମାକେନ୍‌ଜି  ଏକ ବିଶ୍ୱ ସ୍ତରୀୟ ସଂସ୍ଥା । ଏହା ସାରା ବିଶ୍ୱରେ ଶକ୍ତି, ରସାୟନ, ଧାତବ ଦ୍ରବ୍ୟ ଓ ଖଣି ବିଷୟରେ ଗବେଷଣା, ତଥ୍ୟ ସଂଗ୍ରହ ଏବଂ ବିଶ୍ଲେଷଣ କରିଥାଏ ।  ଓଡିଶାର  ପଞ୍ଚପାଟମାଳିରେ ଥିବା ବକ୍ସାଇଟ୍‌  ଖଣି ଅଞ୍ଚଳରୁ ସିଙ୍ଗିଲ ଫ୍ଲାଇଟ କନଭେୟର ବେଲ୍ଟ ଦ୍ୱାରା ବକ୍ସାଇଟ ପରିବହନ,  ଖଣିରେ କାମ କରୁଥିବା ଇଞ୍ଜିନିୟର ଓ ଅପରେଟର୍‌ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ନିରବଚ୍ଛିନ ଉଦ୍ୟମ ଏବଂ  ନୂତନ ବାଣିଜ୍ୟ କୌଶଳର ପ୍ରୟୋଗ ଯୋଗୁଁ ସର୍ବନିମ୍ନ ବ୍ୟୟରେ ଆଲୁମିନା ଉତ୍ପାଦନ ସମ୍ଭବ ହୋଇ ପାରିଛି ବୋଲି ନାଲ୍‌କୋରେ ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମଡି) ଡଃ ତପନକୁମାର ଚାନ୍ଦ କହିଛନ୍ତି।  ।

ଉଡ୍‌ ମାକେନ୍‌ଜି ରିପୋର୍ଟ ଅନୁସାରେ ନାଲକୋର ପଞ୍ଚପାଟମାଳି ଖଣି ସାରା ବିଶ୍ୱରେ  ଖଣିମାନଙ୍କ ମଧ୍ୟରେ ଉତ୍କଷତା ହାସଲ  କରିଛି  ।  ରିପୋର୍ଟ ଅନୁସାରେ  ଉତ୍ପାଦନ ମୂଲ୍ୟରେ ଏହା ବିଶ୍ୱରେ ଦ୍ୱିତୀୟସ୍ଥାନ ହାସଲ କରିଛି । ଓଡିଶାରେ ପୂର୍ଣ୍ଣଭାବରେ ଅବସ୍ଥିତ ଏହି ଶିଳ୍ପାନୁଷ୍ଠାନ ନାଲକୋ ବିଶ୍ୱସ୍ତରରେ ରାଜ୍ୟପାଇଁ ଗୌରବ ଆଣିଛି ।

ଛେଣ୍ଡିପଦାରେ  ଉତ୍କଳ ଡି ଓ ଇ କୋଲ ବ୍ଲକ ରେ  ନାଲକୋ ୨୦୧୯ରେ କୋଇଲା ଉତ୍ପାଦନ କରିବ । ଏଥିପାଇଁ ସେଠାରେ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କରୁଛି । ଏହା କାର୍ଯ୍ୟକ୍ଷମ ହୋଇଗଲେ ନାଲକୋ ଆହୁରି କମ୍‌ ଖର୍ଚ୍ଚରେ   ଆଲୁମିନିୟମ ଉତ୍ପାଦନ କରିପାରିବ ।

ନାଲକୋ ଆଲୁମିନା ଟନ୍‌ ପ୍ରତି ରେକର୍ଡ ୭୧୮ ଆମେରିକୀୟ ଡଲାରରେ ବିକ୍ରି କରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ନାଲକୋର ଲାଭ  ପୂର୍ବ ବର୍ଷ ଅପେକ୍ଷା ୨ ଗୁଣରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଏହା ବ୍ୟତିତ ନାଲକୋ ଅନେକ ଜନ ହିତକର କାର୍ଯ୍ୟକୁ ହାତକୁ ନେଇଛି ।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଏକ ଆଦର୍ଶ ଗ୍ରାମଭାବେ ପରିଣତ କରାଯିବ। ଏଥିପାଇଁ ନାଲକୋ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ନବରତ୍ନ କମ୍ପାନୀ ନାଲକୋର ମୁଖ୍ୟ ପରିଚାଳନା ନିର୍ଦେଶକ(ସିଏମଡି) ଡଃ ତପନକୁମାର ଚାନ୍ଦ କହିଛନ୍ତି। ମଙ୍ଗଳବାର ଅପରାହ୍ଣରେ ଡଃ ଚାନ୍ଦ ଗୋପବନ୍ଧୁ ଭବନକୁ ସୌଜନ୍ୟମୂଳକ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ସେ ଗୋପବନ୍ଧୁଭବନସ୍ଥ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥଙ୍କ ପ୍ରସ୍ତାବକ୍ରମେ ସୁଆଣ୍ଡୋର ବିକାଶ ସହିତ ଏହି ଐତିହ୍ୟସ୍ଥଳୀର ସମସ୍ତ ପ୍ରକାର ଉନ୍ନତି ଦିଗରେ ନାଲକୋ ଉଦ୍ୟମ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ନାଲକୋର ବିକାଶ ଓ ଲକ୍ଷ୍ୟ ସମ୍ପର୍କରେ ଶ୍ରୀ ରଥଙ୍କୁ ଅବଗତ କରିଥିଲେ।   ଆଲୋଚନାକାଳରେ ଡଃ ଚାନ୍ଦ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଲୁମିନିୟମ ଉତ୍ପାଦନରେ ନାଲକୋ  ଅଗ୍ରଣୀ ସ୍ଥାନ ହାସଲ କରିଛି। କୋଇଲା ସଙ୍କଟ ନାଲକୋର ଆଲୁମିନିୟମ ଉତ୍ପାଦନରେ କୌଣସି ପ୍ରଭାବ ପକାଇ ପାରିନାହିଁ। ସରକାରଙ୍କ ଗ୍ରୀଡରୁ ବିଦ୍ୟୁତ ଆଣି ଆଲୁମିନିୟମ  ଉତ୍ପାଦନକୁ ନାଲକୋ ସ୍ୱାଭାବିକ କରିପାରିଛି।

ଏହି ଆଲୋଚନା ସମୟରେ ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଏବଂ ଆଲୁମିନିୟମ ଆସୋସିଏସନ ଅଫ ଇଣ୍ଡିଆର ଆଡିସନାଲ ଡାଇରେକ୍ଟର ଜେନେରାଲ ପ୍ରତାପଆଦିତ୍ୟ ମିଶ୍ର, ନାଲକୋର କର୍ପୋରେଟ  କମ୍ୟୁନିକେସନ ମୁଖ୍ୟ ଲଲାଟେନ୍ଦୁ ଦାସ, ମହାପ୍ରବନ୍ଧକ ଜାଭେଦ ରିଆଜ ଏବଂ ଅଲମ୍ପିଆନ ଅନୁରାଧା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply