Deprecated: class-oembed.php is deprecated since version 5.3.0! Use wp-includes/class-wp-oembed.php instead. in /var/www/vhosts/samajalive.in/httpdocs/wp-includes/functions.php on line 4903

୨୦୧୯-୨୦ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ଼ ଉତ୍ପାଦନ

ଭୁବନେଶ୍ୱର : କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନିକାରୀ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା କ୍ଷେତ୍ରରେ ସର୍ବକାଳୀନ ଉତ୍ପାଦନ ରେକର୍ଡ଼ କରିଛି। ଶତକଡ଼ା ୧୦୦ରୁ ଅଧିକ କ୍ଷମତା ଉପଯୋଗ କରି କମ୍ପାନୀ ଏହାର ଦାମନଯୋଡ଼ିସ୍ଥିତ ପଞ୍ଚପଟ୍ଟମାଳି ବକ୍ସାଇଟ୍ ମାଇନ୍ସରେ ୭୩.୦୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଉତ୍ତୋଳନ ହୋଇପାରିଛି ଯାହା ଏକ ସର୍ବକାଳୀନ ରେକର୍ଡ଼। ସେହିପରି ଆଲୁମିନା ପରିଶୋଧନ ପ୍ରକଳ୍ପରେ ୨୧.୬୧ ଲକ୍ଷ ମେଟ୍ରିକ ଟନ୍ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ କରିଛି। ଆଲୁମିନା ରିଫାଇନାରୀର ଷ୍ଟିମ୍ ଆଣ୍ଡ ପାୱାର ପ୍ଲାଣ୍ଟ ମଧ୍ୟ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ ହାସଲ କରିପାରିଛି। ସେହିପରି କୋଇଲା ଯୋଗାଣରେ ନାଲ୍‌କୋର ଅନୁଗୋଳସ୍ଥିତ ସ୍ମେଲ୍ଟର ପ୍ଲାଣ୍ଟ ମଧ୍ୟ ୯୦ ପ୍ରତିଶତ କ୍ଷମତା ଉପଯୋଗ କରି ୪.୧୮ ଲକ୍ଷ ମେଟ୍ରିକ୍ ଟନ୍ ଆଲୁମିନିୟମ ଉତ୍ପାଦନ କରିପାରିଛି। ଏହି ସଫଳତା ପାଇଁ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର କର୍ମଚାରୀମାନଙ୍କୁ ଶ୍ରେୟ ଦେବା ସହିତ ସେମାନଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତରଦାୟିତ୍ୱକୁ ପ୍ରଶଂସା କରି କହିଛନ୍ତି ଯେ, ସାମ୍ପ୍ରତିକ ମେଟାଲ ବଜାରର ମାନ୍ଦାବସ୍ଥାକୁ ବିଚାରକୁ ନେଇ ଆମେ ବକ୍ସାଇଟ୍ ଉତ୍ତୋଳନ ଏବଂ ପରିଶୋଧନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ତଥା ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। କୋଭିଡ୍ ୧୯ ସତ୍ତ୍ବେ କମ୍ପାନୀ ଏହାର ସୀମିତ ମାନବ ସମ୍ବଳ ବିନିଯୋଗ କରି ଉତ୍ପାଦନ ଜାରି ରଖିବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରି ସାମାଜିକ ଦୂରତ୍ୱ ବଜାୟ ରଖି କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛି।