ଉତ୍ପାଦନ କ୍ଷେତ୍ରରେ ନାଲକୋର ଉଲ୍ଲେଖନୀୟ ସଫଳତା; ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ବ୍ୟବସାୟ ୮୪୨୬ କୋଟି, ନିଟ୍ ଲାଭ ୧୩୮ କୋଟି

ଭୁବନେଶ୍ୱର: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ୨୦୧୯-୨୦ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି। ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହି ଆର୍ଥିକ ବର୍ଷରେ ନାଲ୍‌କୋ କମ୍ପାନୀ ୮୪୨୬ଟଙ୍କା ବ୍ୟବସାୟ କରିଥିବାବେଳେ ନିଟ୍‌ ଲାଭ ୧୩୮.୨୩କୋଟି ଟଙ୍କା ରହିଛି ବୋଲି କୁହାଯାଇଛି।
ଆଜି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ନିଟ୍‌ ଲାଭ ଘୋଷଣା କରାଯାଇଥିଲା। ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷରେ ନାଲ୍‌କୋ କମ୍ପାନୀ ୧୩୮.୨୩ କୋଟି ଟଙ୍କାର ନିଟ୍ ଲାଭ କରିଛି ବୋଲି ଘୋଷଣା କରାଯାଇଥିଲା। ଏହି ଆର୍ଥିକ ବର୍ଷରେ କମ୍ପାନୀ ମୋଟ ୮୪୨୬ କୋଟି ଟଙ୍କାର ବ୍ୟବସାୟ କରିଅଛି। ବିଗତ ବର୍ଷ ତୁଳନାରେ ଅନ୍ତରାର୍ଷ୍ଟ୍ରୀୟ ବଜାରରେ ଧାତୁର ମୁଲ୍ୟରେ ହ୍ରାସ ପାଇଥିବା ଯୋଗୁଁ ପାଖାପାଖି ୨୯୦୦ କୋଟି ଟଙ୍କାର ବ୍ୟବସାୟ ହ୍ରାସ ଘଟିଛି । ନାଲକୋ ଏହି ଆର୍ଥିକ ବର୍ଷରେ ୩୫୧୧ କୋଟି ଟଙ୍କାର ରପ୍ତାନୀ ମଧ୍ୟ କରିଛି।
ଅନ୍ତରାର୍ଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ଏବଂ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ମୂଲ୍ୟ ହ୍ରାସ ସତ୍ୱେ ନାଲକୋ ବଜାର ପରିସ୍ଥିତିର ସମ୍ମୁଖୀନ କରି ସଫଳତା ବଜାୟ ରଖି ପାରିଛି। ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ବିକ୍ରୟ କ୍ଷେତ୍ରରେ, ସ୍ଥାପନା ସମୟରୁ କ୍ରମାଗତ ବୃଦ୍ଧି କରିବା ସହିତ ପ୍ରତି ବର୍ଷ ଲାଭ ସହ ସର୍ବଦା ସଫଳତା ହାସଲ କରି ଆସୁଛି।
କମ୍ପାନୀ ଏହି ଆର୍ଥିକ ବର୍ଷରେ ୭୩.୦୨ ଲକ୍ଷ ଟନ୍ ବକ୍ସାଇଟ୍ ଏବଂ ଆଲୁମିନା ରିଫାଇନେରୀରେ ୨୧.୬୧ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଉଭୟ ଖଣି ଏବଂ ରିଫାଇନେରୀରେ ଏ ବର୍ଷ ଶତ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ଷମତା ଉପଯୋଗ କାରାଯାଇ ପାରିଛି। ସେହିପରି ଏହି ବର୍ଷ ୪.୧୮ ଟନ୍ ଆଲୁମିନିୟମ୍ ଉତ୍ପାଦନ ମଧ୍ୟ ହୋଇଅଛି ।
ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି ସଫଳତା ପାଇଁ କର୍ମଚାରୀ ମାନଙ୍କର ଦଳଗତ ପ୍ରଚେଷ୍ଟା ଏବଂ କର୍ତ୍ତବ୍ୟପରାୟଣତାକୁ ଶ୍ରେୟ ପ୍ରଦାନ କରିଛନ୍ତି । ଏଥି ସହ ନିକଟ ଭବିଷ୍ୟତରେ ଖଣି ଏବଂ ପରିଶୋଧନ ପ୍ରକଳ୍ପର ଉତ୍ପାଦନରେ ଅଭିବୃଦ୍ଧି ତଥା ନିଜସ୍ୱ କୋଇଲା ଖଣି ଓ କଷ୍ଟିକ୍ ସୋଡ଼ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ ଉତ୍ପାଦନ ଆରମ୍ଭ ହେଲେ କମ୍ପାନୀ ବ୍ୟବସାୟିକ ସଫଳତା ବଜାୟ ରଖି ପାରିବ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି।

Comments are closed.