ଫନୀ ପୀଡିତଙ୍କୁ ସହାୟତାର ହାତ ବଢ଼ାଇଲା ନାଲକୋ ମହିଳା ସମିତି

ଭୁବନେଶ୍ୱର:ସାମୁଦ୍ରିକ ବାତ୍ୟା ଫନୀରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀର ଧରାବତୀ ଏବଂ ବାପୁଜୀ କଲୋନୀରେ ବସବାସ କରୁଥିବା ଅନ୍ତେବାସୀଙ୍କୁ ନାଲକୋ ମହିଳା ସମିତି ସହାୟତା କରିଛି। ସମିତି ଅଧ୍ୟକ୍ଷା ପ୍ରିତୀ ରାୟ ଚାନ୍ଦଙ୍କ ନେତୃତ୍ୱରେ ସଭ୍ୟାମାନେ ଉଭୟ କଲୋନୀର ୧୦୬ଟି ପରିବାରକୁ ରିଲିଫ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। କଲୋନୀରେ ରହୁଥିବା ୪୯ଟି କୁଷ୍ଠ ପୀଡିତ ପରିବାରକୁ ସ୍ଵଛ କିଟ ପ୍ରଦାନ କରାଯାଇଥିବା ବେଳେ ନିକଟସ୍ତ କଲୋନୀରେ ରହୁଥିବା ୫୧ଟି ମୁସଲିମ ପରିବାରକୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।

ସମିତି ସଦସ୍ୟା ସସ୍ମିତା ପାତ୍ର, ସବିତା ପଟ୍ଟନାୟକ ସହିତ ନାଲକୋ ଫାଉଣ୍ଡେସନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରିଥିଲେ। ରିଲିଫ ସାମଗ୍ରୀରେ ଚାଉଳ, ଚିନି, ଡାଲି, ପାଣି ବୋତଲ, ବିସ୍କୁଟ ପ୍ୟାକେଟ, ମହମବତୀ ଓ ଦିଆସିଲି ଦିଆଯାଇଥିଲା। ସଦସ୍ୟ ସଦସ୍ୟମାନେ ପ୍ରଭାବିତ ଲୋକମାନଙ୍କ ସହ କଥା ହୋଇଥିଲେ।

Comments are closed.