‘ନାଲ୍‌କୋ’ ସହାୟତାରେ ଅନୁଗୋଳ ଓ କୋରାପୁଟରେ କାର୍ଯ୍ୟକ୍ଷମ ହେବ କୋଭିଡ୍‌ ଯତ୍ନ କେନ୍ଦ୍ର

ଭୁବନେଶ୍ୱର: ଭାରତ ସରକାରଙ୍କ ଖଣିମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲ୍‌କୋ) ସଂପ୍ରତି ଓଡ଼ିଶାରେ ଜାରି ରହିଥିବା କୋଭିଡ୍‌ ମହାମାରୀର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ସହାୟତା ପ୍ରଦାନ କରି ନିଜର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି। ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ଏବଂ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ନାଲ୍‌କୋ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜରେ ଏକ ୭୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ଯତ୍ନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥିସହିତ ଅନୁଗୋଳ ଜିଲାର ବଅଁରପାଳସ୍ଥିତ ଇଏସ୍ଆଇ ଡାକ୍ତରଖାନାରେ ୬୬ଶଯ୍ୟା ବିଶିଷ୍ଟ କୋଭିଡ୍‌ ଯତ୍ନ କେନ୍ଦ୍ର ପାଇଁ ସହାୟତା ପ୍ରଦାନ ସହିତ ଏହାର ଆନୁଷଙ୍ଗିକ ପରିଚାଳନା ଖର୍ଚ୍ଚ ନାଲ୍‌କୋ ବହନ କରିବ। ଏହାଦ୍ୱାରା କମ୍ପାନୀର କାର୍ଯ୍ୟକ୍ଷେତ୍ର ଯଥା ଅନୁଗୋଳ ଓ କୋରାପୁଟ ଜିଲାରେ ବସବାସ କରୁଥିବା ଲୋକମାନେ ବିଶେଷ ଉପକୃତ ହୋଇପାରିବେ। ଏତଦ୍ବ୍ୟତୀତ ରାଜ୍ୟରେ ନାଲ୍‌କୋ ପକ୍ଷରୁ କେତେକ ଅମ୍ଳଜାନ ୟୁନିଟ୍ ପାଇଁ ରାଜ୍ୟ ସରକାରଙ୍କୁ ଡିଜି ସେଟ୍‌ ଦାନ କରିବାକୁ ସହମତି ପ୍ରଦାନ କରିଛି। ଏହାଦ୍ୱାରା ଜୀବନରକ୍ଷାକାରୀ ଅକ୍ସିଜେନ୍ (ଅମ୍ଳଜାନ) ୟୁନିଟଗୁଡ଼ିକରେ ନିରବିଛିନ୍ନ ବିଦ୍ୟୁତ୍‌ ମିଳିବାରେ ସହାୟକ ହୋଇପାରିବ।

ଉଲ୍ଲେଖ୍ୟଯୋଗ୍ୟ ଯେ ନାଲ୍‌କୋ ନବରଙ୍ଗପୁରଠାରେ ଏକ ୨୦୦ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ କୋଭିଡ ଚିକିତ୍ସା ନିମନ୍ତେ ଭିତ୍ତିଭୂମିର ବିକାଶ କରିଅଛି। ଏଥିସହିତ ଅନୁଗୋଳ ଓ ଦାମନଯୋଡ଼ିଠାରେ ନାଲ୍‌କୋ ହସ୍ପିଟାଲରେ ୨ଟି ସ୍ୱତନ୍ତ୍ର କୋଭିଡ୍ ଯତ୍ନ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଅଛି। ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ, ରାଜ୍ୟର ଏହିଭଳି ଏକ ଜଟିଳ ପରିସ୍ଥିତିରେ ନାଲ୍‌କୋ ସାମଗ୍ରିକ ଭାବେ ଏକ ଦାୟିତ୍ୱବାନ କର୍ପୋରେଟ ହିସାବରେ ଓଡ଼ିଶାବାସୀଙ୍କ ସହିତ ସର୍ବଦା ରହି ଆସିଅଛି ଏବଂ ଯଥାସମ୍ଭବ ସହଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଅଛି।

Comments are closed.