ନାଲକୋକୁ ମିଳିଲା ଉତ୍କଳ-ଡ଼ି କୋଇଲା ଖଣି

ଭୁବନେଶ୍ବର (ବ୍ୟୁରୋ)  ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଡି କୋଇଲା ଖଣି ପାଇଁ ମାଇନିଙ୍ଗ୍ ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଗତ ୧୬ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଉକ୍ତ ଉତ୍କଳ- ଡି କୋଇଲା ଖଣି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ତହସିଲ୍ ର କୋଶଳ, ନନ୍ଦିଚୂଡ଼, ଶିମିଳିସାହି ଓ ରାଇଝରନ୍ ଗ୍ରାମର ୩୦୧.୨୮ ହେକ୍ଟର ଜମି ଉପରେ ଅବସ୍ଥିତ । ଉଲ୍ଲେଖ ଯୋଗ୍ୟ ଯେ, ଉତ୍କଳ-ଡି ମାଇନିଙ୍ଗ୍ ଲିଜ୍ ର ଚୁକ୍ତି ସ୍ୱାକ୍ଷର ପରେ ୨୦୨୦-୨୧ ଆର୍ଥିକ ବର୍ଷରେ ନାଲକୋ କୋଇଲା ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରିବ । ସର୍ବମୋଟ ୧୦୧.୬୮ ନିୟୁତ ଟନ କୋଇଲା ଗଚ୍ଛିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଅଛି । ଏହି ଉତ୍କଳ-ଡି କୋଇଲା ବ୍ଳକ୍ ପ୍ରାପ୍ତି ନାଲକୋର ମୂଳଭିତ୍ତି ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ବୋଲି ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ପ୍ରକାଶ କରିଛନ୍ତି ।

Comments are closed.