କିସିଣ୍ଡା ଥାନା ଆଗରେ ଟାଙ୍ଗିଆରେ ହାଣି ହତ୍ୟା

ଭଉଣୀକୁ ଟାଙ୍ଗିଆରେ ହାଣିଲା କକାପୁଅ ଭାଇ

ନାକଟିଦେଉଳ,୧୯ା୧(ନି.ପ୍ର): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନା ଫାଟକ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବଚସାରୁ କକାପୁଅ ଭାଇ ଭଉଣୀକୁ ଥାନା ସମ୍ମୁଖରେ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ହତ୍ୟାକାଣ୍ଡ କିସିଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ କିସିଣ୍ଡା ଥାନା ଲୋଇସିଂ ଗ୍ରାମ ଚମାରପଡ଼ାର ଦେବାନନ୍ଦ ମେହେରଙ୍କ ପତ୍ନୀ କୁମାରୀ ମେହେର (୪୦)। କିସିଣ୍ଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଲୋଇସିଂ ଗ୍ରାମର ନିତ୍ୟାନନ୍ଦ ରୋହିଦାସଙ୍କ ଝିଅ କୁମାରୀ ରୋହିଦାସ ବରପାଲି ଥାନା ଭଟିଗାଁର ଦେବାନନ୍ଦ ମେହେରଙ୍କୁ ବିବାହ କରିଥିଲେ। ତେବେ ଦୀର୍ଘବର୍ଷ ହେଲା ଉଭୟ ସ୍ୱାମୀସ୍ତ୍ରୀ ଲୋଇସିଂ ଗ୍ରାମରେ ପିଲାଛୁଆ ଧରି ରହୁଛନ୍ତି। ବୁଧବାର ଅପରାହ୍ନରେ କୁମାରୀଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସ ସେହି ଗ୍ରାମର ଗାଇଚରାଳି ବାସନ୍ତୀ ମାଝୀଙ୍କୁ କୁମାରୀଙ୍କ ଘର ସାମନାରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲା। ଏହି ସମୟରେ କୁମାରୀ ସେଠାରେ ପହଞ୍ଚି ମୋ ଘର ସାମ୍ନାରେ କାହିଁକି ଅସଭ୍ୟ ଭାଷାରେ ପାଟିତୁଣ୍ଡ କରୁଛୁ ବୋଲି କ୍ଷୀରୋଦକୁ ବିରୋଧ କରିଥିଲେ।

ଏହାକୁ ନେଇ କୁମାରୀ ଓ କ୍ଷୀରୋଦ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ କ୍ଷୀରୋଦ କୁମାରୀଙ୍କୁ ହାତରେ ଧରିଥିବା ବାଡ଼ିରେ ପିଟିବାରୁ କୁମାରୀଙ୍କ ହାତର କେତୋଟି ଶଙ୍ଖା ଭାଙ୍ଗି ଯାଇଥିଲା। ଫଳରେ କୁମାରୀ ଯାଉଛି ତୋ’ ନାମରେ କିସିଣ୍ଡା ଥାନାରେ କେସ କରିବି ବୋଲି କ୍ଷୀରୋଦକୁ କହି ଏକ ସାଇକଲରେ ଆଜି ଅପରାହ୍ନ ପ୍ରାୟ ୫ଟା ୫୦ ମିନିଟ ସମୟରେ କିସିଣ୍ଡା ଥାନାକୁ ଆସି ଥାନାର ପୁରୁଣା ଫାଟକ ସାମ୍ନାରେ ଓହ୍ଲାଇଥିଲେ। ତେବେ ଏହି ସମୟରେ କ୍ଷୀରୋଦ ମଧ୍ୟ ଏକ ସାଇକଲରେ ପହଞ୍ଚିଥିଲା। ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ଷୀରୋଦ ଧରିଥିବା ଟାଙ୍ଗିଆରେ କୁମାରୀଙ୍କ ବେକରେ ଚୋଟ ପରେ ଚୋଟ ମାରିବାରୁ ଘଟଣାସ୍ଥଳରେ କୁମାରୀଙ୍କ ମୃତ୍ୟୁ ହୋଇଥିଲା। କ୍ଷୀରୋଦ ରକ୍ତ ଜୁଡ଼ୁବୁଡ଼ୁ ଟାଙ୍ଗିଆ ସହ ଘଟଣାସ୍ଥଳରେ ସାଇକଲ ଛାଡ଼ି ଦୌଡ଼ି ଦୌଡ଼ି ଫେରାର ହୋଇଯାଇଥିଲା। ଏହି ଘଟଣାରେ କିସିଣ୍ଡା ଥାନା କର୍ମଚାରୀ ଏବଂ ବସଷ୍ଟାଣ୍ଡ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି।

Comments are closed.