ମାନକୁଣ୍ଡାରୁ ଉଦ୍ଧାର ଅସୁସ୍ଥ ଦନ୍ତା ମୃତ

ନାକଟିଦେଉଳ: ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସାହେବୀ ଫରେଷ୍ଟବିଟ୍‌ର ମାନକୁଣ୍ଡା ଗ୍ରାମ ନିକଟସ୍ଥ ମୁଣ୍ଡାକଟା ନିକଟରୁ ଏକ ଅସୁସ୍ଥ ଦନ୍ତା ହାତୀ ଉଦ୍ଧାର ହେବାର ପ୍ରାୟ ୫ଘଣ୍ଟା ପରେ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ରବିବାର ସକାଳୁ ମାନକୁଣ୍ଡା ନିକଟସ୍ଥ ମୁଣ୍ଡାସାହି କଟା ନିକଟରେ ଶୁଖିଲା ଧାନ କ୍ଷେତରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିବା ସମୟରେ କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବରପାଇ ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରା, ବନପାଳ ସଞ୍ଜୟ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ହାତୀଟି ଦୀର୍ଘ ସମୟ ଧରି ସେହି ସ୍ଥାନର ଏକ ପାଳ ଗଦାରେ ପଡ଼ି ରହିଥିବାବେଳେ ବନବିଭାଗ ପକ୍ଷରୁ କେତୋଟି ପାଚିଲା କଦଳୀ କାନ୍ଧି ଖାଇବାକୁ ଦିଆଯାଇଥିଲା। ଏହାପରେ ହାତୀଟି ସେଠାରୁ ଉଠି କିଛି ବାଟ ଚାଲି ପୁଣି ତଳେ ପଡ଼ିଯାଇଥିଲା। ବନବିଭାଗ ପକ୍ଷରୁ ସୂଚନା ପାଇବାପରେ ପ୍ରାଣୀଧନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଇଞ୍ଜେକ୍‌ସନ ଏବଂ ସାଲାଇନ ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ତେବେ ଏହାର ପ୍ରାୟ ୨ଘଣ୍ଟା ପରେ ହାତୀଟିର ମୃତ୍ୟୁ ଘଟିଥିଲା।

ମୃତ ଦନ୍ତାର ବୟସ ଆନୁମାନିକ ୪୫ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ଦନ୍ତାର ମୃତ୍ୟୁ ପରେ ନାକଟିଦେଉଳ ଏବଂ ରେଢାଖୋଲ ପ୍ରାଣୀଧନ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯାଇ ଏକ ଜେସିବି ମେସିନ ସାହାଯ୍ୟରେ ଗାତ ଖୋଳି ମୃତଦେହକୁ ପୋତି ଦିଆଯାଇଛି। ଏଥିସହିତ ହାତୀର ୨ଟି ଦାନ୍ତକୁ ଜବତକରି ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି। ମୃତ ଦନ୍ତାର ଜିଭ ଏବଂ ପାଟିରେ ଘାଆ ହୋଇଯାଇଥିବାରୁ ହାରପିସ୍‌ ରୋଗରୁ ହାତୀର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ଏବଂ ବ୍ୟବଚ୍ଛେଦ ପରେ ମୃତ ହାତୀର ବିଭିନ୍ନ ଅଂଶ ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକ କହିଛନ୍ତି। ଦନ୍ତାର ମୃତ୍ୟୁ ଖବର ପାଇବାପରେ ରେଢାଖୋଲ ଏସିଏଫ୍‌ ଦେବୀପ୍ରସାଦ ରାଉତ, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା, ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁଶାନ୍ତ ବନ୍ଧ ଏବଂ ବନପାଳ ସୁଜିତ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅପରପ​‌େ​‌କ୍ଷ ଏହି ଦନ୍ତା ହାତୀଟି ଗତ କିଛିଦିନ ହେବ ଅଞ୍ଚଳରେ ଉତ୍ପାତ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ଗତରାତିରେ ମଧ୍ୟ ହାତୀଟି ଆଖପାଖ ଅଞ୍ଚଳରେ ବୁଲୁଥିବାବେଳେ ହାତୀ ସ୍କ୍ୱାର୍ଡ଼ କର୍ମଚାରୀ ଏହା ଉପରେ ନଜର ରଖିଥିଲେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.