ତିରିଶ ବର୍ଷ ପରେ କାଟିଲେ ନଖ

ହଷ୍ଟନ୍‌: ଦୀର୍ଘ ତିନି ଦଶନ୍ଧି ପରେ ନିଜ ହାତ ନଖ କାଟିଛନ୍ତି ଆମେରିକାର ହଷ୍ଟନ ନିବାସୀ ଆୟାନ୍ନା ୱିଲିୟମ୍ସ। ୧୯୯୦ ଦଶକରୁ ସେ ହାତ ନଖ ବଢ଼ାଇ ଆସିଥିଲେ। ସବୁଠୁ ବଡ଼ ନଖ ପାଇଁ ତାଙ୍କ ନାମ ୨୦୧୭ରେ ଚର୍ଚ୍ଚାକୁ ଆସିଥିଲା ଏବଂ ୨୦୧୮ରେ ସେ ବିଶ୍ବର ସବୁଠୁ ବଡ଼ ନଖ ରଖିଥିବା ମହିଳା ଭାବେ ଗିନିସ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିଲେ। ତାଙ୍କ ଦୁଇ ହାତ ଆଙ୍ଗୁଠିରେ ଥିବା ନଖର ଲମ୍ବ ସେତେବେଳେ ଥିଲା ୧୮ଫୁଟ ୧୦.୯ଇଞ୍ଚ ବା ୫୭୬.୪ ସେଣ୍ଟିମିଟର।

ନିକଟରେ ଆୟାନ୍ନା ଏହି ଦୀର୍ଘ ନଖକୁ କଟାଇଛନ୍ତି। ଆଲିସନ୍‌ ରିଡିଙ୍ଗର ନାମକ ଟେକ୍ସାସ୍‌ର ଜଣେ ଡାକ୍ତର ବୈଦ୍ୟୁତିକ କଟର ସହାୟତାରେ ଆୟନ୍ନାଙ୍କ ନଖ କାଟିଛନ୍ତି। ନଖ କାଟିଲାବେଳକୁ ଏହର ଲମ୍ବ ଥିଲା ୨୪ଫୁଟ ୭ ଇଞ୍ଚ ବା ୭୩୩.୫୫ ସେଣ୍ଟିମିଟର। ୧୯୯୦ ପରଠାରୁ ଆୟାନ୍ନାଙ୍କ ନଖ ପ୍ରଥମ ଥର କଟାଯାଇଛି। ଆୟାନ୍ନା ନଖକୁ ‘ଗୁଡ୍‌ ବାୟ’ କହି ଆବେଗିକ ବିଦାୟ ଜଣାଇଛନ୍ତି। ଆୟାନ୍ନା ନଖ ସଜାଇବାକୁ ୨୦ଘଣ୍ଟା ନେଇଥାଆନ୍ତି। ଏଥିପାଇଁ ଦୁଇ ବୋତଲ ନଖପଲିସ୍‌ ଆବଶ୍ୟକ ହୋଇଥାଏ। ନଖ ପାଇଁ ସେ ଯେତେ ପ୍ରଶଂସା ପାଇଲେ ବି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କହନ୍ତି।

Comments are closed.