ଶିଶୁଙ୍କୁ ନେଲ୍‍ପଲିସ୍‍ ଲଗାଉଥିଲେ ସାବଧାନ!

ସାଧାରଣତଃ ଘରେ ଛୋଟ ପିଲାଙ୍କୁ ସଜାଇବା ବେଳେ ଆମେ ତାଙ୍କୁ ନେଲ୍‍ପଲିସ୍‍ ଲଗାଇଦେଉ। କେତେକ ସମୟରେ ସେମାନେ ଜିଦ୍‍ ଧରି ନିଜେ ନିଜେ ନେଇ ଆସି ନେଲ୍‍ପଲିସ୍‍ ନିଜ ନଖରେ ଓ ଦେହରେ ଲଗାଇ ଦିଅନ୍ତି। କିନ୍ତୁ ଏହା ହୁଏତ ଆପଣ ଜାଣି ନ ଥିବେ ଯେ ଆପଣ ଲଗାଉଥିବା ନେଲ୍‍ପଲିସ୍‍ ଶିଶୁଙ୍କ ପାଇଁ ବିପଦ ଆଣିପାରେ। ତେଣୁ ଶିଶୁଙ୍କୁ ନେଲ୍‍ପଲିସ୍‍ ଲଗାଉଥିଲେ ସାବଧାନ ହୋଇଯାଆନ୍ତୁ।

ନେଲପଲିସରେ ଟଲ୍ୟୁଇନ, ଫର୍ମାଲଡ଼ିହାଇଡ଼ ଓ ଡାୟବ୍ୟୁଟଲ ଭଳି କେମିକାଲ ମିଶିଥାଏ। ଏହି କେମିକାଲ ନେଲପଲିସକୁ ନଖରେ ଲାଗି ରହିବାରେ ସାହାଯ୍ୟ କରେ। ପିଲାମାନଙ୍କ ପାଟିରେ ବାରମ୍ବାର ହାତ ପୁରାଇବା ଅଭ୍ୟାସ ରହିଥାଏ। ତେଣୁ ନଖରେ ଲାଗିଥିବା ନେଲପଲିସ ପିଲାଙ୍କ ପାଟି ଓ ପେଟକୁ ଗଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ପିଲାମାନଙ୍କର ସ୍ନାୟୁ ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ବୋଲି ଜଣାପଡ଼ିଛି। ଏହାସହ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ।

ନେଲପଲିସରେ ପଥାଲେଟସ୍ ନାମକ ଏକ କେମିକାଲ ମିଶାଥାଏ, ଯାହାର ସଂସ୍ପର୍ଶରେ ଆସିଲେ ନାକ, ଗଳା, ଆଖିରେ ସଂକ୍ରମଣର ଆଶଙ୍କା ରହିଥାଏ। ତେଣୁ ଏହିଭଳି କେମିକାଲ ବ୍ୟବହାର ହେଉଥିବା ନେଲପଲିସ ବ୍ୟବହାର କରିବା ଉଚିତ ନୁହେଁ।ଏହାସହ ପିଲାଙ୍କଠାରୁ ନେଲପଲିସ ଦୂରେଇ ରଖିବା ଉଚିତ୍। ତେବେ ବଜାରରେ ମିଳୁଥିବା କେମିକାଲ ନଥିବା ଜଳ ଆଧାରିତ, ଅର୍ଗାନିକ ଓ ନନଷ୍ଟିକି କିମ୍ବା ଶିଶୁଙ୍କ ପାଇଁ ଉପଲବ୍ଧ ନେଲ୍‍ପଲିସ୍‍ ଲଗାଇପାରିବେ।

Comments are closed.