ଅଣ ବିଜେପି ସରକାର ଗଠନ ପାଇଁ ପ୍ରୟାସ : ସୋନିଆଙ୍କୁ ଭେଟିଲେ ନାଇଡୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବାବେଳେ ସରକାର ଗଠନ ଲାଗି ଅଙ୍କକଷା ଆରମ୍ଭ ହୋଇଛି। ଏହି କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ରବିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ନାଇଡୁ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା କରିଛନ୍ତି। କେନ୍ଦ୍ରରେ ଅଣ ବିଜେପି ସରକାର ଗଠନ ଲାଗି ଆବଶ୍ୟକ ସମର୍ଥନ ଯୋଗାଡ କରିବାକୁ ନାଇଡୁ ତାଙ୍କର ଯୋଜନା ଚଳାଇଛନ୍ତି। ଏଥିପାଇଁ ନାଇଡୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଡେରା ପକାଇଛନ୍ତି। ଶନିବାର ନାଇଡୁ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟି ଅଣ ବିଜେପି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ନାଇଡୁ ଶନିବାର ରାହୁଲଙ୍କ ସହିତ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଏନସିପି ମୁଖ୍ୟ ଶରଦ ପୱାର, ଲୋକତାନ୍ତ୍ରିକ ଜନତା ଦଳ ମୁଖ୍ୟ ଶରଦ ଯାଦବ ଓ ସିପିଆଇ ନେତାମାନଙ୍କୁ ଭେଟିଥିଲେ। ସିପିଆଇର ନେତାମାନଙ୍କ ମଧ୍ୟରେ ଜି ସୁଧାକର ରେଡ୍ଡି ଓ ଡି ରାଜାଙ୍କୁ ନାଇଡୁ ଭେଟିଥିଲେ। ବିରୋଧୀ ଦଳ ନେତାଙ୍କ ସହିତ ତାଙ୍କର ଆଲୋଚନା ସମ୍ପର୍କରେ ନାଇଡୁ ଗଣମାଧ୍ୟମକୁ କିଛି ସୂଚନା ଦେଇ ନଥିଲେ। ତେବେ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାଇଡୁ ସମସ୍ତ ବିରୋଧୀ ଦଳଗୁଡିକୁ ନେଇ ଅଣବିଜେପି ସରକାର ଗଠନର ଯୋଜନା ଚଳାଇଛନ୍ତି। ଏନଡିଏ ଯଦି ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହୁଏ ତେବେ ସମସ୍ତ ବିରୋଧୀ ଦଳ ମିଶି ସରକାର ଗଠନ ପାଇଁ ଦାବି କରିବେ। ଶୁକ୍ରବାର ନାଇଡୁ କହିଥିଲେ ଯେ ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ଲାଗି ସମସ୍ତ ବିରୋଧୀଙ୍କୁ ଏକଜୁଟ୍ କରାଯିବ। ଏପରି କି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ସହିତ ଆଲୋଚନା କରାଯିବ। ​‌େ​‌ମ ୨୩ରେ ନିର୍ବାଚନ ଫଳ ପ୍ରକାଶ ପରେ ମହାମେଣ୍ଟ ଗଠନର ପରିକଳ୍ପନା କରାଯିବ ଓ ଏଥିରେ ସମସ୍ତଙ୍କୁ ସାମିଲ ହେବା ଲାଗି ଆହ୍ବାନ ଦିଆଯିବ। ଏହା ପୂର୍ବରୁ ନାଇଡୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଆପ୍ ଆବାହକ ଅରବିନ୍ଦ କେଜରିୱାଲଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ଶନିବାର ରାହୁଲଙ୍କୁ ନାଇଡୁ ସାକ୍ଷାତ କରି ଯିବା ପରେ କଂଗ୍ରେସର ବରିଷ୍ଠ ନେତାମାନେ ଏକଜୁଟ୍ ହୋଇ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ଏହି ଆଲୋଚନାରେ ସାମିଲ ହୋଇଥିଲେ।

Comments are closed.