ବିପଜ୍ଜନକ ସ୍ଥିତିରେ ନହରକଣ୍ଟା-କାଚରାମାଳ ରାସ୍ତା: ଉଠି ଗଲାଣି ପିଚୁ, ଖାଲଖମାରେ ଭର୍ତ୍ତି

ଅବସ୍ଥା ସୁଧାରିବାକୁୁ ପୂର୍ତ୍ତ ବିଭାଗକୁ ଚିଠି

ଭୁବନେଶ୍ବର: ରାସ୍ତାରୁ ପିଚୁ ଉଠି ଗଲାଣି। ଗୋଡ଼ି ବାହାରି ଏଣେତେଣେ ପଡ଼ିଛି। ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଖାଲଖମା। ପିଚୁ ନ ଥିବାରୁ ମାଟି ରାସ୍ତା ପରି ଦେଖାଯାଉଛି। ଅଧିକାଂଶ ସମୟରେ ଚାଳକ ଭାରସାମ୍ୟ ହରାଇବାରୁ ଯାନ ବନ୍ଧ ତଳକୁ ଖସି ପଡୁଛି। ଦୁର୍ଘଟଣାରେ ଧନଜୀବନ ଯାଉଛି। ନହରକଣ୍ଟାରୁ କାଚରାମାଳ ପର୍ୟ୍ୟନ୍ତ କୁଆଖାଇ ନନ୍ଦୀବନ୍ଧର ଏକମାତ୍ର ରାସ୍ତା ଏବେ ବିପଜ୍ଜନକ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦା ରାସ୍ତା ମରାମତି ପାଇଁ ଦାବିକରି ଆସୁଥିଲେ ମଧ୍ୟ‌ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ତେବେ ବହୁ ବିଳମ୍ବରେ ଉକ୍ତ ରାସ୍ତାର ବିକାଶ କାର୍ୟ୍ୟ ପାଇଁ ଜଳ ସମ୍ପଦ ବିଭାଗ ଅଣ୍ଟା ଭିଡ଼ିଛି।
ଏହି ରାସ୍ତାରେ ପାଞ୍ଚଖଣ୍ଡର ଗାଁ ଲୋକେ ନିର୍ଭର କରନ୍ତି। ବନ୍ୟା ଆଦି ପ୍ରାକୃତିକ ବିପତ୍ତି ସମୟରେ ଏହା ଲୋକଙ୍କ ସାହା ଭରସା। ରାତି ପାହିଲେ ନହରକଣ୍ଟା, ହରିଦାସପରୁ, ନୂଆପାଟଣା, ବଙ୍ଗୁଆରି, କାଚରାମାଳ ବାସିନ୍ଦା‌ ଯା’ଆସ କରିଥାନ୍ତି। ଶହ ଶହ ଛାତ୍ରଛାତ୍ରୀ ବ୍ୟବସାୟୀ, ସରକାରୀ ଓ ଘରୋଇ କର୍ମଚାରୀ କର୍ମକ୍ଷେତ୍ରକୁ ଯାଇଥାନ୍ତି। ସହରକୁ ଆସିବାରେ ଏହା ପ୍ରମୁଖ ରାସ୍ତା, କିନ୍ତୁ ପିଚୁ ଛାଡ଼ି ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ମରାମତି ହେଉନାହିଁ। ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହୁଥିବାରୁ ଯାତାୟାତରେ ଘୋର ସମସ୍ୟା ହେଉଥିବା ଅଭିଯୋଗ ହୋଇଛି।

ଉକ୍ତ ରାସ୍ତା ମରାମତି ପାଇଁ ଉଦ୍ୟମ ଆରମ୍ଭ‌ ହୋଇଛି। କୁଆଖାଇ ନଦୀପଠାର ନହରକଣ୍ଟାରୁ କାଚରାମାଳ ପର୍ୟ୍ୟନ୍ତ ପ୍ରାୟ ୬ କିମି ରାସ୍ତାର ବିକାଶ ଏବଂ ପରିଚାଳନା ଦାୟିତ୍ବ ପୂର୍ତ୍ତ ବିଭାଗକୁ ଦିଆଯାଇଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପୂର୍ତ୍ତ ଲେଖାଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଉକ୍ତ ରାସ୍ତାର ବିକାଶ କାର୍ୟ୍ୟ ହେବ ବୋଲି ଜଳ ସମ୍ପଦ ବିଭାଗ କହିଛି। ତେବେ ପୂର୍ବପରି ଏହି ରାସ୍ତା ଜଳ ସମ୍ପଦ ବିଭାଗ ମାଲିକାନାରେ ରହିବ। ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ଅନୁମତି ନେଇ ପୂର୍ତ୍ତବିଭାଗ ବିକାଶ ଏବଂ ପରିଚାଳନା କାର୍ୟ୍ୟ କରିବ। ଉକ୍ତ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ନିମନ୍ତେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ କ୍ଷମତା ପ୍ରଦାନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
ସ୍ଥାନୀୟ ବାସିନ୍ଦା ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି, ରାସ୍ତାରୁ ପିଚୁ ଛାଡ଼ିବା ସହିତ ନନ୍ଦୀବନ୍ଧ ବିପଦସଙ୍କୁଳ ଅବସ୍ଥାରେ ଥିବା ନେଇ ଜଳ ସମ୍ପଦ ବିଭାଗକୁ ଗ୍ରାମବାସୀ ବହୁବାର ଜଣାଇଛନ୍ତି। ରାତି‌େ‌ର ଷ୍ଟ୍ରିଟ୍‌ ଲାଇଟ ଭଲଭାବେ ଜଳୁ ନ ଥିବାରୁ ଖାଲଖମାରେ ଯାନ ପଡ଼ିବା ଦ୍ବାରା ବହୁ ସମୟରେ ଦୁର୍ଘଟଣା ଘଟୁଛି। ମରାମତି ନିମନ୍ତେ ଦାବି ହୋଇଆସୁଥିଲେ ବି ଅର୍ଥାଭାବ ଦର୍ଶାଇ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ପୂର୍ତ୍ତ ବିଭାଗ ବିକାଶ କାର୍ୟ୍ୟ ହାତକୁ ନେଇଥିବାରୁ ଏହାକୁ ସ୍ବାଗତ କରାଯାଇଛି।

Comments are closed.