ନାଗ ଚତୁର୍ଥୀ ପାଳିତ 

ସମ୍ବଲପୁର : ପୁରାତନ ପୂଜାପାଠ, ସଂସ୍କୃତି ଓ ପରମ୍ପରାଗୁଡିକ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଧିରେ ଧିରେ ଲୋପ ପାଇ ବସୁଥିବା ବେଳେ ନାଗ ଚତୁର୍ଥୀ (ନାଗେନ ଚଉଠୀ) ଭଳି ପୁରାତନ ପୁଜା ପରମ୍ପରାକୁ ଏବେ ମଧ୍ୟ ସମ୍ବଲପୁର ସହରର ମହାନ୍ତିପଡା ନିବାସୀ ବଞ୍ଚାଇ ରଖିଛନ୍ତ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପୁଜା ଅବସରରେ ମାନସିକ ରଖିଥିବା ଓ ମାନସିକ ପୂର୍ଣ୍ଣ ହୋଇଥିବା କୁମାରୀ ଝିଅମାନଙ୍କ ସହ ବିବାହିତ ମହିଳାମାନେ ନିର୍ଜଳ ଉପବାସ ରହି ନାଗ ଚତୁର୍ଥୀ ପୁଜା କରିବା ପରେ ତା ପରଦିନ ଉପବାସ ଭାଙ୍ଗିଥାନ୍ତି। ମହାନ୍ତିପଡା ସ୍ଥିତ ଦଧିବାମନ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ବୁଧବାର ଦିନ ନାଗ ଚତୁର୍ଥୀ ତିଥିରେ ପଡାର ଝିଅ ବୋହୁମାନେ ଧଳା ରାଶିରେ ନାଗୁଣୀ ଏବଂ କଳା ରାଶିରେ ନିର୍ମିତ ନାଗଙ୍କୁ ଶାଳପତ୍ରରେ ରଖି ଫଳଫୁଲ ଦେଇ ପାରମ୍ପରିକ ରିତିନିତି ଅନୁଯାୟୀ ପୁଜାର୍ଚ୍ଚନା କରିଥିଲେ। ଏହା ସହିତ ତମ୍ବାର ନାଗ ଓ ନାଗୁଣିଙ୍କୁ ମଧ୍ୟ ସ୍ଥାପନା କରାଯାଇ ଫୁଲ, ଫଳ ଦେଇ କ୍ଷୀର ଅଭିଷେକ କରାଯାଇଥିଲା। ପୁଜା ଦିନ ୧୨ଟାରେ ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମେ ଏହି ପୁଜା ପ୍ରାୟ ସମସ୍ତ ଘରମାନଙ୍କରେ ହେଉଥିବାବେଳେ ପାଖାପାଖି ୪୦ ବର୍ଷ ହେବ ଏହା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଆସୁଛି। କିନ୍ତୁ ଚଳିତ ବର୍ଷ କୋଭିଡ–୧୯ କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଏହାକୁ ଦଧିବାମନ କଲ୍ୟାଣ ମଣ୍ଡପର ପ୍ରାଙ୍ଗଣରେ ଆୟୋଜିତ କରାଯାଇଥିଲା। ଏହି ପୁଜା ସମୟରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ଜ୍ୟୋତି ମଞ୍ଜରୀ ପଟ୍ଟନାୟକ, ନିକି ପଟ୍ଟନାୟକ, ପ୍ରଭାତି ବଢ଼ାଇ, ପାର୍ବତୀ ପ୍ରଧାନ, ବନ୍ଦିତା ସ୍ୱାଇଁ, ଲବଲି ବହିଦାର, ପିଙ୍କି ପଟ୍ଟନାୟକ, ପଦ୍ମା ପ୍ରଧାନ, ରିୟା ମହାନ୍ତି, ଲବଲି ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନେକ ଝିଅ ଓ ମହିଳା ଉପସ୍ଥିତ ରହିଥିଲେ।

Comments are closed.