ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : କିଛି ଜଣା ଅଜଣା କଥା 

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ଏକ ପ୍ରତିଛବି ବୋଲି ଜଣାଯାଏ । ଶ୍ରୀକ୍ଷେତ୍ରରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ୟ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀ ରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣାସଂକ୍ରାନ୍ତି ଦିନ ନାଗା ବେଶୀରେ ସଜେଇ ଦିଆଯାଏ ।

ଶ୍ରୀକ୍ଷେତ୍ରରେ ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହୋଇଛି ବୋଲି ଅନୁମାନ କରାଯାଉଛି ।
ନାଗା ସନ୍ନ୍ୟାସୀ ମାନେ ନଙ୍ଗା ବା ଉଲଗ୍ନ , ଉଦଣ୍ଡତା ଓ ବୀରତା ପାଇଁ ପ୍ରସିଦ୍ଧ । ଅତୀତରେ ଏମାନେ ମନ୍ଦିର ର ସୁରକ୍ଷା ଦାୟିତ୍ୱରେ ଥିଲେ। ଏହି ସ୍ମୃତିରେ ଜଗନ୍ନାଥଙ୍କୁ ନାଗାର୍ଜୁନ ବେଶ କରାଯାଏ । ଅତୀତରେ ନାଗା ସନ୍ନ୍ୟାସୀ ଜଗନ୍ନାଥଙ୍କୁ ନାଗା ବେଶରେ ଦେଖିବା ପାଇଁ ଇଛା କରିଥିଲେ। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଇଛା ପୂରଣ କରି ନାଗାର୍ଜୁନ ବେଶରେ ଉଭା ହୋଇଥିଲେ।
ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ, ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ ।
ପୌରାଣିକ ତଥ୍ୟ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୁଏ । ଏହି ବେଶ ଅତ୍ୟନ୍ତ ପୁରୁଣା ନ ହେଲେ ମଧ୍ୟ ପୁରୀ ସାହି ଯାତ୍ରାରେ ବାହାରୁଥିବା ନାଗା ସଂସ୍କୃତିର ଅନୁକରଣରେ କୌଣସି ଭକ୍ତଙ୍କ ଆଗ୍ରହରେ ଏହି ବେଶ ସୃଷ୍ଟି ହୋଇଥିବା କେତେକ କୁହନ୍ତି।
ଏହି ବେଶରେ ଠାକୁରମାନେ ମୁଖ୍ୟତଃ ସୋଲ, କନା ଜରି, ବେତରେ ନିର୍ମିତ ହାଣ୍ଡିଆ, ଢେଣୁ, ନିଶ, ଦାଢି, ଛୁରୀ, କଟାରୀ, ବାଘଛାଲ, ସ୍ବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, ବାଘନଖ ମାଳି, ଶଙ୍ଖ, ଚକ୍ର ଓ ହଳ ମୂଷଳ ଇତ୍ୟାଦି ଧାରଣ କରିଥାନ୍ତି।
ପଦ୍ମ ପୁରାଣର ଉତ୍ତରଖଣ୍ଡ ବର୍ଣ୍ଣନା ଅନୁସାରେ କାର୍ତ୍ତିକ ମାସ ହିଁ ଭଗବତ ଆରାଧନା, ଉପାସନା ପ୍ରଭୃତି ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ମାସ ରୂପରେ ପରିଗଣିତ ହୋଇଆସୁଅଛି। ଆଶ୍ବିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶେଷ ନୀତି ସହ ଆଶ୍ବିନ ଶୁକ୍ଳ ଏକାଦଶୀରୁ କାର୍ତ୍ତିକ ଶୁକ୍ଳ ଦଶମୀ ଯାଏଁ ରାଧା ଦାମୋଦର ବେଶରେ ପ୍ରଭୁ ଶୋଭା ପାଇଥାନ୍ତି କିନ୍ତୁ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣିମା ଯାଏଁ ବିଭିନ୍ନ ବେଶରେ ଜୀଉ ମାନଙ୍କୁ ଭକ୍ତ ମାନେ ଲକ୍ଷ୍ମୀନାରାୟଣ, ବାଙ୍କଚୁଡା, ତ୍ରିବିକ୍ରମ, ଡାଳିକିଆ, ରାଜବେଶ(ସୁନାବେଶ)ରେ ଦର୍ଶନ କରିଥାନ୍ତି ।
୨୬.୧୧.୧୯୬୬ ମଳ ତ୍ରୟୋଦଶୀ ତିଥିରେ ଠାକୁରଙ୍କ ନାଗାର୍ଜୁନ ବେଶ ପରେ କ୍ରମାଗତ ୧୬.୧୧.୧୯୬୭ ମଳ ଚତୁର୍ଦ୍ଦଶୀ ଓ ୦୩.୧୧.୧୯୬୮ ମଳ ତ୍ରୟୋଦଶୀ ତିଥିରେ ନାଗାର୍ଜୁନ ବେଶ ହୋଇଥିଲେ। ଏହାର ୨୭ ବର୍ଷପରେ ୨୬.୧୧.୧୯୯୩ ମଳ ଦ୍ବାଦଶୀ ତିଥିରେ ଓ ୧୬.୧୧.୧୯୯୪ ମଳ ତ୍ରୟୋଦଶୀ ତିଥିରେ ଠାକୁର ଏହି ବେଶ ହୋଇଥିଲେ ।
ପରନ୍ତୁ ଚଳିତବର୍ଷ ୨୭.୧୧.୨୦୨୦ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ।

ଏହି ବେଶ ଯୋଦ୍ଧା ଓ ସନ୍ନ୍ୟାସୀର ସମ୍ମିଶ୍ରଣ ବେଶ ଥଲା। ଅର୍ଜୁନ ନିଜ ପୁତ୍ର ସହସ୍ରାର୍ଜୁନ ଦ୍ବାରା ପରାସ୍ତ ହୋଇଥିଲେ । ସହସ୍ରାର୍ଜୁନ ହେଉଛନ୍ତି ସ୍ବୟଂ ଶ୍ରୀକୃଷ୍ଣ। ମହାଭାରତ ଅନୁଯାୟୀ ଅର୍ଜୁନ ବନବାସ ସମୟରେ କିରାତ ବେଶଧାରୀ ଶିବଙ୍କ ସହ ଯୁଦ୍ଧ ହେଲା, ଅର୍ଜୁନ ପରାସ୍ତ ହେଲେ ମଧ୍ୟ ଶିବ ବହୁତ ଦିବ୍ୟ ଅସ୍ତ୍ର ପ୍ରଦାନ କଲେ। କିରାତ ଅର୍ଜୁନ କହିଲେ ଯେପରି ଶିବଙ୍କୁ ବୁଝାଏ, ସେହିପରି ନାଗାର୍ଜୁନ କହିଲେ ବିଷ୍ଣୁଙ୍କ ଏକ ବିଶେଷ ରୂପ  ଶିବ ଓ ବିଷ୍ଣୁଙ୍କର ସମନ୍ବୟ ସାଧିତର ପ୍ରତୀକ ହେଲା ନାଗାର୍ଜୁନ ବେଶ ।

Comments are closed.