୨୫ ବର୍ଷ ପରେ ପଡୁଛି ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ

ପ୍ରଶାସନ ପାଇଁ ହେବ ଏକ ବଡ ଚ୍ୟାଲେଞ୍ଜ

ଭୁବନେଶ୍ୱର: ଦୀର୍ଘ ୨୫ବର୍ଷ ପରେ ଚଳିତ ବର୍ଷ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆସନ୍ତା ନଭେମ୍ବର ୨୭ ଶୁକ୍ରବାରରେ ଏହି ଦୁର୍ଲ୍ଳଭ ବେଶ ଅନୁଷ୍ଠିତ ହେବ ବୋଲି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ପ୍ରମୁଖ ଗଣନାକାର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି। କାର୍ତ୍ତିକ ମାସ ପଞ୍ଚୁକରେ ମଳ ତିଥି ପଡି ପଞ୍ଚୁକ ୫ଦିନ ପରିବର୍ତ୍ତେ ୬ ଦିନ ହେଲେ ଅତିରିକ୍ତ ଦିନରେ ମହାପ୍ରଭଙ୍କୁୁ ରତ୍ନସିଂହାସନ ଉପରେ ନାଗାର୍ଜ୍ଜୁନ ବେଶ କରାଯାଇଥାଏ ବୋଲି ସେ କହିଛନ୍ତି। ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ବର୍ଷ ବର୍ଷ ଧରି ଭକ୍ତମାନେ ଚାହିଁଁ ରହିଛନ୍ତି ସେହିି ଅପୂର୍ବ ମୁହୂର୍ତ୍ତକୁ। ନାଗାର୍ଜ୍ଜୁନ ବେଶରେ ଦର୍ଶନ କରିବେ ମହାପ୍ରଭୁଙ୍କୁ।

ନାଗାର୍ଜ୍ଜୁନ ବେଶକୁ ପର୍ଶୁରାମ ବେଶ ବୋଲି କୁହାଯାଉଥିବା ବେଳେ ଏହି ବେଶରେ ମହାପ୍ରଭୁ ବିରଳ ନାଗା ବେଶରେ ଦର୍ଶନ ଦେବେ। ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହସ୍ରାର୍ଜ୍ଜୁନକୁ ବଧ କରିଥିବାର ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ କାହିଁ କେଉଁ ପୂରାତନ କାଳରୁ ଶ୍ରୀମନ୍ଦିରରେ ଏହି ବେଶ ଅନୁଷ୍ଠିତ ହୋଇଆସୁଛି। ତାଛଡ଼ା ନାଗା ସାଧୁମାନେ ଏହି ବେଶରେ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଇ ଆସିଥିଲେ ବୋଲି ଜନଶ୍ରୁତି ରହିଛି। ଉଭୟ ବଳଭଦ୍ର ଓ ଜଗନ୍ନାଥ ନାଗାବେଶରେ ସଜ୍ଜିତ ହୋଇ ଏବଂ ଦେବୀ ସୁଭଦ୍ରା ସାଧାରଣ ବେଶରେ ଅଗଣିତ ଭକ୍ତଙ୍କୁ ରତ୍ନସିଂହାସନ ଉପରେ ଦର୍ଶନ ଦେବେ। ଏହି ବୀର ବେଶରେ ମହାପ୍ରଭୁ ନାଗାତାଟି, ଧନୁଶର, ଢେଣୁ, ହାଣ୍ଡିଆ, ତୁଣୀର, ଏରାପକ୍ଷୀର ପର ଓ ଅଣ୍ଟାରେ ଛୁରୀ ଆଦି ଧାରଣ କରିଥାନ୍ତି। ଏହି ବେଶ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ। ବେଶ ଥାଇ ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ସର୍ବସାଧାରଣ ଭକ୍ତମାନେ ଶ୍ରୀଜୀଉଙ୍କର ଏହି ଆକର୍ଷଣୀୟ ନାଗାର୍ଜ୍ଜୁନ ବେଶ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ୧୯୯୪ ନଭେମ୍ବର ୧୬ରେ ଶେଷ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ୧୯୯୬ ନଭେମ୍ବର ୨୬ରେ ହୋଇଥିବା ନାଗାର୍ଜ୍ଜୁନ ବେଶରେ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଦଳା ଚକଟା ହୋଇ ୬ ଜଣ ଭକ୍ତ ପ୍ରାଣ ହରାଇଥିଲେ। ୧୯୨୬, ୧୯୬୬, ୧୯୬୭, ୧୯୮୩ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।

ତେବେ ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ପୁରୀରେ ପ୍ରାୟ ୪୦ରୁ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି। ପାଞ୍ଚଟି ରଥଯାତ୍ରାରେ ଯେତିକି ଲୋକଙ୍କ ସମାଗମ ହୋଇଥାଏ କେବଳ ନାଗାର୍ଜ୍ଜୁନ ବେଶରେ ସେତିକି ଲୋକଙ୍କ ସମାଗମ ହୋଇଥାଏ ବୋଲି ଜଗନ୍ନାଥଙ୍କ ରଥର ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ପ୍ରକାଶ କରିବା ସହିତ ସମ୍ଭାବ୍ୟ ଅଘଟଣକୁ ଏଡାଇବା ପାଇଁ ସରକାର ତଥା ଶ୍ରୀମନ୍ଦିର ଓ ଜିଲା ପ୍ରଶାସନ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.