ନାଗାର୍ଜୁନ ବେଶର ଚନ୍ଦ୍ର-ସୂର୍ଯ୍ୟ ଗାଏବ

ପୁରୀ : ଶ୍ରୀମନ୍ଦିର ଗାରଦଘରୁ ଗାଏବ ହୋଇଯାଇଛି ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶରେ ବ୍ୟବହୃତ ଚନ୍ଦ୍ରସୂର୍ଯ୍ୟ। ଜନୈକ ଚତୁର୍ଥଶ୍ରେଣୀ କର୍ମଚାରୀ ଶନିବାର ଜଣେ ପ୍ରଭାବଶାଳୀ ସେବକଙ୍କ ଘରକୁ ନେଉଥିବା ବେଳେ ଧରାପଡିଛନ୍ତି। ମନ୍ଦିର କମାଣ୍ଡର ସୁଧାଂଶୁବାବୁ ଏହି ବେଶ ସାମଗ୍ରୀ ରାମବାବୁଙ୍କୁ ଦେବାପାଇଁ ପଠାଇଥିବା ସେ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସେବକ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନାଗାର୍ଜୁନ ବେଶ ସାମଗ୍ରୀ ଅବଢା ଯୋଜନାରେ ନିର୍ମାଣ ହେବାକୁଥିବା ଶ୍ରୀଜଗନ୍ନାଥ ସଂସ୍କୃତି ସଂଗ୍ରହାଳୟରେ ରଖାଯିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଥିଲା। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତାହାକୁ ଭିତ୍ତିକରି ଶୁକ୍ରବାର ଦାରୁବ୍ରହ୍ମଙ୍କ ନାଗାର୍ଜୁନ ବେଶ ଶେଷହେବା ପରେ ବେଶ ସାମଗ୍ରୀ ଗୁଡିକୁ ଖୋଲାଯାଇ ଗାରଦଘରେ ରଖାଯାଇଥିଲା। ଆଜି ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ‘ଚନ୍ଦ୍ରସୂର୍ଯ୍ୟ’ ନାମକ ବେଶ ଉପକରଣ ଶ୍ରୀମନ୍ଦିର ବାହାରକୁ ନେଉଥିବା ବେଳେ ସିଂହଦ୍ବାର ସମ୍ମୁଖରେ ଧରା ପଡିଛନ୍ତି। ତେଣୁ ନାଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିର ଗାରଦଘରେ ସୁରକ୍ଷିତ ନଥିବା ସ୍ପଷ୍ଟ ହୋଇଛି। ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ନାଗାର୍ଜୁନ ବେଶ ସାମଗ୍ରୀ ଯୋଗାଇଥିବା ଚକ୍ରକୋଟ ବଳରାମ ଖୁଣ୍ଟିଆ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏହାର ତୁରନ୍ତ ତଦନ୍ତ କରିବା ସହ ମନ୍ଦିର ବାହାରକୁ ଯାଇଥିବା ଚନ୍ଦ୍ରସୂର୍ଯ୍ୟ ଫେରାଇ ଆଣିବାକୁ ସେ ଦାବି କରିଛନ୍ତି। ପ୍ରଶାସନିକ କଟକଣା ଏବଂ ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତି ଉଲ୍ଲଙ୍ଘନ କରାଯାଇଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶନିବାର ଦିନତମାମ୍‌ ଏହି ଘଟଣାକୁ କେନ୍ଦ୍ରକରି ବାଦବିବାଦ ଲାଗି ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେବକ ରଜତ କୁମାର ପ୍ରତିହାରୀ ଏବଂ ସୋମନାଥ ଖୁଣ୍ଟିଆ ମତ ଦେଇଛନ୍ତି। ଶ୍ରୀମନ୍ଦିର ଗାରଦଘରେ ତାଲାପଡି ରହିଥିବା ଚନ୍ଦ୍ରସୂର୍ଯ୍ୟ କିପରି ଜଣେ ପ୍ରଭାବଶାଳୀ ସେବକଙ୍କ ଘରକୁ ପଠାଗଲା ସେଥିନେଇ ସାଧାରଣରେ ଘୋର ବିସ୍ମୟ ସୃଷ୍ଟି ​‌େହାଇଛି। ଏହି ଘଟଣାରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଚଳିତବର୍ଷ ନାଗାର୍ଜୁନ ବେଶ ସାମଗ୍ରୀ ଭକ୍ତଙ୍କ ଦେଖିବା ପାଇଁ ସଂଗ୍ରହାଳୟରେ ରଖିବାକୁ ସ୍ଥିର କରାଯାଇଥିବା ବେଳେ ତାହା କିପରି ବାହାରକୁ ଗଲା ତଦନ୍ତ କରାଯିବ। ନାଗାର୍ଜୁନ ବେଶପାଇଁ ଚକ୍ରକୋଟ ଖୁଣ୍ଟିଆ କେଉଁସବୁ ଉପକରଣ ପ୍ରଦାନ କରିଥିଲେ ଏବଂ ସେଥିରୁ କେଉଁସବୁ ବେଶ ସାମଗ୍ରୀ ମନ୍ଦିର ଗାରଦରେ ରହିଛି ତାହାର ତାଲିକା ଯାଞ୍ଚ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Comments are closed.