ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ ଘଟଣା, ଫେରିଲା ଚନ୍ଦ୍ରସୂର୍ଯ୍ୟ; ରଖିଲାନି ପ୍ରଶାସନ

କାର୍ଯ୍ୟାନୁଷ୍ଠାନ ଭୟରେ ଫେରାଇଲେ ସେବକ, ଅସଲି କି ନକଲି ସନ୍ଦେହରେ ମନ୍ଦିର ପ୍ରଶାସନ

ପୁରୀ,୪ା୧୨(ନି.ପ୍ର): ନାଗାର୍ଜୁନ ବେଶରେ ବ୍ୟବହୃତ ସାମଗ୍ରୀ ଗାଏବ ଘଟଣା ବିବାଦୀୟ ହୋଇଛି। କାର୍ଯ୍ୟାନୁଷ୍ଠାନ ଦାବି ଜୋର୍ ଧରିବା ପରେ ଶୁକ୍ରବାର ଜଣେ ସେବକ ‘ଚନ୍ଦ୍ରସୂର୍ଯ୍ୟ’ ଫେରାଇ ଦେଇଛନ୍ତି। ମନ୍ଦିର ପ୍ରଶାସନକୁ ହସ୍ତାନ୍ତର ନକରି ନାଗାର୍ଜୁନ ବେଶ ସାମଗ୍ରୀ ପ୍ରସ୍ତୁତ କରିଥିବା ସୋଲଶିଳ୍ପୀଙ୍କ ଘରେ ନେଇ ସେ ଦେଇଥିବା ଜଣାପଡିଛି। ଜଣେ ବ୍ୟକ୍ତି ଏକ ବ୍ୟାଗରେ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ନେଇ ଦିନ ପ୍ରାୟ ୯ଟା ବେଳେ ବସନ୍ତ କୁମାର ରଣାଙ୍କ ଘରେ ଦେଇଥିଲେ। ଚନ୍ଦ୍ରସୂର୍ଯ୍ୟ ଫେରାଇଥିବା ସେବକଙ୍କ ନାମ ପ୍ରଘଟ ନକରିବାକୁ ସେ ଅନୁରୋଧ କରିଥିଲେ। ଏହି ଘଟଣାକୁ ନେଇ ରାଜ୍ୟସାରା ହଇଚଇ ସୃଷ୍ଟି ହେବା ସହ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିବାରୁ ନିଜଘରେ ଚନ୍ଦ୍ରସୂର୍ଯ୍ୟ ରଖିବାକୁ ଶ୍ରୀ ରଣା ରାଜି ହୋଇ ନଥିଲେ। ଦିନ ପ୍ରାୟ ୧୨ଟା ବେଳେ ସେ ଚନ୍ଦ୍ରସୂର୍ଯ୍ୟ ସହ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ଯାଇ ନୀତି ପ୍ରଶାସକ ଜୀତେନ୍ଦ୍ର କୁମାର ସାହୁଙ୍କୁ ସାକ୍ଷାତ କରି ତାଙ୍କ ଟେବୁଲରେ ରଖିଥିଲେ। ଫେରିଥିବା ଚନ୍ଦ୍ରସୂର୍ଯ୍ୟ ଅସଲି କି ନକଲି ସେଥିନେଇ ଦ୍ବନ୍ଦ୍ବରେ ପଡିଥିଲା ମନ୍ଦିର ପ୍ରଶାସନ। ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏ ସମ୍ପର୍କରେ ଲିଖିତ ଭାବେ ପକ୍ଷ ରଖିବାକୁ ପ୍ରଶାସକ ଶ୍ରୀ ସାହୁ ସୋଲଶିଳ୍ପୀଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ରଣାଙ୍କଠାରୁ ମନ୍ଦିର ପ୍ରଶାସନ ଚନ୍ଦ୍ରସୂର୍ଯ୍ୟ ଗ୍ରହଣ କରିନାହିଁ।
ପ୍ରଶାସକ (ନୀତି) ଶ୍ରୀ ସାହୁଙ୍କ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବେଶ ସାମଗ୍ରୀ ଯୋଗାଇଥିବା ଚକ୍ରକୋଟ ଖୁଣ୍ଟିଆଙ୍କ ସମେତ ବେଶ ସାମଗ୍ରୀ ପ୍ରସ୍ତୁତ କରିଥିବା ଶିଳ୍ପୀ, ପୁଷ୍ପାଳକ ସେବକ ଏବଂ ମନ୍ଦିର କମାଣ୍ଡରଙ୍କ ବୟାନ ସେ ରେକର୍ଡ କରିଛନ୍ତି। ନାଗାର୍ଜୁନ ବେଶ ସାମଗ୍ରୀ ମନ୍ଦିର ଗାରଦରୁ ଗାଏବ ହେବା ଅଭିଯୋଗ ସମ୍ପର୍କରେ ପ୍ରଶାସକ ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବେ। ଚନ୍ଦ୍ରସୂର୍ଯ୍ୟ ଗାଏବ ହେବା ଘଟଣାକୁ ଚପାଇ ଦେବାପାଇଁ କେତେକ ସେବକ ଏବଂ କର୍ମଚାରୀ ଶୁକ୍ରବାର ବିଭ୍ରାନ୍ତିକର ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି।
ଗତ ୨୭ତାରିଖ ଦିନ ଶ୍ରୀଜୀଉଙ୍କୁ ବେଶ କରାଯିବା ସମୟରେ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ପରିବର୍ତ୍ତେ ସୁନା ଚନ୍ଦ୍ରସୂର୍ଯ୍ୟ ଲାଗି କରାଯାଇଥିଲା। ଚକ୍ରକୋଟ ଖୁଣ୍ଟିଆ ଯୋଗାଇଥିବା ୨ଟି ସୋଲନିର୍ମିତ ଚନ୍ଦ୍ରସୂର୍ଯ୍ୟ ମଧ୍ୟରୁ ଗୋଟିଏ ସେଦିନ ଶ୍ରୀନୀଳମାଧବଙ୍କୁ ଲାଗି କରାଯାଇଥିଲା। ବେଶ ଲାଗି କରାଯିବା ପରେ ଦୁଇଟିଯାକ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ଗାରଦ ଘରକୁ ଯାଇଥିବା ଜଣେ କର୍ମଚାରୀ ସୂଚନା ଦେଇଛନ୍ତି। ଗତ ୨୮ତାରିଖ ଦିନ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିରରୁ ଜଣେ ସେବକଙ୍କ ଘରକୁ ନେଉଥିବା ବେଳେ ସିଂହଦ୍ବାର ସମ୍ମୁଖରେ ଧରାପଡିଥିଲେ। ଘଟଣାର ତଦନ୍ତ ପାଇଁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ନିର୍ଦେଶ ଦେଇଥିଲେ।

Comments are closed.