ମୁକୁଳିଲେ ଶ୍ରୀମନ୍ଦିରରୁ ଗିରଫ ଲଙ୍ଗୁଳି ମଠର ନାଗା ବାବା

ଚୌଦ୍ୱାର: ଚୌଦ୍ୱାର ଜେଲର ଚାରିକାନ୍ଥରୁ ମୁକୁଳିଛନ୍ତି ବହୁ ଚର୍ଚ୍ଚିତ ପୁରୀ ଲଙ୍ଗୁଳି ମଠର ସନ୍ୟାସୀ ବାବା ବୈଷ୍ନବ ପୁରୀ। ବାହାରକୁ ଆସି ଜେଲ ପରିସରରେ ଆଜକୁ ୧ମାସରୁ ଉର୍ଦ୍ଧ ଦିନଧରି ସାଉଁଟି ରଖିଥିବା ଅନୁଭୁତିକୁ କୋହଭରା କଣ୍ଠରେ ବିଭିନ୍ନ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ତାଙ୍କୁ ଭଗବାନ କାହିକି ଏ ଦଣ୍ଡ ଦେଲେ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ପରିସରରେ ଥିବା ରୋହିଣୀ କୁଣ୍ଡର ଘୋଡଣୀ ପଟା ଖୋଲି ପାଣି ପକାଇବା ଘଟଣାରେ ଗିରଫ ହୋଇ ପ୍ରଥମେ ପୁରୀ ହସ୍ପିଟାଲ, ପୁରୀ ଜେଲ ଓ ପରେ ତାଙ୍କୁ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ଭାବେ ଅଧିକ ଚିକିତ୍ସା ପାଇଁ ଚୌଦ୍ୱାର ଜେଲ ପଠାଇ ଦିଆଯାଇଥିଲା। ତାଙ୍କୁୁ କଟକ ବଡ ଡାକ୍ତରଖାନାରେ ବିଭିନ୍ନ ଚିକିତ୍ସା କରାଯାଇ ଚୌଦ୍ୱାର ଜେଲର ୫୨ନଂ ସେଲରେ ୧ ମାସରୁ ଉର୍ଦ୍ଧ ହେବ ରଖାଯାଇଥିଲା।

ସୋମବାର ସନ୍ଧ୍ୟାରେ ବାବାଙ୍କର ପୁରୀ ଦୌରାଜଜ୍‍ଙ୍କ ଠାରୁ ୫୦ହଜାର ଟଙ୍କାର ଜିମା ସହ ଶ୍ରୀ ମନ୍ଦିରରେ ପଶି ନୀତି ବିଭ୍ରାଟ ନକରିବା ପାଇଁ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଥିଲେ। ମଙ୍ଗଳବାର ସେ ଜେଲରୁ ମୁକୁଳିବା ପରେ ଜେଲ ଆଗରେ ସକାଳରୁ ଅପେକ୍ଷାରତ ବହୁ ସଂଗଠନ, ଦେବସେନା ଓ ମାରୁତୀ ସେନାର କର୍ମକର୍ତ୍ତାମାନେ ତାଙ୍କୁ ପାଛୋଟି ନେଇଥିଲେ। ସେ ପଦାକୁ ବାହାରିବା ଦେଖି ତାଙ୍କ ଭକ୍ତମାନଙ୍କ ଜୟଜୟ କାରରେ ଜେଲ ବାହାର ପ୍ରକମ୍ପିତ ହୋଇ ଉଠିଥିଲା। ନାଗାସାଧୁଙ୍କ ବାପା ନରସିଂହ ସୁବୁଦ୍ଧି କୋହଭାରା କଣ୍ଠରେ ତାଙ୍କ ପୁଅପ୍ରତି ହୋଇଥିବା ଅନ୍ୟାୟ ଆଉ କୌଣସି ଲୋକଙ୍କ କ୍ଷେତ୍ରରେ ନହେଉ ବୋଲି କହିଥିଲେ। ପରେ ବାପା ଓ ସମର୍ଥକଙ୍କ ସହିତ ସେ ପ୍ରଥମେ ଧବଳେଶ୍ୱର ଓ ପରେ ପୁରୀ ଅଭିମୁଖେ ଯାତ୍ରା କରିବେ ବୋଲି ବୈଷ୍ନବ କହିଥିଲେ।

Comments are closed.