ନଡ୍ଡାଙ୍କ ହାତରେ ବିଜେପି ସଂଗଂଠନ : ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଗ୍ରହଣ କଲେ ଦାୟିତ୍ବ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ (ଜେ.ପି) ନଡ୍ଡା ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଦଳୀୟ ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହପରି ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Pic. Credit : DD News

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡାଙ୍କୁ ଆଜି ଦଳର ସାଂସଦମାନେ ପାର୍ଲାମେଣ୍ଟ ବାହାରେ ସ୍ୱାଗତ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ବିଜେପି ସାଂସଦମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ପରେ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଜେ.ପି. ନଡ୍ଡାଙ୍କ ରାଜନୈତିକ ଜୀବନ

ଅଠାବନ ବର୍ଷୀୟ ନଡ୍ଡା ହିମାଚଳପ୍ରଦେଶ ବାସିନ୍ଦା ଓ ଜଣେ ବ୍ରାହ୍ମଣ। ତାଙ୍କ ପ୍ରତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଆଶୀର୍ବାଦ ରହିଛି। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଶାହା ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ର, ହରିୟାଣା ଓ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ନେତୃତ୍ବ ନେବେ ବୋଲି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି। ଶାହା ମନ୍ତ୍ରୀ ହେବା ପରେ ଦଳ ସଭାପତି ଦାୟିତ୍ବ ଅନ୍ୟ କାହା ଉପରେ ନ୍ୟସ୍ତ କରାଯିବା ସପକ୍ଷରେ ମତ ଦେଇଥିଲେ। ତା’ଛଡ଼ା ଚାରି ମାସ ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥବାବେଳେ ସାଧାରଣ ନିର୍ବାଚନ ଦୃଷ୍ଟିରୁ ଏହା ବୃଦ୍ଧି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶାହାଙ୍କ ଉତ୍ତରାଧିକାରୀ ବଛାଯିବା ପ୍ରୟାସ ଆରମ୍ଭ ହୋଇଥିଲା। ଏହି ପଦରେ ନଡ୍ଡାଙ୍କ ସହ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବଙ୍କ ନାମ ଚର୍ଚ୍ଚାରେ ରହିଥିଲା।

ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ନଡ୍ଡାଙ୍କୁ ଅଭିନନ୍ଦନ ଜଣାଉଛନ୍ତି

୨ ଡିସେମ୍ବର ୧୯୬୦ରେ ବିହାରର ପାଟନାରେ ଜନ୍ମିତ ଶ୍ରୀ ନଡ୍ଡା ସେଣ୍ଟ ଜାଭିୟର ସ୍କୁଲରୁ ମାଧ୍ୟମିକ ଶିକ୍ଷା, ପାଟନା ବିଶ୍ବବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ୧୯୯୩ ମସିହାରେ ହିମାଚଳପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୂମଳଙ୍କ ସରକାରରେ ସେ ରାଜ୍ୟ ଜଙ୍ଗଲ, ପରିବେଶ, ବିଜ୍ଞାନ ଓ କାରିଗରୀ ଭଳି ଏକାଧିକ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୧୨ ପରଠାରୁ ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଆସିଥିଲେ। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମପାଳି ସରକାରରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରହିଥିଲେ । ଏବେମଧ୍ୟ ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭାରେ ପୁନର୍ବାର ପ୍ରତିନିଧିତ୍ବ କରୁଛନ୍ତି । କାର୍ଯ୍ୟକାରୀ ସଭାପତି ହେବା ପୂର୍ବରୁ ସେ ବିଜେପି ସଂସଦୀୟ ବୋର୍ଡର ସଚିବ ରହିଥିଲେ।
ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ଗଠନ ବେଳେ ଶ୍ରୀ ନଡ୍ଡାଙ୍କୁ ଏଥର କ୍ୟାବିନେଟ୍‌ରେ ନିଆ ଯାଇନଥିଲା। ସେତେବେଳେ ତାଙ୍କୁ ଦଳର ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ଦାୟିତ୍ବ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ସେ ଆସନ୍ତା ୬ମାସ ପାଇଁ ଏହି ପଦରେ ରହିବେ। ସୋମବାର ଅନୁଷ୍ଠିତ ଦଳର ସଂସଦୀୟ ବୋର୍ଡ ବୈଠକରେ ନଡ୍ଡାଙ୍କ ନୂଆ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନବଗଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ନଡ୍ଡା ଅମିତ ଶାହାଙ୍କ ସ୍ଥାନ ନେବେ ବୋଲି ଚର୍ଚ୍ଚା ଚାଲିଥିଲା ଏବଂ ଏହି ନୂଆ ନିଯୁକ୍ତି ପରେ ସେଥିରେ ପୂର୍ଣ୍ଣଛେଦ ପଡିଛି। ଅମିତ ଶାହା ନିଜ ଯୋଜନା ମୁତାବକ ସାଂଗଠନିକ ପୁନର୍ଗଠନ କାର୍ଯ୍ୟ ଆଗେଇ ନେବା ଉଦ୍ଧେଶ୍ୟରେ ନମ୍ର ଓ ଭଦ୍ର ସ୍ବାଭାବର ନଡ୍ଡାଙ୍କୁ ପ୍ରମୁଖ ସହଯୋଗୀ ଭାବେ ବାଛିଥିବା ଆଲୋଚନା ହେଉଛି।

Comments are closed.