ନମୁନା ସଂଗ୍ରହ ୨୫ % ହ୍ରାସ କଲା ଜାତୀୟ ଆଣ୍ଟି ଡୋପିଙ୍ଗ୍‍ ସଂସ୍ଥା

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ୍‍-୧୯ ମହାମାରୀ ସମେତ ଅନ୍ୟାନ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଜାତୀୟ ଆଣ୍ଟି ଡୋପିଙ୍ଗ୍‍ ସଂସ୍ଥା (ନାଡା) ପକ୍ଷରୁ ବିଭିନ୍ନ ଖେଳାଳିମାନଙ୍କ ନିକଟରୁ ସଂଗ୍ରହ କରାଯାଉଥିବା ନମୁନାକୁ ପୂର୍ବ ସଂଖ୍ୟାର ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ନାଡାର ମହାନିର୍ଦ୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି ଯେଉଁ ଖେଳାଳିମାନେ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି ଏବଂ ଯେଉଁମାନଙ୍କର ଡୋପିଙ୍ଗର ଅତ୍ୟଧିକ ବିପଦ ରହିଛି, କେବଳ ସେମାନଙ୍କର ବର୍ତ୍ତମାନ ଏହି ପରୀକ୍ଷା କରାଯାଉଛି।

ନାଡା ପକ୍ଷରୁ ଡୋପ୍‍ ନମୁନା ସଂଗ୍ରହ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସରକାରୀ କର୍ମଚାରୀ। ମାତ୍ର ବର୍ତ୍ତମାନ କୋଭିଡ୍‍- ୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ସେମାନେ ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ତେଣୁ ନମୁନା ସଂଗ୍ରହକାରୀଙ୍କ ସଂଖ୍ୟା ହ୍ରାସ ପାଇଛି। ସେହିଭଳି ବର୍ତ୍ତମାନ ଦେଶବ୍ୟାପୀ ବିଭିନ୍ନ କ୍ରୀଡ଼ା ଉତ୍ସବଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି। ଏହିସବୁ ଦୃଷ୍ଟିରୁ ନାଡା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

Comments are closed.