ଆଇପିଏଲ୍‌ରେ ୫୦ଟି ଡୋପ୍‍ ପରୀକ୍ଷା କରିବ ନାଡା

ନୂଆଦିଲ୍ଲୀ : ଭାରତର ଜାତୀୟ ଡୋପିଙ୍ଗ୍‍ ନିରୋଧ ସଂସ୍ଥା (ନାଡା) ଆସନ୍ତା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ସମୟରେ ମୋଟ ୫୦ଟି ଡୋପ୍‍ ପରୀକ୍ଷା କରିବ ବୋଲି ଜଣାପଡ଼ିଛି। ଆଇପିଏଲ୍‍ର ୧୩ଶ ସଂସ୍କରଣ ୟୁଏଇର ୩ଟି ଷ୍ଟାଡିୟମ୍‍ରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ଜାଣିବାକୁ ମିଳିଛି ଯେ ୟୁଏଇରେ ନାଡା ୫ଟି ଡୋପ୍‍ ନିୟନ୍ତ୍ରଣ ଷ୍ଟେସନ୍‍ (ଡିସିଏସ୍‍) ସ୍ଥାପନ କରିବ। ଏହି ୫ଟି ଡିସିଏସ୍‍ରୁ ଏହା ଆଇପିଏଲ୍‍ରେ ଡୋପିଙ୍ଗ୍‍ ନିୟନ୍ତ୍ରଣ ଦିଗରେ କାର୍ଯ୍ୟକରିବ। ଏହି ୫ଟିରୁ ୩ଟି ଡିସିଏସ୍‍ ମ୍ୟାଚ୍‍ ଖେଳାଯିବାକୁ ଥିବା ୩ଟି ଷ୍ଟାଡିୟମ୍‍- ଦୁବାଇ, ଆବୁଧାବି ଓ ଶାରଜାରେ ଏବଂ ବାକି ୨ଟି ଡିସିଏସ୍‍ ୨ଟି ଅଭ୍ୟାସ ଗ୍ରାଉଣ୍ଡ ଦୁବାଇର ଆଇସିସି ଏକାଡେମୀ ଓ ଆବୁଧାବିର ଆବୁ ଜାୟେଦ୍‍ କ୍ରିକେଟ୍‍ ଷ୍ଟାଡିୟମ୍‍ରେ ରହିବ।

ନାଡାର ନିର୍ଦେଶକ ନବୀନ ଅଗ୍ରୱାଲ କହିଛନ୍ତି ଯେ ଏହାର ଡୋପ୍‍ ନିୟନ୍ତ୍ରଣ ଅଧିକାରୀ ମ୍ୟାଚ୍‍ ସମୟରେ ଏବଂ ଅଭ୍ୟାସ ସମୟରେ ଯେକୌଣସି ଖେଳାଳିଙ୍କୁ ଚାହିଁବେ; ତାଙ୍କୁ ପରୀକ୍ଷା ପାଇଁ ମୂତ୍ର ନମୁନା ଦେବାକୁ କହିବେ। ତେବେ ସମସ୍ତଙ୍କର ଡୋପ୍‍ ପରକ୍ଷା ହେବନାହିଁ। ମୋଟ ୫୦ ଜଣଙ୍କର ଡୋପ୍‍ ପରୀକ୍ଷା ହେବ। ଏହାସହ ନାଡା କହିଛି ଯେ ମୂତ୍ର ନମୁନା ତ ନିଶ୍ଚୟ ସଂଗ୍ରହ କରାଯିବ। ତେବେ ରକ୍ତ ନମୁନା ସଂଗ୍ରହକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବନାହିଁ। ଆନ୍ତର୍ଜାତିକ କ୍ରିକେଟରଙ୍କ ସହ ନାମୀ ଭାରତୀୟ କ୍ରିକେଟର; ଯେପରି ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ସୁରେଶ ରୈନା ପ୍ରଭୃତିଙ୍କର ଡୋପ୍‍ ପରୀକ୍ଷା କରା ଯାଇପାରେ। ଡୋପ୍‍ ପରୀକ୍ଷା କରିବା ପାଇଁ ନାଡା ୩ଟି ଦଳ ଗଠନ କରିବ। ପ୍ରତି ଦଳରେ ୫ ଜଣ ରହିବେ। ଏହି ୫ ଜଣଙ୍କ ମଧ୍ୟରେ ନାଡାର ଜଣେ ବରିଷ୍ଠ ଅଧିକାରୀ, ୨ ଜଣ ଡୋପ୍‍ ନିୟନ୍ତ୍ରଣ ଅଧିକାରୀ (ଡିସିଓ) ଏବଂ ୟୁଏଇ ଡୋପିଙ୍ଗ୍‍ ନିରୋଧ ସଂସ୍ଥାର ୨ ଜଣ ଅଧିକାରୀ ରହିବେ। ଏହି ୩ ଦଳ ପାଳିକରି ୟୁଏଇ ଯିବେ। ପ୍ରଥମ ଦଳ ସେପ୍ଟେମ୍ବର ସପ୍ତାହରେ ଯିବ। ପରେ ନିୟମିତ ବ୍ୟବଧାନରେ ଅନ୍ୟ ୨ଟି ଦଳ ୟୁଏଇ ଯିବେ।

Comments are closed.