‘୭୪’ ରେ ନବୀନ

ଭୁବନେଶ୍ୱର: ଲେଖକରୁ ସଫଳ ଓ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନିରାଡ଼ମ୍ବର ଓ ସରଳ ଜୀବନ ଶୈଳୀରେ ବିଶ୍ବାସ ରଖିଥିବା ନବୀନ ଚଳିତବର୍ଷ ମହାବାତ୍ୟା ଫଣିରେ ରାଜ୍ୟବାସୀଙ୍କର ପ୍ରଭୂତ କ୍ଷତି ଘଟିଥିବା କାରଣରୁ ତାଙ୍କର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।
ସାହିତ୍ୟ ଓ କଳା ସଂସ୍କୃତି ପ୍ରତି ରୁଚି ରଖିଥିବା ନବୀନ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ସେଣ୍ଟସ୍ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ ହାସଲ କରିବା ପରେ ୧୯୬୭ ମସିହାରୁ ନିଜର ସାରସ୍ବତ ସାଧନା ଆରମ୍ଭ କରିଥିଲେ। ଇଂରାଜୀ ଭାଷାରେ ‘ଡେଜର୍ଟ କିଙ୍ଗଡମ’, ‘ସେକେଣ୍ଡ ପାରାଡାଇଜ-ଇଣ୍ଡିଆନ କୋର୍ଟଲି ଲାଇଫ ୧୫୯୦-୧୯୪୭’, ‘ଦି ଗାର୍ଡେନ ଅଫ ଲାଇଫ’ ଭଳି ପୁସ୍ତକ ଭାରତ, ଇଂଲଣ୍ଡ ଓ ଆମେରିକାରେ ପ୍ରକାଶିତ ହୋଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ତାଙ୍କୁ ଜଣେ ପ୍ରତିଷ୍ଠିତ ଲେଖକ ଭାବେ ସୁଖ୍ୟାତି ଆଣି ଦେଇଛି। ଏକ ଭିନ୍ନ ପରିସ୍ଥିତି କ୍ରମେ ବାଧ୍ୟ ବାଧକତାରେ ରାଜନୀତିରେ ପାଦ ଥାପିଥିବା ନବୀନ ୧୯୯୭ ପରଠାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ଦୁଇ ଦଶନ୍ଧି ଧରି ପିତା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଧାରାକୁ ବଜାୟ ରଖିଛନ୍ତି। ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ ରାଜନୈତିକ ଯାତ୍ରାପଥରେ ପ୍ରତ୍ୟେକ ଥର ନିଜକୁ ଅଧିକ ସଶକ୍ତ ଓ ଲୋକପ୍ରିୟ ଭାବେ ଗଢ଼ି ତୋଳିଛନ୍ତି।
୧୯୯୭ରେ ପିତାଙ୍କ ଦେହାନ୍ତ ପରେ ଆସ୍କା ଲୋକସଭା ଆସନରୁ ଉପନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଶାସନ କ୍ଷମତାର ଅଳନ୍ଦିରେ ପ୍ରବେଶ କରିଥିଲେ। ଦୀର୍ଘ ବର୍ଷର ଶାସନ ପରେ ଓଡ଼ିଆ ଭାଷାରେ ନିପୂଣତା ନଥିବା ନେଇ ବିରୋଧୀଙ୍କ ସମାଲୋଚନା ସତ୍ତ୍ବେ ବି ନବୀନଙ୍କ ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଲୋକଙ୍କୁ ଭଲ ପାଇବା, ଲୋକଙ୍କ ସହ ଯୋଡ଼ି ହେବା ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ହିଁ ତାଙ୍କ ସଫଳତାର ମୂଳମନ୍ତ୍ର ଅଟେ ବୋଲି ରାଜନୀତିକ ବିଷାରଦମାନେ ମତ ଦିଅନ୍ତି। ଅନ୍ୟପକ୍ଷରେ ବ୍ୟକ୍ତିଗତ ଜୀବନରେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ନବୀନଙ୍କୁ ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ସହାୟକ ହୋଇପାରିଛି। ଯାହାର ପ୍ରତିଫଳନ ଲାଗାତାର ପାଞ୍ଚ ପାଞ୍ଚଟି ନିର୍ବାଚନରେ ପ୍ରତିଫଳିତ ହୋଇଛି।
ଦେଶବ୍ୟାପୀ ମୋଦି ଲହର ଚାଲୁଥିବାବେଳେ ନବୀନଙ୍କ ନେତୃତ୍ବରେ ବିଜେଡି ବିଧାନସଭାରେ ତିନି ଚତୁର୍ଥାଂଶ ଆସନ ହାସଲ କରି ପଞ୍ଚମ ଥର କ୍ଷମତାକୁ ଫେରିବା ରାଜ​‌ନୀତି ବିଜ୍ଞାନୀଙ୍କ ପାଇଁ ଏକ ଗବେଷଣାର ସନ୍ଦର୍ଭ ହୋଇଛି। ଅନେକଙ୍କ ମତରେ ସାଧାରଣ ଜନତା ବିଶେଷ କରି ମହିଳା ଓ ଯୁବ ବର୍ଗ ନବୀନଙ୍କ ପ୍ରତି ଅଧିକ ଆସ୍ଥା ପ୍ରକଟ କରିଛନ୍ତି। ଟଙ୍କିକିଆ ଚାଉଳ, ମିଶନ ଶକ୍ତି, କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଉନ୍ନତମାନର ସଡ଼କ ଓ ସେତୁ ନିର୍ମାଣ, ଅପହଞ୍ଚ ଇଲାକାକୁ ମୁଖ୍ୟ ସଡ଼କ ପଥ ସହ ସଂଯୋଗ, ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ଆହାର, ସ୍ବାସ୍ଥ୍ୟ ସେବାରେ ବିକାଶ ଓ ମୋ ସରକାର ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ତାଙ୍କ ପାଇଁ ସଫଳତା ଆଣି ଦେଇଛି।
ରାଜନୀତିରେ ନିଜସ୍ବ ଉପଲବ୍ଧି ଓ ବାସ୍ତବ ଅନୁଭୂତି ହିଁ ପ୍ରକୃତ ସତ୍ୟ। ନବୀନଙ୍କ କ୍ଷେତ୍ରରେ ଜନତାଙ୍କର ଉପଲବ୍ଧି ହେଉଛି ସେ ଜଣେ କମ କଥା କହି କାର୍ଯ୍ୟରେ ବିଶ୍ବାସ ରଖୁଥିବା ବିରଳ ରାଜନେତା। ଜନନୀ ଜଠରରୁ ଜୁଇ ପର୍ଯ୍ୟନ୍ତ ବହୁ ଲୋକାଭିମୁଖୀ ଯୋଜନା ପ୍ରଣୟନ କରି ରାଜ୍ୟରେ ଏକ ନୂଆ ସ୍ବପ୍ନ ଓ ପ୍ରଗତିର ନୂତନ ପରିଭାଷା ତଥା ଜନସଚେତନତା ମାଧ୍ୟମରେ ଏକ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛନ୍ତି। ନିର୍ବାଚନ ସମ୍ବନ୍ଧରେ ଜାତୀୟ ଗଣମାଧ୍ୟମରେ ନବୀନ ମତ ଦେଇ କହିଛନ୍ତି ଯେ ଆପଣ ଯଦି ଲୋକଙ୍କ ସହିତ ଅଛନ୍ତି; ତେବେ ନିର୍ବାଚନ ଲଢ଼ିବା କେବଳ ଔପଚାରିକ ମାତ୍ର। କିନ୍ତୁ ନିର୍ବାଚନ ପରିବର୍ତ୍ତନ ଓ ରୂପାନ୍ତର ଆଣିବାରେ ଏକ ବଳିଷ୍ଠ ମାଧ୍ୟମ ଭାବେ ଗୁରୁତ୍ବପୂର୍ଣ୍ଣ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ ଅବସରରେ ଭାରତର ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବା ନେଇ ତାଙ୍କର ପରାମର୍ଶ ଓ ସଂସଦରେ ଏକ ତୃତୀୟାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଜାତୀୟ ରାଜନୀତିରେ ନବୀନଙ୍କୁ ଅଧିକ ପ୍ରଭାବଶାଳୀ କରିପାରିଛି। ରାଜନୀତି ମାଧ୍ୟମରେ ଜନତା ହିଁ ଜନାର୍ଦ୍ଦନର ଉପଲବ୍ଧି ସହ ଅଧ୍ୟାତ୍ମର ପରିଭାଷା ଖୋଜି ପାଇବା ନେଇ ନିରନ୍ତର ପ୍ରୟାସ ନବୀନଙ୍କ ରାଜନୈତିକ ଜୀବନର ଏକ ଆହ୍ବାନ ପାଲଟିଛି।
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ସାମୁଦ୍ରିକ ମହାବାତ୍ୟା ଫଣି ପୂର୍ବରୁ ଏକଲକ୍ଷରୁ ଅଧିକ ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେ ବିଶ୍ବ ଦରବାରରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ନବୀନଙ୍କ ୫-ଟି ମନ୍ତ୍ର ଏବେ ରାଜ୍ୟବାସୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନକୁ ଲୋକେ ଗ୍ରହଣ କରିନେଇଛନ୍ତି। ସେହିପରି ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ଯୋଗୁଁ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବା ଆଶା ସଞ୍ଚାର ହୋଇଛି। କ୍ରୀଡ଼ାର ବିକାଶକୁ ତ୍ବରାନ୍ବିତ କରିବା ଓ ଆନ୍ତର୍ଜାତିକ କ୍ରୀଡ଼ା ମାନଚିତ୍ରରେ ରାଜ୍ୟକୁ ପ୍ରମୁଖ ଭାବେ ସ୍ଥାନିତ କରିବା ଉଦ୍ୟମଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନବୀନଙ୍କ ଶାସନ ସମୟର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଲୋକଙ୍କୁ ଆପଣାର କରିବା ସହ ସେମାନଙ୍କ ନିକଟତର ହେବା ପାଇଁ ନବୀନଙ୍କ ‘ଆପଣ ମାନେ ଖୁସି ତ’ ଧାଡ଼ିକିଆ ବାକ୍ୟ ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇଥିବାବେଳେ ବିରୋଧୀଙ୍କୁ ପ୍ରତିହତ କରିବାରେ ଏହା ଏକ ଅମୋଘ ଅସ୍ତ୍ର ପରି କାର୍ଯ୍ୟ କରିଛି। ଏହାବ୍ୟତୀତ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ କହିଲେ କେହି ଅସ୍ବୀକାର କରିପାରିବେ ନାହିଁ।
ନବୀନଙ୍କ ସମ୍ପର୍କରେ ତାଙ୍କର ସହପାଠୀ ଓ ସାମ୍ବାଦିକ ବନ୍ଧୁ ଭୀର୍ ସାଙ୍ଗଭି କହନ୍ତି, ନବୀନଙ୍କ ସରଳତା ଓ ନିରାଡ଼ମ୍ବର ଜୀବନଶୈଳୀ କ୍ଷମତା ଏବଂ ପ୍ରାଚୁର୍ଯ୍ୟ ସତ୍ତ୍ବେ ମଧ୍ୟ ତାଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଏହା ହିଁ ତାଙ୍କ ଜୀବନର ନୀତି ଓ ଆଦର୍ଶ ହୋଇ ରହିଛି। ଆସକ୍ତ ଓ ନିରାସକ୍ତ ଭାବର ବିରଳ ସମନ୍ବୟ ତାଙ୍କ ବ୍ୟକ୍ତିତ୍ବକୁ ଅଧିକ ବଳିଷ୍ଠ କରିଛି। ସାଧାରଣରେ ସରଳ ଦିଶୁଥିବା ଏହି ମଣିଷ ଜଣେ ପ୍ରବୀଣ ଓ ଚତୁର ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏଥିସହ ବିଶୃଙ୍ଖଳା ଓ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନିଷ୍ପତ୍ତି ନେବାରେ ସେ ସିଦ୍ଧହସ୍ତ ବୋଲି ନିଜକୁ ପ୍ରମାଣିତ କରିପାରିଛନ୍ତି।

Comments are closed.