ନବୀନଙ୍କ ‘ଆଶୀର୍ବାଦ’ – ଅନାଥ ଶିଶୁଙ୍କୁ ମାସିକ ୨୫୦୦ ଟଙ୍କା

ଭୁବନେଶ୍ୱର: ଉଭୟ ବାପା, ମା’ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ଶିକ୍ଷା, ଭରଣପୋଷଣ ଓ ଯତ୍ନ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ନାମରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ୨୦୨୦ ଏପ୍ରିଲ ପହିଲା ଦିନ ଅଥବା ତା’ ପରେ ଏଭଳି ସମସ୍ୟାର ଶିକାର ହୋଇଥିବା ପିଲାମାନେ ହିଁ ଏହି ଯୋଜନାରେ ବିଭିନ୍ନ ସୁବିଧା ସୁଯୋଗ ପାଇବେ। ଏହି ଯୋଜନା ଯୋଗ୍ୟ ପିଲାଙ୍କୁ ତିନିଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମତଃ ବାପା ଓ ମା’ ଉଭୟଙ୍କୁ ହରାଇଥିବା ପିଲା, ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣେ ଥିଲେ ତାଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲା ଏହି ଯୋଜନାରେ ସୁବିଧା ପାଇବେ। ଉଭୟ ବାପା ଓ ମା’ଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ। ଜଣକୁ କିମ୍ବା ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ। ପିଲାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ। ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ।

ଅସମୟରେ ବାପା ଓ ମା’ଙ୍କୁ ହରାଇଥିବା ଜଣେ ବି ଅସହାୟ ଶିଶୁ ଯେପରି ଏହି ଯୋଜନାରୁ ବାଦ ନ ପଡ଼ନ୍ତି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ନିୟମିତ ଭାବେ ପ୍ରତିବର୍ଷ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେ ଜିଲାପାଳମାନଙ୍କୁ କହିଛନ୍ତି। ସମାଜର ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲାଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ସେମାନଙ୍କୁ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଯୋଜନା ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଶୀର୍ବାଦ ଯୋଜନାରେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ଗହଣରେ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ ସମୟରେ ଏହି ପିଲାଙ୍କ ଯତ୍ନ ନେଇପାରିବେ ସେ ନେଇ ସେମାନଙ୍କୁ ଉତ୍ସାହିତ କରାଯିବ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ବାପା, ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେହିଠାରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥିଲେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡ଼େ, ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ କରାଯିବ। ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ପିଲାକୁ ଅନ୍ୟ ବିଦ୍ୟାଳୟରେ ପଢ଼ାଇବା ପାଇଁ ଚାହିଁଲେ ଶିକ୍ଷା ଅଧିକାର ଆଇନ ବଳରେ ଜିଲାପାଳ ସହଯୋଗ ଯୋଗାଇ ଦେବେ।

ଉଚ୍ଚଶିକ୍ଷା ପାଇଁ ସେମାନଙ୍କୁ ସବୁଜ ପଥ (ଗ୍ରୀନ ପ୍ୟାସେଜ) ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ। ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାଙ୍କ ମଙ୍ଗଳକୁ ଦୃଷ୍ଟିରେ ରଖି ସେମାନଙ୍କ ପାଳି ଆସିବା ପୂର୍ବରୁ ଘର ମଞ୍ଜୁର କରାଯିବ। ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କୁ ମଧ୍ୟ ସେ ସୁବିଧା ଯୋଗାଇ ଦିଆଯିବ। ପିଲାଙ୍କ ସମ୍ପତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା ଶାଖା ତହସିଲଦାର ଓ ପୁଲିସ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବେ। ଜିଲା ଶିଶୁ ସୁରକ୍ଷା ଶାଖା ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗ ରଖି ପିଲାର ଭଲ ମନ୍ଦ ଉପରେ ନଜର ରଖିବେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ବାଳ ଅପରାଧ ପାଣ୍ଠି (ଜୁଭେନାଇଲ ଜଷ୍ଟିସ ଫଣ୍ଡ)ରୁ ଏହି ପିଲାଙ୍କୁ ସହାୟତା ମିଳିପାରିବ।

ଉପରୋକ୍ତ ଦୁଇବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନ ରହି କୌଣସି ଶିଶୁ ଯତ୍ନ ପ୍ରତିଷ୍ଠାନରେ ରହନ୍ତି ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା ଲେଖାଏଁ ପିଲାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ପିଲାଙ୍କ ମାଗଣା ଯତ୍ନ ଓ ଅନ୍ୟାନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ।

ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମା’ଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା’ଙ୍କ ପାଖରେ ରହୁଥିବ ସେ କ୍ଷେତ୍ରରେ ପିଲାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣପୋଷଣ ପାଇଁ ବଞ୍ଚିଥିବା ବାପା ବା ମା’ କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ। ତାକୁ କେହି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସହାୟତା ମିଳିବ ନାହିଁ।

ପିଲାର ମା’ ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥାଆନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ସହ ପିଲାକୁ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ। ଜିଲା ଶିଶୁ ସୁରକ୍ଷା ୟୁନିଟ, ଚାଇଲଡ ଲାଇନ ପଞ୍ଚାୟତ ସ୍ତରୀୟ କମିଟି, ବ୍ଲକ କମିଟି ଏବଂ ନାଗରିକ ସମାଜର ଆଗଧାଡ଼ିର କର୍ମୀଙ୍କ ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ ବୋଲି କୁହାଯାଇଛି। ଏହି ଯୋଜନାରେ ସହାୟତା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟମାନେ ମୃତ୍ୟୁ ପ୍ରମାଣପତ୍ର ସହ ଜିଲା ଶିଶୁ ସୁରକ୍ଷା ୟୁନିଟକୁ ଆବେଦନ କରିପାରିବେ।

Comments are closed.