ମୋବାଇଲ ସେବାରୁ ବଞ୍ଚିତ ୩ ପଞ୍ଚାୟତବାସୀ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସାନବାର୍ଲି ପଞ୍ଚାୟତ ସମେତ ଅନ୍ୟ ୨ଟି ପଞ୍ଚାୟତର କିଛି ଗ୍ରାମର ଲୋକେ ମୋବାଇଲ ସେବାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି। ପାପଡ଼ାହାଣ୍ଡି ବ୍ଲକର ଅପହଞ୍ଚ ଇଲାକାର ସାନବାର୍ଲି ପଞ୍ଚାୟତ ସମେତ ମାଝିଗୁଡା ପଞ୍ଚାୟତର କିଛି ଗ୍ରାମ ସହ ପାଖରେ ଥିବା ଝରିଗାଁ ବ୍ଲକର ଟେମରା ପଞ୍ଚାୟତର ଲୋକଙ୍କୁ ମିଳିପାରୁନି ମୋବାଇଲ ସେବା। ଯଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମର କେଶବଗୁଡ଼ା, ଡମଗୁଡ଼ା, ସାନବାର୍ଲି ପଞ୍ଚାୟତର ୬ଟି ଗ୍ରାମ ସହ ଝରିଗାଁ ବ୍ଲକ ଟେମରା ପଞ୍ଚାୟତର ଝାଲିଆ ନୂଆଗୁଡ଼ା ସାନଟେମରା, ବଡ଼ଟେମରା, ରାମପୁରିଆଗୁଡ଼ା, ମୁଣ୍ଡାପଦର, ଢ଼େପଗୁଡ଼ା, ଚିକଲାପଦର ଆଦି ଗ୍ରାମକୁ ପହଞ୍ଚିପାରି ନାହିଁ ମୋବାଇଲ ସେବା। ଏହି ଗ୍ରାମଗୁଡିକ ଜଙ୍ଗଲ ଏବଂ ପାହାଡ଼ ଅଞ୍ଚଳରେ ରହୁଥିବାବେଳେ ଏଠିକାର ଲୋକଙ୍କୁ ଜରୁରୀ ସମୟରେ ୧୦୮ କିମ୍ବା ମେଡିକାଲକୁ ଫୋନ କରିବାକୁ ହେଲେ ପ୍ରାୟ ୧୨ରୁ ୧୫କିମି ଯିବାକୁ ପଡ଼ୁଛି। ନଚେତ ପାହାଡ଼ ଉପରେ ଚଢ଼ି ବିପଦପୂର୍ଣ୍ଣ ଅବସ୍ଥାରେ ସେମାନଙ୍କୁ କଲ୍‌ କରିବାକୁ ପଡ଼ୁଛି। ବର୍ଷ ବର୍ଷ ଧରି ଏଠିକାର ଲୋକେ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ ଏବଂ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ହେଁ ମୋବାଇଲ ସେବା ପାଇ ନାହାନ୍ତି। ସାନବାର୍ଲି ପଞ୍ଚାୟତରେ ଆଶ୍ରମ ବିଦ୍ୟାଳୟ ସହ ହାଇସ୍କୁଲ ରହିଥିବା ବେଳେ, ଟେମରା ପଞ୍ଚାୟତରେ ମଧ୍ୟ ଆଶ୍ରମ ବିଦ୍ୟାଳୟର ହଷ୍ଟେଲ ଅଛି, ଏହି ହଷ୍ଟେଲରେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରହୁଥିବା ବେଳେ ସାନବାର୍ଲିରେ ଥିବା ସେବାଶ୍ରମ ହଷ୍ଟେଲରେ ୪୦ରୁ ୫୦ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ଏଠିକାର ବାସିନ୍ଦାଙ୍କ କହିବା ଅନୁଯାୟୀ ରାତ୍ର କାଳରେ କୌଣସି ଗର୍ଭବତୀଙ୍କୁ ନେବା ପାଇଁ ଯଦି ୧୦୮କୁ ଫୋନ କରିବାକୁ ହେଲେ ଜୀବନକୁ ବାଜି ଲଗାଇ ଅନ୍ଧାରରେ ବିପଦପୂର୍ଣ୍ଣ ଅବସ୍ଥାରେ ପାହାଡ଼ ଉପରକୁ ଯାଇ ଫୋନ୍‌ କରିବାକୁ ପଡ଼ୁଛି। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁଁ ଜଙ୍ଗଲର ହିଂସ୍ରଜନ୍ତୁର ଆକ୍ରମଣର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି ବୋଲି କହିଛନ୍ତି। ପୂର୍ବତନ ସାଂସଦ ବଳଭଦ୍ର ମାଝି ସେତେବେଳେ ଜିଓ ଟାୱାର ଲଗାଇବା ପାଇଁ କଥାବାର୍ତ୍ତା କରି ସେହି ସମୟରେ ସଂସଦରେ ମଧ୍ୟ ଏହି ବିଷୟରେ ଉଠାଇଥିଲେ। ବର୍ତ୍ତମାନର ସାଂସଦ ରମେଶଚନ୍ଦ୍ର ମାଝିଙ୍କ କହିବା ଅନୁଯାୟୀ ଅଞ୍ଚଳରେ ବିଏସଏନଏଲ ନେଟୱର୍କ ସବୁବେଳେ ରହୁ ନ ଥିବା ଯୋଗୁଁ ଏୟାରଟେଲ ନଚେତ ଜିଓ ସହ ସମ୍ପର୍କ କରି ଏହାର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୋବାଇଲ ସେବା ନ ଥିବା ଯୋଗୁଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ନ ପlରି ଚିକିତ୍ସାସେବା ଅଭାବରୁ ସ୍ଥାନୀୟ ଅଞ୍ଚଳରେ କିଛି ବ୍ୟକ୍ତି ପ୍ରାଣ ହରାଇଥିବା ଗ୍ରାମର ପୂର୍ବତନ ସରପଞ୍ଚ ପଦମନ ନାୟକ, ସିନ୍ଧୁ ନାୟକ, ସୁଧୀର ନାୟକ, ତ୍ରିଲୋଚନ ହରିଜନ, ସୁଜନ ଚାଲାଣ ପ୍ରମୁଖ ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Comments are closed.