୧୫ ଜିଲାରୁ ହଟିବ ଜଳ ସମସ୍ୟା : ମୁଖ୍ୟମନ୍ତ୍ରୀ

0

-ନାବାର୍ଡ-ଜଳସମ୍ପଦ ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର
-ଭୂତଳ ଜଳ ସୁବିନିଯୋଗ ପାଇଁ ଖର୍ଚ୍ଚ ହେବ ୧୧୦୦କୋଟି
-ନିର୍ମାଣ ହେବ ୧୦ହଜାର ପାଣିଟାଙ୍କି

ଭୁବନେଶ୍ୱର :ଭୂତଳ ଜଳ ଏବଂ ବର୍ଷାଜଳକୁ ପୁନଃ ପ୍ରକ୍ରିୟାକରଣ କରି ଜଳ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଏବେ ଅନ୍ତର୍ଜାତୀୟସ୍ତରରେ ସଫଳ ହୋଇଛି। ଏଥିଯୋଗୁଁ ରାଜ୍ୟ ସରକାର ଅନ୍ତର୍ଜାତୀୟ ସବୁଜ ଜଳବାୟୁ ପାଣ୍ଠି(ଜିସିଏଫ୍‍) ହାତେଇବାରେ ସକ୍ଷମ ହୋଇଛନ୍ତି। ଭୂତଳ ଜଳର ସୁବିନିଯୋଗ ପାଇଁ ରାଜ୍ୟର ୧୫ଟି ଜିଲାରେ ୧୧ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୦ହଜାର ପାଣି ଟାଙ୍କି ନିର୍ମାଣ କରାଯିବ। ଏହାଦ୍ୱାରା ୧୫ଟି ଜିଲାରେ ଉପୁଜୁଥିବା ପାଣି ସଙ୍କଟ ଓ ଜଳସେଚନ ସମସ୍ୟା ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏନେଇ ଶୁକ୍ରବାର ସଚିବାଳୟରେ ନାବାର୍ଡ ଓ ଜଳସମ୍ପଦ ବିଭାଗ ମଧ୍ୟରେ ଅନୁଷ୍ଠିତ ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦକ୍ଷିଣ କୋରିଆର ଜିସିଏଫ୍‍ ପକ୍ଷରୁ ଭୂତଳ ଜଳର ପୁନଃପ୍ରକ୍ରିୟାକରଣ ପାଇଁ ପ୍ରାୟ ୨୪୦କୋଟି ଟଙ୍କାର ସହାୟତା ମିଳିବ। ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ବିଭିନ୍ନ ସଂଯୋଜନା ପାଣ୍ଠିରୁ ଯୋଗାଇ ଦେବେ। ଏହି ଅର୍ଥରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ୧୦ହଜାର ପାଣି ଟାଙ୍କୀ ନିର୍ମାଣ ହେବ, ଯାହାଦ୍ୱାରା ୧ଲକ୍ଷ ୬୫ହଜାର ଏକର ଫୁଟ୍‍ ଅଞ୍ଚଳରେ ବର୍ଷାଜଳକୁ ପ୍ରକ୍ରିୟାକରଣ କରି ପୁନଃ ଉପଯୋଗ କରାଯାଇ ପାରିବ। ଏଥିପାଇଁ ସୌରଚାଳିତ ପମ୍ପ ପ୍ରକଳ୍ପ ଜରିଆରେ ୧ହଜାର ଗଭୀର ନଳକୂପ କରାଯାଇ ଜଳସେଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଯାହାଫଳରେ ପାଣି ସଙ୍କଟ ଅଞ୍ଚଳରେ ଲୋକେ ସୁବିଧାରେ ପାଣି ପାଇବା ସହିତ ଜଳସେଚନ ନେଇ ଉପୁଜୁଥିବା ସମସ୍ୟା ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଓଡ଼ିଶାରେ ସବୁବେଳେ ଦୈବୀଦୁର୍ବିପାକ ସହିତ ଜଳ ଅଭାବ ସମସ୍ୟା ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଏବେ ଜିଏସ୍‍ଏଫ୍‍ ହାତେଇବାରେ ସକ୍ଷମ ହୋଇଛି। ଆଗାମୀ ଦିନରେ ନାବାର୍ଡ ସହାୟତାରେ ଯୋଜନାଟି କାର୍ଯ୍ୟାନ୍ୱୟନ ହେଲେ ଜଳସେଚନ ସୁବିଧା ହେବା ସହିତ ପାଣି ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା କହଥିଲେ ଯେ ଜଳବାୟୁ ପରିବର୍ତ୍ତନ ରାଜ୍ୟର ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି। ଏହାର ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଭୂତଳ ଜଳ ପୁନଃ ପ୍ରକ୍ରିୟାକରଣ କରି ଏକ ଯୋଜନା ଅନ୍ତର୍ଜାତୀୟସ୍ତରରେ ଜିଏସ୍‍ଏଫ୍‍ ଅନୁଦନ ପାଇବାପାଇଁ ଆବେଦନ କରାଯାଇଥିଲା। ଯାହାକୁ ନେଇ ଦକ୍ଷିଣ କୋରିଆ ପକ୍ଷରୁ ଜିଏସ୍‍ଏଫ୍‍ ସହାୟତା ବାବଦକୁ ୨୪୦କୋଟି ଟଙ୍କାର ସହାୟତା ମିଳିବ। ଉକ୍ତ ଯୋଜନାରେ ରାଜ୍ୟରେ ଥିବା ୧୦ହଜାର ପୋଖରୀଗୁଡିକର ପୁନରୁଦ୍ଧାର କରାଯିବା ସହିତ ପାଣିଟାଙ୍କି ନିର୍ମାଣ କରାଯାଇ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯାଇପାରିବ। ଏହି ସଫଳତା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗର ବହୁ ସହଯୋଗ ରହିଛି। ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତି,କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡା, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୋନପୁର ଜିଲାରେ ଉକ୍ତ ଅର୍ଥ ଖର୍ଚ୍ଚ କରାଯାଇ ଆଗାମୀ ଦିନରେ ଜଳ ସଙ୍କଟ ଦୂର କରାଯିବ ବୋଲି ଶ୍ରୀ ଜେନା କହିଥିଲେ।
ଏହି ଅବସରରେ ଭୂତଳ ଜଳ ରିଚାର୍ଜ ପାଇଁ ନାବାର୍ଡ ସିଜିଏମ୍‍ କେ ସି ପାଣିଗ୍ରାହୀ ଓ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ବିଶାଳ ଗଗନଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଉନ୍ନୟନ କମିଶନର ଆର୍‍ ବାଲକ୍ରିଷ୍ଣନ, କୃଷି ଉତ୍ପାଦନ କମିଶନର ଗଗନ ଧଳ, ପଞ୍ଚାୟତିରାଜ ବିଭାଗ ସଚିବ ଡି କେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply