ସୁନ୍ଦରଗଡ଼ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ନାବାର୍ଡ ଦ୍ୱାରା ଜାତୀୟ ସ୍ତରରେ ପୁରସ୍କୃତ

ସୁନ୍ଦରଗଡ଼ : ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ନିଜ ୪୦ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜାତୀୟସ୍ତରରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ ହେବାକୁ ଯାଉଛି। ଆସନ୍ତା ୧୨ ତାରିଖରେ ଆଭାସି ମାଧ୍ୟମରେ ହେଉଥିବା ଏହି ଉତ୍ସବରେ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ବର୍ଗରେ କୃଷିଋଣ ଠାରୁ ମିଆଦି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ବା ମିଳିତ ଦେୟ ଗୋଷ୍ଠୀ ଠାରୁ ଆରମ୍ଭ କରି ଆର୍ଥିକ ଅନ୍ତର୍ଭୁକ୍ତି ତଥା ସକଳ ବର୍ଗରେ ବ୍ୟାଙ୍କର ଉତ୍କର୍ଷତା ପାଇଁ ମହାରାଷ୍ଟ୍ରର ସତାରା କେନ୍ଦ୍ର ସମବାୟ ବ୍ୟାଙ୍କ ସହ ଏହି ବ୍ୟାଙ୍କକୁ ସମଗ୍ର ଦେଶରେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ଆଭାସି ମାଧ୍ୟମରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ଦାଶଙ୍କ ଠାରୁ ତାଙ୍କର ମତାମତ ଗ୍ରହଣ କରିଛନ୍ତି।

ସୂଚନା ଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଦ୍ୱାରା ସମବାୟ ବ୍ୟାଙ୍କ ପାଇଁ ମୋଟ ଅଚଳନ୍ତି ପୁଞ୍ଜି ୧୪ ପ୍ରତିଶତରୁ ଅଧିକ ଥିବା ବେଳେ ଏବେ ୫ ପ୍ରତିଶତରୁ କମ୍‌ ରହିଛି ଅଣ ଉତ୍ପାଦନକ୍ଷମ ସମ୍ପତ୍ତି ୧ ପ୍ରତିଶତରେ ପହଞ୍ଚି ପାରିଛି। ଜିଲାର ମୋଟ କୃଷି ଋଣର ୮୫% (ପ୍ରତିଶତ) ବ୍ୟାଙ୍କ ତାର ଶାଖା ଏକ ସହଯୋଗୀ ଲ୍ୟାମ୍ପ୍ସମାନଙ୍କ ଜରିଆରେ ବଣ୍ଟନ କରୁଥିବା ବେଳେ ରାଜ୍ୟ ଦ୍ୱାରା ସମବାୟ ଜରିଆରେ ଦିଆଯାଉଥିବା କୃଷି ସମ୍ବନ୍ଧୀୟ ମିଆଦି ଋଣର ୩୩ ପ୍ରତିଶତ ବା ସ୍ୱୟଂ ସହାୟକ ଗୋଷ୍ଠୀ କ୍ଷେତ୍ରରେ ୨୮ ପ୍ରତିଶତ ଋଣ ଏକାକୀ ଦେଇ ରାଜ୍ୟରେ ଏହି ବ୍ୟାଙ୍କକୁ ସର୍ବୋଚ୍ଚ ହାସଲକାରୀ ବୋଲି ଘୋଷଣା କରାଯାଇ ଥିବାବେଳେ ସାମଗ୍ରିକ ସଫଳତାରେ ସାରା ଦେଶରେ‌ ଏପରି ସମ୍ମାନିତ ହେବା ରାଜ୍ୟ ପାଇଁ ପ୍ରଥମ ଘଟଣା ହେବ ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ବିଗତ ୫ ବର୍ଷ ଧରି କ୍ରମବର୍ଦ୍ଧମାନ ଲାଭ କରି ଆସୁଥିବା ଏହି ବ୍ୟାଙ୍କ ଗତ ଦୁଇବର୍ଷ ଭିତରେ ଏହାର ସାମଗ୍ରିକ ସଫଳତା ପାଇଁ ରାଜ୍ୟ ସରକାର ପୁରସ୍କୃତ କରିଥିବା ବେଳେ ଜାତୀୟ ସ୍ତରରେ ଅନ୍ୟାନ୍ୟ ଖ୍ୟାତନାମା ଅନୁଷ୍ଠାନ ମଧ୍ୟ ବ୍ୟାଙ୍କକୁ ପୁରସ୍କୃତ କରିଛନ୍ତି। ଜାତୀୟ ସ୍ତରରେ ଏହି ମାନ୍ୟତା ଓ ପୁରସ୍କାର ଆଗାମୀ ଦିନରେ ଏହା ବ୍ୟାଙ୍କକୁ ଆହୁରି ଅଧିକ କ୍ରିୟାଶୀଳ କରି ଜନସାଧାରଣଙ୍କ ସେବାରେ ପୁନଃ ଉତ୍ସର୍ଗିତ କରିବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଏ।

Comments are closed.