ନବରଙ୍ଗପୁରରେ ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ଅଭାବ, ଚିନି କାରଖାନା ପ୍ରତିଷ୍ଠା ପ୍ରହସନ

ନବରଙ୍ଗପୁର: କୃଷିପ୍ରଧାନ ନବରଙ୍ଗପୁର ଜିଲାର ଦ୍ୱିତୀୟ ଫସଲ ଭାବେ ଆଖୁ ରହିଥିବାବେଳେ ଏବେ ପ୍ରୋତ୍ସାହନ ଅଭାବରୁ ଚାଷୀମାନେ ଏହି ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଜିଲାର ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଆସୁଛନ୍ତି। ତେବେ ଜଳସେଚନ ଅଭାବରୁ ଚାଷୀମାନେ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। ଏହି ଜିଲାରେ ଆଖୁଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ପରିବେଶ ରହିଛି। ଜିଲାର ପ୍ରାୟ ସମସ୍ତ ବ୍ଳକରେ ଆଖୁ ଚାଷ କରାଯାଉଥିଲା। କିନ୍ତୁ ସରକାରୀ ପ୍ରୋତ୍ସାହନ ସହ ବିକ୍ରିବଟାର ସୁବିଧା ନଥିବାରୁ ଏହି ଚାଷ ପ୍ରତି ଚାଷୀମାନେ ବିମୁଖ ହେବାରେ ଲାଗିଛନ୍ତି। ପୂର୍ବରୁ ଏହି ଜିଲାରେ ଖରିଫ ଋତୁରେ ପ୍ରାୟ ୧୧ହଜାର ହେକ୍ଟରରୁ ଅଧିକ ଜମିରେ ଆଖୁ ଚାଷ କରାଯାଉଥିଲା। ତେବେ ସରକାରୀ ସହାୟତା ଓ ସୁବିଧା ସୁଯୋଗ ଅଭାବରୁ ଧିରେ ଧିରେ ଏହା କମିବା ସହ ପ୍ରାୟ ୬ହଜାର ହେକ୍ଟରକୁ ଖସିଥିବା କୁହାଯାଉଛି। ଜିଲାର ତେନ୍ତୁଳିଖୁଣ୍ଟିବ୍ଳକ, ନନ୍ଦାହାଣ୍ଡିବ୍ଲକ, ନବରଙ୍ଗପୁର ବ୍ଲକ ଓ କୋଷାଗୁମୁଡାବ୍ଲକ ଦେଇ ଜିଲାର ବୃହତ୍ତ ଇନ୍ଦ୍ରାବତୀ ନଦୀ ପ୍ରବାହିତ ହେଉଛି। ତେବେ ଉପର ମୁଣ୍ଡ ଖାତିଗୁଡାଠାରେ ବୃହତ୍ତ ଇନ୍ଦ୍ରାବତୀ ପ୍ରକଳ୍ପ ହେବା ପରେ ଏଠାରେ ଜଳଭଣ୍ଡାର କରାଯାଇ ଇନ୍ଦ୍ରବତୀ ପାଣିକୁ ଅଟକ ରଖାଯାଇ ତଳକୁ ଛଡାଯାଉନି। କେବଳ ବର୍ଷା ଦିନକୁ ଛାଡିଦେଲେ ଅନ୍ୟ ୮ ମାସ ତଳ ଅଞ୍ଚଳର ନଦୀ ଧାର ଶୁଖିଲା ରହୁଛି। ପୂର୍ବରୁ ଏହି ଅଞ୍ଚଳରେ ଆବଶ୍ୟକ ପାଣି ରହୁଥିବାରୁ ଆଖୁ ଫସଲ କରିବାକୁ ଚାଷୀମାନେ ବହୁ ଉତ୍ସୁକ ରହୁଥିଲେ ଏବଂ ଭଲ ରୋଜଗାର କରିପାରୁଥିଲେ। ଏହା ଛଡା ଉମରକୋଟ ଅଞ୍ଚଳ, ଚନ୍ଦାହାଣ୍ଡି ଓ ଡାବୁଗାଁ ଅଞ୍ଚଳର ଚାଷ କରାଯାଉଥିଲା। ତେବେ ଏବେ ଏହି ଅଞ୍ଚଳରେ ଆଉ ଆଖୁ ଚାଷ କରାଯାଇ ପାରୁନି। ଉମରକୋଟର ଭାସ୍କଲ ନଦୀ ରହିଥିବାବେଳେ ଚନ୍ଦାହାଣ୍ଡିର ତେଲନଦୀ ଓ ଡାବୁଗାଁର ଅଙ୍ଗୀ ନଦୀ, ପାପଡାହାଣ୍ଡି ବ୍ଲକର ଟୁରୀ ନଦୀ ଓ ତେନ୍ତୁଳିଖୁଣ୍ଟି ବ୍ଳକର ଗଣିଥାଟ ନଦୀ ଉପତ୍ୟକାରେ ହଜାର ହଜାର ହେକ୍ଟରରେ ଆଖୁଚାଷ କରାଯାଉଥିଲା। ତେବେ ସରକାରୀ ପ୍ରୋତ୍ସାହନ ଅଭାବ ସହ ବିକ୍ରିବଟାର ସୁବିଧା ନଥିବା, ରୋଗପୋକ ନିୟନ୍ତ୍ରଣ କରାଯାଇପାରୁନଥିବା କାରଣରୁ ଏହି ଅଞ୍ଚଳରେ ଏହି ଚାଷପ୍ରତି ବିମୁଖ ହୋଇଛି।

ଏହା ବ୍ୟତୀତ ଆଖୁରେ ଫୁଙ୍ଗାଲ ରୋଗ ଓ ରେଡରଟ ରୋଗ ବଢିବା ଓ ଆଖୁ ଫସଲକୁ ବହୁ ସଂଖ୍ୟାରେ ଭାଲୁ ଓ ବିଲୁଆ ନଷ୍ଟ କରିବା ମଧ୍ୟ ଏହି ଚାଷ ପ୍ରତି ବିମୁଖର ଅନ୍ୟତମ କାରଣ ହୋଇଛି। ବିଶେଷ କରି ଜିଲାରେ ଆଖୁ ବିକ୍ରି କରିବାକୁ ସରକାର ପକ୍ଷରୁ କୈାଣସି ବ୍ୟବସ୍ଥା ନାହିଁ, କିମ୍ବା ସରକାରୀ କୈାଣସି ଦର କରାଯାଇ ନାହିଁ। ଫଳରେ ଚାଷୀମାନେ କମ୍‍ ଦରରେ ବିକ୍ରି କରୁଥିବାରୁ ଆଖୁଚାଷର ଲାଭ ମିଳୁ ନ ଥିବା ଜଣାଯାଇଛି। ଯାହାକି ଏହି ଚାଷପ୍ରତି ଚାଷୀମାନେ ପୂର୍ବଭଳି ଆନ୍ତରିକତା ନଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲାର ସୀମାନ୍ତ ନବରଙ୍ଗପୁର ସହରରୁ ମାତ୍ର ୩ କିଲୋମିଟରରେ ଇନ୍ଦ୍ରାବତୀ ନଦୀ ପ୍ରଭାହିତ ହେଉଥିବାବେଳେ ନଦୀର ଅପରପାର୍ଶ୍ବ କୂଳରେ ମଧ୍ୟ ପ୍ରବଳ ଆଖୁଚାଷ କରଯାଉଛି। ଯାହାକି ସୀମାନ୍ତ ପଡୋଶୀ କୋରାପୁଟ ଜିଲାର ବୋରିଗୁମା, କୋଟପାଡ ବ୍ଲକ ଅଞ୍ଚଳ ସହିତ ପୋଡଶୀ ଛତିଶଗଡ ରାଜ୍ୟର ଜଗଦଳପୁର ଅଞ୍ଚଳରେ ପ୍ରବଳ ଆଖୁ ଚାଷ କରାଯାଉଛି। ଏହି ଅଞ୍ଚଳରେ ମଧ୍ୟ ପ୍ରାୟ ୭ହଜାର ହେକ୍ଟର ଆଖୁ ଚାଷ କରାଯାଉଥିବା କୁହାଯାଉଛି। ତେବେ ପ୍ରେତ୍ସାହନ ଅଭାବରୁ ଏହି ଅଞ୍ଚଳର ଚାଷୀମାନେ ଏବେ ନିରାଶାରେ ରହିଛନ୍ତି।

ବିଶେଷ କରି ନବରଙ୍ଗପୁର ଓ କୋରାପୁଟ ଜିଲାର ଆଖୁ ଚାଷୀମାନେ ଉଚିତ ମୂଲ୍ୟରେ ବିକ୍ରିକରିପାରୁନଥିବାବେଳେ ସେମାନେ ନିଜେ ଆଖୁ ବାଡରେ ଆଖୁଶାଳ କରି ଆଖୁରୁ ରସ ବାହାର କରି ଖନ୍ଧାଶାଳରେ ବଡ ବଡ ଲୁହା କଡାଇ ରେ ବସାଇ ନିଅାଁରେ ଆଖୁରସକୁ ଫୁଟାଇ ଶୁଖିବା ପରେ ଗୁଡପ୍ରସ୍ତୁତ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ପାରମ୍ପାରିକ ଭାବେ ଗୁଡପ୍ରସ୍ତୁତ କରାଯାଉଥିବାବେଳେ ଗୁଡ କଳା ଦିଶୁଥିବାରୁ ଏହାର ମାନ ବାହାର ବଜାରରେ ଗ୍ରହଣ ଯୋଗ୍ୟ ହୋଇ ପାରୁନି। ଫଳରେ ଚାଷୀ ମ।।ନେ ସ୍ଥାନୀୟ ବଜାରରେ କିଲୋ ୨୦ରୁ ୨୫ ଟଙ୍କା ଭିତରେ ବିକ୍ରି କରି ବହୁ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଜିଲାର ପ୍ରବଳ ଆଖୁ ଚାଷକୁ ଦେଖି ନବରଙ୍ଗପୁରରେ ଚିନି କାରଖାନା କରିବାକୁ ବହୁ ଉଦ୍ୟମ କରାଯାଇଛି। ନବେ ଦଶକରେ ସହରର ଗାନ୍ଧିନଗର ଅଞ୍ଚଳରେ ଶତାଧିକ ଏକର ଜମି ଚିନି କାରଖାନା ନିର୍ମାଣ ପାଇଁ ଇଡକୋ କୁ ଦିଆଯାଇଛି। ସେତେବେଳର କଂଗ୍ରେସ ସରକାର ପକ୍ଷରୁ ଏହି ଉଦ୍ୟମ କରାଯାଇଥିଲେ ହେଁ ସୁଫଳ ମିଳିନଥିଲା। ପୂର୍ବତନ ସାଂସଦ ଖଗପତି ପ୍ରଧାନୀଙ୍କ ଉଦ୍ୟମରେ ଅନେକ ଘରୋଇ କମ୍ପାନୀ ଆସି ଫେରିଯାଇଥିଲେ।

ସେହିପରି ପ୍ରାୟ ୨୦୦୫ ମସିହାବେଳକୁ ପୂର୍ବତନ ବିଜେପି ସାଂସଦ ପର୍ଶୁରାମ ମାଝୀ ସେ ତାଙ୍କର ସାଂସଦ କାଳରେ ନିଜସ୍ୱ ଉଦ୍ୟମରେ ଏକ ଘରୋଇ କମ୍ପାନୀ ଦ୍ୱାରା ‘ଇନ୍ଦ୍ରାବତୀ ସୁଗାର’ ନାମକ ଏକଚିନି କ।ରଖାନାକରିବାକୁ ଉଦ୍ୟମ କରିଥିଲେ। ଏପରିକି କମ୍ପାନୀର ଲଗୋ ଥାଇ ପେନ, ଡାଏରୀ ଓ ବ୍ୟାଗ ସବୁ ବଣ୍ଟା ଯାଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଥିଲା। କାରଖାନା ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତ କରାଯାଇଥିଲେ ହେଁ ଏହା ମଧ୍ୟ ଫଳବତୀ ହୋଇ ନଥିଲା। ପରବର୍ତ୍ତୀ ସମୟରେ ଗତ ୫ବର୍ଷ ତଳେ ନୟାଗଡ ସୁଗର କମ୍ପାନୀ ପକ୍ଷରୁ ଶିଳ୍ପପତି ତ୍ରୋଲୈକ୍ୟନାଥ ମିଶ୍ରଙ୍କର ଦ୍ୱାର ଚିନି କାରଖାନା ପାଇଁ ଚୁଡାନ୍ତ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କର ସିଙ୍ଗଲଉଇଣ୍ଡୋ କ୍ଲିୟରାନ୍ସ ମିଳିଥିଲା। ନବରଙ୍ଗପୁରରେ କମ୍ପାନୀର ଏକ କାର୍ଯ୍ୟାଳୟ ମଧ୍ୟ ଉଦ୍‍ଘାଟିତ ହୋଇଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସରକାରୀ ଜମି ମଧ୍ୟ ଇଡକୋ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ତେବେ ବିଜେଡି ଓ କଂଗ୍ରେସ କଳି ଭିତରେ ଏହି ଚିନି କାରଖାନା କାମ ଆଗେଇ ପାରିନଥିଲା। ଏହାଛଡା ପୂର୍ବରୁ ବିଭିନ୍ନ ସମୟରେ ଦିଲ୍ଲୀ ଓ ପଞ୍ଚାବର ଅନେକ ଚିନି କମ୍ପାନୀ ଆସି କ୍ଷେତ୍ର ପରିଦର୍ଶନ କରି ଜିଲା ପ୍ରଶାସନ ସହିତ ବୈଠକ କରି ଫେରିଯାଇଥିଲେ ହେଁ କୈାଣସି ସଫଳତା ମିଳିପାରିନି। ବିଶେଷ କରି ଜିଲାରେ ରେଳପଥ ଓ ଭଲ ରାସ୍ତା ନଥିବାରୁ ଉତ୍ପାଦିତ ମାଲ ପରିବହନ ପାଇଁ ବହୁ ଅସୁବିଧା ହେବ ବୋଲି ଦର୍ଶାଇ ପଛଘୁଞ୍ଚା ଦେଇଛନ୍ତି। ରାଜ୍ୟ ସରକାର କୃଷିପ୍ରଧାନ ଜିଲାରେ କୃଷି ଭିତ୍ତିକ କାରଖାନା ପାଇଁଗୁରୁତ୍ୱ ଦିଆଯିବା କଥା କହୁଥିବାବେଳେ ଏହି ପଛୁଆ ଜିଲାରେ ଗୋଟିଏ ମଧ୍ୟ କାରଖାନା ନାହିଁ। ଜିଲାରେ ଚିନି କାରଖାନା ପାଇଁ ପର୍ଯ୍ୟାପ୍ତ ସୁବିଧା ଓ କଞ୍ଚାମାଲ ରହିଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେଲେ ଜିଲାରେ ଆଖୁ ଚାଷ ପୂର୍ବବତ ବ୍ୟାପକ ହୋଇପାରିବ ଓ ଚାଷୀମାନେ ଦ୍ୱିଗୁଣିତ ଚାଷ କରିପାରିବେ। ଜିଲାର ରେଳପଥ(ଜୟପୁର ଠାରୁ ନବରଙ୍ଗପୁର) ଓ ଭାରତମାଳା ଯୋଜନା ଜାତୀୟ ରାଜପଥ ଓ ଜାତୀୟ ୨୬ନମ୍ବର ସଡକପଥ ତ୍ୱରାନ୍ୱିତ କରାଯାଇ ଚିନି କାରଖାନା ପ୍ରତିଷ୍ଠା କରାଗଲେ ନବରଙ୍ଗପୁର ଓ କୋରାପୁଟ ଜିଲାର ଆଖୁ ଚାଷୀମାନେ ଫସଲ ଦୁଇଗୁଣିତ କରିବା ସହ ଆର୍ଥୀକ କ୍ଷେତ୍ରରେ ଲାଭବାନ ହୋଇପାରିବେ। ଯାହାକି ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସହିତ ବେକାରୀଙ୍କୁ କର୍ମନିଯୁକ୍ତିରେ ବିଶେଷ ସହାୟକ ହୋଇପାରନ୍ତା।

 

 

 

Comments are closed.