ଦଳ ବିଶ୍ୱାସଘାତ କରିଛନ୍ତି ପ୍ରଦୀପ ମାଝୀ, ଜିଲା ଓ ବ୍ଳକ କଂଗ୍ରେସ କମିଟି ଭଙ୍ଗ ଘୋଷଣା

ନବରଙ୍ଗପୁର: ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳରୁ ଇସ୍ତଫାଦେବାପରେ ଆଜି ଅଚାନକଭାବେ ଜିଲା କଂଗ୍ରେସ କମିଟି ଓ ବ୍ଳକ କଂଗ୍ରେସ କମିଟିକୁ ଭଙ୍ଗ କରାଯାଇଛି। ଦଳର ବହୁ ନେତା କଂଗ୍ରେସ ଛାଡିବାର ସୂଚନା ପାଇଁ କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତୀ ନିଆଯାଇଛି। ଏହିଅବସରରେ ଆଜି ଅପରାହ୍ନରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଜିଲା ପ୍ରଭାରୀ ,ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ତଥା ପୂର୍ବତନ ସାଂସଦ ନକୁଳ ନାୟକ ଯୋଗଦେଇ ନିଲମ୍ବନ ପୂର୍ବରୁ ପ୍ରଦୀପ କଂଗ୍ରେସରୁ ଇସ୍ତଫାଦେଇଥିବା କହିଥିଲୋ ପ୍ରଦୀପ ମାଝୀଙ୍କୁ କଂଗ୍ରେସ ବହୁ ପଦବୀ ସହିତ ସୁଯୋଗ ଦେଇଥିଲା। ସେ ଦଳରେ ରହି ବିଜେଡି ସଙ୍ଗଠନ କରୁଥିଲେ। ଜିଲାର ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ଛାଡିବାକୁ ପ୍ରବର୍ତ୍ତାଉଥିଲେ। ସେ ଦଳ ପ୍ରତିତାତ୍ସଲ୍ୟ କରିବା ଶୋଭାପାଉନି ବୋଲି କହିଥିଲୋ ତେବେ ନିଲମ୍ବନ ପୂର୍ବରୁ ସେ ଇସ୍ତଫାଦେଇ ଚର୍ଚ୍ଚାର ଅନ୍ତ ଘଟାଇଥିବା କହିଥିଲେ। ସେ କଂଗ୍ରେସ ବିଧାୟକ ପ୍ରାର୍ଥୀମାନଙ୍କୁ ନିର୍ବାଚନର ଦୁଇ ଦିନ ପୂର୍ବରୁ ଟିକଟ ଦେଇଥିଲେ। କଂଗ୍ରେସ ଏକ ବିରାଟ ଦଳ ହୋଇଥିବାବେଳେ କାହାକୁ ନିଲମ୍ବନ କରିନଥାଏ। ତେବେ ପ୍ରଦୀପଙ୍କୁ ଦଳ ନିଲମ୍ବନ ନକରି ଇସ୍ତଫାଦେବାକୁ କୁହାଯାଇଥିଲା।ଯଦି ସେ ଆଜି ଇସ୍ତଫା ଦେଇନଥିଲେ ତାଙ୍କୁ ନିଲମ୍ବନ କରାଯାଇଥାନ୍ତା। ସେ ତରବରିଆ ଭାବେ ତାଙ୍କର ଇସ୍ତଫା ପତ୍ରରେ ତାରିଖ ବଦଳାଇ ଇସ୍ତଫା ଦେଇଛନ୍ତି।

 

ଦଳକୁ ବିଶ୍ୱାସଘାତ କରିଛନ୍ତି। ସେ ଦଳରେ ରହି ତାଙ୍କର ଅନୁଗତମାନଙ୍କୁ ବିଭିନ୍ନ ପଦପଦବୀରେ ରଖିଥିଲୋ ଏବେ ତାଙ୍କୁ ଦଳର ଇସ୍ତଫାଦେବାକୁ କହୁଛନ୍ତି। ଏପରି କରି ସେ କଂଗ୍ରେସକୁ ବିଭାଜନ କରିଥିବାର ଶ୍ରେୟ ନେବାକୁ ଉଦ୍ୟମ କରିଥିବା କହିଥିଲେ। ତେବେ ଏହାକୁ ଦୃଷ୍ଟିରେ ପ୍ରଦେଶ କଂଗ୍ରେସ କମିଟିର ସୁପାରିଶ କ୍ରମେ ଏଆଇସିସିର ଅନୁମୋଦନରେ ଜିଲା କଂଗ୍ରେସ କମିଟି ଓ ବ୍ଳକ କଂଗ୍ରେସ କମିଟିକୁ ଭଙ୍ଗ କରୁଥିବା ଘୋଷଣା କରିଥିଲେ। ଆସନ୍ତା ନଭେମ୍ବର ରୁ ମାର୍ଚ୍ଚପର୍ଯ୍ୟନ୍ତ ସଦସ୍ୟତା ସଂଗ୍ରହ ସରିବା ପରେ ନୂତନ କମିଟି ଗଠନ କରାଯିବ ବୋଲି କହିଥିଲେ। ବର୍ତ୍ତମାନ କେବଳ ଜିଲା ସଭାପତି ମୁନା ତ୍ରିପାଠୀ, ପିସିସି ଉପସଭାପତି ସଦନ ନାୟକ ଓ ପିସିସି ଉପସଭାପତି ଭୂଜବଳ ମାଝୀ ଜିଲାର ସଂଗଠନ ଦାୟୀତ୍ୱରେ ରହିବେ ବୋଲି କହିଥିଲେ। ପ୍ରଦେଶ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ କଂଗ୍ରେସରେ ବିଶ୍ୱାସ ଘାତର ସ୍ଥାନ ନଥିବା କହିଥିଲେ। କଲମି ଗଛର ଶାଖା କେବେ ମଧ୍ୟ ଟାଣନଥାଏ ବୋଲି ସମାଲୋଚନା କରିଥିଲେ। ସେ ଦଳକୁ ଆସିଥିଲେ ଚାଲିଗଲେ ଏଥିରେ କଂଗ୍ରେସର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଥିଲେ। ପ୍ରଦେଶ କଂଗ୍ରେସ କମିଟି ର ଉପସଭାପତି ତଥାଡାବୁଗାଁର ପୂର୍ବତନ ବିଧାୟକ ଭୂଜବଳ ମାଝୀ କଂଗ୍ରେସ ଛାଡି କେହି ଗଲେ ମଧ୍ୟ ଦଳ ଦୁର୍ବଳ ଭାବିବା ଉଚିତ ନୁହେଁ। ଆଗାମୀଦିନରେ ଦଳ ଅଧିକ ମଜଭୂତ ହେବ। କଂଗ୍ରେସ ଲୋକଙ୍କର ସମସ୍ୟାରେ ସାମିଲ ହେବ ଓ ବିକାଶ ରେ ସହଯୋଗ କରିବ। କଂଗ୍ରେସ ମା’ସଦୃଶ୍ୟ। ପିଲା ବଡହେଲେ ମା’କୁ ଛାଡିବା ଅନୁଚିତ ବୋଲି କହିଥିଲେ। ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଅଗାମୀ ଦିନରେ କଂଗ୍ରେସ ଅଧିକ ଶକ୍ତିଶାଳୀ କରି ସଙ୍ଗଠନ କୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଜିଲା ଉପସଭାପତି ଦିଲୀପ ବେହେରା, କୁନା ପାଢୀ, ବୃନ୍ଦା ତ୍ରିପାଠୀ, ଶ୍ରୀକାନ୍ତ ମିଶ୍ର, ଅବଦୁଲ ଫିରୋଜ ଓ ଦ୍ୱାରିକା ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।

 

Comments are closed.