ନବରଙ୍ଗପୁରରେ ଚାଲିଛି ବେଆଇନ ବାଲି କାରବାର, ରାଜସ୍ୱ ବିଭାଗ ନୀରବ

ନବରଙ୍ଗପୁର: ରାଜ୍ୟ ସରକାରଙ୍କର ଟିକସ ଫାଙ୍କି ଅବାଧରେ ଚାଲିଛି ବେଆଇନ ବାଲି କାରବାର। ନବରଙ୍ଗପୁର ତହସିଲ ଅଧିନରେ ଏହି ବାଲିଘାଟ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ବିକ୍ରମପୁର ଓ ଚଟ୍ଟାହାଣ୍ଡି ନିକଟସ୍ଥ ବାଲି ଘାଟରୁ ବେଆଇନ ଭାବେ ଟନ୍‍ ଟନ୍‍ ବାଲି ଉଠାଣ କରାଯାଉଛି। ଏହି ବାଲିଘାଟକୁ ନେଇ ସରକାରୀ ଭାବେ ନିଲାମ କରାଯାଇ ନାହିଁ। ତେବେ କିଛି ମୁଷ୍ଠିମେୟ ଲୋକ ଏହି ବାଲି ଉଠାଣ କରି ବିକ୍ରି କରୁଥିବା ଜଣାପଡିଛି। ରାଜସ୍ୱ ବିଭାଗ ସବୁ ଜାଣି ମଧ୍ୟ ପଦକ୍ଷେପ ନେଉନଥିବାରୁ ବିଭାଗୀୟ ଭୂମିକା ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିଥିବା ବେଳେ କିଭଳି ପ୍ରଶାସନ ପଦକ୍ଷେପ ନେଉ ନାହିଁ ତାହା ମଧ୍ୟ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତେବେ ଅଭିଯୋଗ କରାଗଲେ କେବଳ ନାମକୁ ମାତ୍ର ଫାଇନ୍‍ କରାଯାଉଥିବା କୁହାଯାଉଛି। ବର୍ଷା ଋତୁପୂର୍ବରୁ ନଦୀଘାଟରୁ ଟନ ଟନ ବାଲି ଗଚ୍ଛିତ ରଖାଯାଇଥିବା ବେଳେ ବର୍ଷା ଋତୁରେ ବାଲି ଚଢାଦରରେ ବିକ୍ରି କରୁଥିବା ଜଣାଯାଇଛି। ସେହିପରି ବେଆଇନ ବାଲି ଉଠାଣ ବେଳେ ନମ୍ବର ବିହୀନ ଟ୍ରାକ୍ଟର, ଟିପ୍ପର ଓ ଜେସିବି ବ୍ୟବହାର କରାଯାଉଥିବା ଜଣାପଡିଛି। ଏହି ବେଆଇନ ବାଲି କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ବୃନ୍ଦାବନ ତ୍ରିପାଠୀ ଓ ମନୋଜ ମହାଙ୍କୁଡ ପ୍ରମୂଖ ଦାବି କରିଛନ୍ତି।

Comments are closed.