୪ଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗର ନିଘା ନାହିଁ

ନବରଙ୍ଗପୁର: ନବରଙ୍ଗପୁର ସହର ମଧ୍ୟରେ ଥିବା ବିଦ୍ୟତ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି। ହେଲେ ଏଥିପ୍ରତି ବିଦ୍ୟୁତ ବିଭାଗର ନିଘାନଥିବା ଅଭିଯୋଗ େହୋଇଛି। ଗତ ଚାରିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଦଶହରା ପଦାଠାରୁ ଜିଲା ମୁଖ୍ୟଡାକ୍ତରଖାନା ରାସ୍ତା ମଝିରେ ଥିବା ବ୍ରିଜ ନିକଟ ପାର୍ଶ୍ବ ରାସ୍ତା ଭାଙ୍ଗିଯାଇ ଭାସିଯାଇଛି। ସେଠାରେଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ରାସ୍ତାକଡ ପଟରେ ଥିବା ଗୋଟିଏ ବିଦ୍ୟୁତ ଖମ୍ବ ନିକଟରୁ ସିମେଣ୍ଟ ରାସ୍ତା ମଧ୍ୟ ଧୋଇ ହୋଇଯାଇଛି। ଫଳରେ ଏହି ସିମେଣ୍ଟ ଖମ୍ବତଳ ଅଂଶଟି ଭାଙ୍ଗିଫାଳ ହୋଇଯାଇଛି। ଦୁଇଟି ସିମେଣ୍ଟ ଖମ୍ବ ଉପରେ ବଡ ଟ୍ରାନ୍ସଫର୍ମର ରହିଛି। ଏଥିରେ ୧୧ ହଜାର କେଭିର ବିଦ୍ୟୁତ ସଂଯୋଗ ହୋଇଥିବା କୁହାଯାଉଛି। ତେବେ ଗୋଟିଏ ଖମ୍ବଟି ଭାଙ୍ଗିଯାଇଥିବାରୁ ଏହା ରାସ୍ତାପଟକୁ ସାମାନ୍ୟ ଢଳି ଯାଇଛି। କେତେବେଳେ ଏହି ଟ୍ରାନ୍ସଫର୍ମରଟି ରାସ୍ତା ଉପରକୁ ଢଳିଯାଇ ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। ସାମାନ୍ୟ ବର୍ଷା ଓ ପବନ ହେଲେ ଭାଙ୍ଗିଥିବା ଖମ୍ବଟି ରାସ୍ତାପଟତଳେ ପଡିଯିବାର ସମ୍ଭାବନା ଦେଖାଦେଇଛି। ଏହି ଜରୁରୀକାଳୀନ ରାସ୍ତାଦେଇ ପ୍ରତିଦିନରାତ୍ରି ବହୁ ଯାନବାହନ ଓ ଆମ୍ବୁଲାନ୍ସ ଯାତାୟତ କରୁଛି। ଏହାର ସହର ଠାରୁ ଜିଲା ଡାକ୍ତରଖାନା ଯିବାକୁ ମୁଖ୍ୟରାସ୍ତା ଅଟେ। ତେବେ ଏହି ଖମ୍ବତଳଅଂଶ ଭାଙ୍ଗି ଚାରିଦିନି ବିତିଯାଇଥିଲେ ମଧ୍ୟ ବିଦ୍ୟୁତବିଭାଗ କୈାଣସି ପଦକ୍ଷେପ ନେଉନଥିବା ଜଣାଯାଇଛି । ଏହି ରାସ୍ତାଦେଇ ଯାତାୟତ କରିବାକୁ ଲୋକମାନେ ଭୟ କରୁଛନ୍ତି। ଏସଂପର୍କରେ କେତେକ ବ୍ୟକ୍ତି ବିଦ୍ୟୁତ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କରିଥିବାବେଳେ ସେ ଏହା ଘରୋଇ ଟ୍ରାନ୍ସଫର୍ମର ବୋଲି କହି ମରାମତି କରିବାକୁ ମନାକରି ଥିବା ଗୁରୁତର ଅଭିଯୋଗ ହୋଇଛି। ତେବେ ଯଦି ଏଠାରେ କୈାଣସି ଅଘଟଣ ଘଟେ ତାହାହେଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ବୋଲି ପ୍ରଶ୍ନ ହୋଇଛି। ଏସଂପର୍କରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ସୁଶାନ୍ତ କୁମାର ସାହୁଙ୍କୁ ପଚାରିବାରୁ ସେ କୋଷାଗୁମୁଡା ବନ୍ୟା କ୍ଷତିଗ୍ରସ୍ତ କାମରେ ବ୍ୟସ୍ତ ରହିଥିବା କହିବା ସହ ଏହି ଟ୍ରାନ୍ସଫର୍ମର ଖମ୍ବର ମରାମତି ପାଇଁ ଆସନ୍ତାକାଲି ପଦକ୍ଷେପ ନେବେ ବୋଲି କହିଛନ୍ତି।

Comments are closed.