ସ୍କୁଲ ବହି କିଣାରେ ଦୁର୍ନୀତି ଅଭିଯୋଗ, ନବରଙ୍ଗପୁର ଡିଇଓଙ୍କ ନାମରେ ଥାନାରେ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଜିଲା ଶିକ୍ଷାଧିକାରୀ ସ୍କୁଲ ଲାଇବ୍ରେରୀ ବହି କିଣାରେ ଲକ୍ଷାଧିକ ଟଙ୍କା ଅନିୟମିତତା କରିଥିବା ନେଇ ଥାନାରେ ଏତଲା ଦେଲେ ଓକିଲ ମୃତ୍ୟୁଞ୍ଜୟ ମହାରଣା। ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲାର ୧୭୦ ହାଇସ୍କୁଲ ଓ ୧୭୩୦ ଗୋଟି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇବ୍ରେରୀ ବହି କିଣିବା ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ପ୍ରଥମେ ୧୯.୧୦ ଲକ୍ଷ ପରେ ୭୪.୧୨ ଲକ୍ଷ ମୋଟ ୯୩.୨୨ ଲକ୍ଷ ଟଙ୍କାର ଅନୁଦାନ ଫେବୃଆରୀ ୨୦୧୯ ରେ ଜିଲ୍ଲା ଶିକ୍ଷାଧିକାରୀ ଗ୍ରହଣ କରିଥିଲେ। ଏହି ଅର୍ଥକୁ ଜିଲା ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ସରକାର ନିୟମକୁ ଉଲ୍ଲଂଘନ କରି ୯୩.୨୨ ଲକ୍ଷ ଟଙ୍କାର ଦୁର୍ନୀତି କରିଥିବା ନେଇ ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ବହି କିଣାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପିଡି ଡିଆରଡିଏ ଏହାର ତଦନ୍ତ କରି ଜିଲା ଶିକ୍ଷାଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ ଜିଲାପାଳଙ୍କ ଅଜାଣତରେ ଓସେପା ଗାଇଡ ଲାଇନକୁ ଉଲଙ୍ଘନ କରିବା ସହ ଏଥି ପାଇଁ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା, ବିଜ୍ଞାପନ କିମ୍ବା ଉଚ୍ଚପଦାଧିକାରୀଙ୍କ ବିନା ଅନୁମୋଦନରେ ବେସରକାରୀ ପ୍ରକାଶକରେ ବହି କିଣି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ରିପୋର୍ଟରେ ଦର୍ଶାଯାଇଛି।

 

କିନ୍ତୁ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ ଜିଲା ଶିକ୍ଷାଧିକାରୀ ଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଶ୍ରୀ ମହାରଣା ଥାନାରେ ଡିଇଓ ପାଣିଗ୍ରାହୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରି ତୁରନ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଗିରଫ କରିବା ସହ ଚଞ୍ଚକତା କରିଥିବା ସରକାରୀ ଅନୁଦାନକୁ ତାଙ୍କ ଠାରୁ ଆଦାୟ କରିବାକୁ ଶ୍ରୀ ମହାରଣା ଦାବି କରିଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ସ୍କୁଲ ଗୁଡ଼ିକ ଏନସିଆରଟି, ଏନବିଟି, ରାଜ୍ୟ ସରକାର ପ୍ରକାଶିତ କିମ୍ବା ଏସସିଇଆରଟି ଠାରୁ ବହି କିଣିବାକୁ ନିୟମ ରହିଥିବା ବେଳେ କୌଣସି ବେସରକାରୀ ବହି ଦୋକାନରେ ବହି କିଣି ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିବା ବିଜେପି ନେତା ଗୌରୀ ଶଙ୍କର ମାଝୀ ଅଭିଯୋଗ କରିଛନ୍ତି। ଉକ୍ତ ବହି କିଣା ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି ତୁରନ୍ତ ଗିରଫ କରିବା ସହ ଚଞ୍ଚକତା ହୋଇଥିବା ସରକାରୀ ଅନୁଦାନକୁ ସଂପୃକ୍ତ ବ୍ୟକ୍ତି ମାନଙ୍କ ଠାରୁ ଆଦାୟ କରାଯାଉ ବୋଲି ଶ୍ରୀ ମାଝୀ ଦାବି କରିଛନ୍ତି। ଏହି ଏତଲା ପ୍ରଦାନ ବେଳେ ଓକିଲ ମୃତାଞ୍ଜୟ ମହାରଣା ସହ ଗୌରୀଶଙ୍କର ମାଝୀ, ପିଣ୍ଟୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.