ୟୁପିଆଇ ମାଧ୍ୟମରେ ଟଙ୍କା ଆଦାୟ କରି ୩ ସାଇବର ଠକ ଗିରଫ

ନବରଙ୍ଗପୁର: ସାଇବର ଠକେଇ ଅଭିଯୋଗରେ ନବରଙ୍ଗପୁର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ୟୁପିଆଇ ମାଧ୍ୟମରେ ଟଙ୍କା ହାସଲ କରୁଥିବା ଅଭିଯୋଗ ରେ ତିନି ସାଇବର ଲୁଟେରା ଗିରଫ କରିବାରେ ନବରଙ୍ଗପୁର ପୁଲିସ ସଫଳ ହୋଇଛି। ନବରଙ୍ଗପୁର ପଠାଣ ସାହିର ପି. ରଞ୍ଜିତ କୁମାର ଗତ ୬ ତାରିଖରେ ୩୨ ହଜାର ଟଙ୍କାର ଠକେଇର ଶିକାର ହୋଇ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ କେସ ନମ୍ବର ୩୯୬/ ୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ନୟାଗଡ଼ ଜିଲା ନୂଆଗାଁ ଥାନା ଅଧିନ ସୋରଡ଼ା ଅଞ୍ଚଳର ଦୀପକ ଓରଫ ରାଜେଶ ଓରଫ କାର୍ତ୍ତିକ ରାଉତରାୟ (୩୩)କୁ କଟକ ବୈଦେଶ୍ୱର ଥାନା ଅଞ୍ଚଳରୁ ଗିରଫ କରିଥିବା ବେଳେ ଖୋର୍ଦ୍ଧା ଦଧିବାମନ ସାହିର ଅମୀୟ କୁମାର ପ୍ରଧାନ ଓରଫ ଚିଣ୍ଟୁ (୨୩)କୁ ଖୋର୍ଦ୍ଧାରୁ ଗିରଫ କରାଯାଇଛି। ସେହିଭଳି ନୟାଗଡ଼ ଜିଲା ଖଣ୍ଡପଡା ଥାନା ଅଧିନ ଶିଖରପୁରର ଚିଙ୍କୁ ଓରଫ ଶ୍ରୀଧର ବରାଡ଼ (୧୯)କୁ ବିଜିପୁରରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧୧ଟି ସିମ କାର୍ଡ, ୬ ଟି ମୋବାଇଲ ଫୋନ, ୩ଟି ଏଟିଏମ କାର୍ଡ, ଗୋଟିଏ ପ୍ୟାନ କାର୍ଡ, ୩ ଟି ଆଧାର କାର୍ଡ ଓ ନଗଦ ୫୨୦୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନେ ବିଭିନ୍ନ ସମୟରେ ଲୋକଙ୍କୁ ଏକ ଅଜଣା ଫୋନ ନମ୍ବରରୁ କଲ କରୁଥିଲେ ଏବଂ ସେମାନଙ୍କୁ କେତେବେଳେ ସମ୍ପର୍କର ଦ୍ୱାହି ତ ଆଉ କେତେବେଳେ ବିଭିନ୍ନ ଉପାୟ ଅବଲମ୍ବନ କରି ନିଜ ଜାଲରେ ଫସାଉଥିଲେ। ନିରୀହ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୁକ୍ତ ମାନେ ସ୍ୱୀକାର କରିଥିବା ନବରଙ୍ଗପୁର ପୁଲିସ ଠାରୁ ସୂଚନା ମିଳିଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଅଞ୍ଚଳର ଅମୀୟ କୁମାର ପ୍ରଧାନ ମାଷ୍ଟର ମାଇଣ୍ଡ ଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.