ଇନ୍ଦ୍ରାବତୀ ବିସ୍ଥାପିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି, ବୈଠକରେ ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ

ନବରଙ୍ଗପୁର: ମିଶନଶକ୍ତି ହଲଠାରେ ଇନ୍ଦ୍ରାବତୀ ବିସ୍ଥାପିତ ସମସ୍ୟା ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଡଃ.ଅଜିତ୍ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ଉପର ଇନ୍ଦ୍ରାବତୀ ପ୍ରକଳ୍ପ, ଖାତିଗୁଡାର ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ.ଜି.ସି ସାହୁ, ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତୀକ, ନିର୍ବାହୀ ଯନ୍ତ୍ରୀ ଏସ ଆଣ୍ଡଏମ୍ ଡିଭିଜନ ଇଂ. ଲମ୍ବୋଦର ପୁହାଣ, ନିର୍ବାହୀଯନ୍ତ୍ରୀ ପୋଡାଗଡ ଡ୍ୟାମ ଡିଭିଜନ ଇଂ.ତପନ କୁମାର ସାହୁ,ଅର୍ଥପରିଚାଳକ ସୁମନ କୁମାର ମଲ୍ଲିକ ଓ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ନବରଙ୍ଗପୁର ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ, ଉଠାଜଳଚେସନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଗ୍ରାମ୍ୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ବୁଡି ଅଞ୍ଚଳ ଗଣପରିଷଦର ଦାବି ସଂପର୍କରେ ବିସ୍ଥାପିତଙ୍କର ସମସ୍ୟାର ଆଲୋଚନା କରାଯାଇଥିଲା। ପ୍ରକଳ୍ପର ବିସ୍ଥାପିତଙ୍କର ତାଲିକା ୧୦୪ ଜଣଙ୍କର ଟଙ୍କା ବ୍ୟାଙ୍କରେ ରହିଥିବାବେଳେ ଏହାର ପାସବହି ଆରଆରଓରେ ରହିଥିବା ପରିଷଦ ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ କେବଳ ୫୩ ଜଣ ତାଲିକା ରହିଥିବା ପ୍ରକଳ୍ପ ପକ୍ଷରୁ କୁହାଯାଇଛିା ଅଭିଯୋଗ ପ୍ରକାରେ ବଳକା ଲୋକଙ୍କର ଯାଞ୍ଚକରି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ।
ଆରଆରଓ ର ୧୧୩୩ ଜଣଙ୍କର ପାସବୁକ ରହିଥିଲେ ହେଁ ତାହାଛୋଟ ପାସ ବୁକ୍ ହୋଇଥିବାବେଳେ ଏହାର ଅପଟୁଡେଟ କରାଯାଇ ନ ଥିବାରୁ ବହୁ ଅସୁବିଧା ହେଉଥିବା କୁୂହାଯାଇଥିଲା। ତେବେ ଏଥିପ୍ରତି ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟସରକାର ପଲିସିର ନିଷ୍ପତ୍ତି ନେଉଥିବାବେଳେ ଜିଲାପାଳସ୍ତର ସମସ୍ୟାର ସମାଧାନ ସେ କରିପାରିବେ ବୋଲି ଜିଲାପାଳ କହିଥିଲେ। ଗତ ୨୦.୧୨.୧୬ରେ ବିସ୍ଥାପତିଙ୍କର ଜମିର ମ୍ୟୁଟେସନର ପ୍ରୋସେସ୍ କ୍ୟାମ୍ପକୋର୍ଟ ମାଧ୍ୟମରେ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ବିସ୍ଥାପତିଙ୍କର ଜମି ପଟ୍ଟା ମିଳି ପାରିନଥିବା ଅଭିଯୋଗ ହୋଇଥିଲା। ତେବେ ପୂର୍ବରୁ ଆରଡିସି ଏହି ଭୂ-ବନ୍ଦୋବସ୍ତ କାର୍ଯ୍ୟ କରୁଥିବାବେଳେ ଏବେ ଜିଲାପାଳଙ୍କୁ କ୍ଷମତା ଦିଆଯାଇଛି। କୋରାନା କାରଣରୁ ଗତ ୧୦ମାସଧରି ଭୂ-ବନ୍ଦୋବସ୍ତ କୋର୍ଟ ବନ୍ଦ ରହିଥିବାବେଳେ ଏବେ ଖୋଲା ଯାଇଛି। ତେଣୁ ଏଣିକି ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲୋ। ୟାଦାସ କପି ମିଳିଲେ ପଟ୍ଟଦିଆଯିବ ବୋଲି କୁହାଯାଇଥିଲା। ଦାବି ପ୍ରକାରେ ବିସ୍ଥାପତିଙ୍କର ଗ୍ରାମରେ ଗଭୀର ବୋରୱେଲ କରିବାକୁ ପଦକ୍ଷେପ ନିଆଯିବବୋଲି କହିଥିଲୋ ଓଏଚପିସି ମାଧ୍ୟରେ ଗଭୀର ବୋରୱେଲ ଖନନ, କମ୍ୟୁନିଟି ବୋରୱେଲ ଖନନ ଓ ଆଡିବନ୍ଧ ନିର୍ମାଣ କରିବାକୁ ଦାବି କରାଯାଇଥିିଲା। ତେବେ ଏହାର ତଦନ୍ତ କରି ସର୍ଭେ କରିବାସହ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ। ବିସ୍ଥାପିତ ଗଣ ପରିଷଦର ସଭାପତି ଦୈତାରୀ ବିଷୋୟୀ ଓ ସମ୍ପାଦକ ସୁଧୀର କୁମାର ସୁନା ଏହି ପ୍ରକଳ୍ପର ୬୧୩୩ ବିସ୍ଥାପିତ ପରିବାର ରହିଥିବାବେଳେ ସେମାନେ ସେମାନଙ୍କର ପୂର୍ବପୁରୁଷର ଭିମଟାମାଟି ଓ ଜମି ହରାଇଥିବା କହିବା ସହ ଏମାନଙ୍କୁ ନ୍ୟାୟପ୍ରଦାନ କରିବାକୁ ଦାବି କରିଥିଲେ। ପ୍ରକଳ୍ପରେ ବିସ୍ଥାପିତ ପରିବାରର ପିଲାମାନଙ୍କୁ ସୁରକ୍ଷା କର୍ମୀ ଭାବରେ ନିଯୁକ୍ତି ଦେବାକୁ ଦାବି ହୋଇଥିଲା। ବାହାର ପିଲାଙ୍କୁ ନୁଯୁକ୍ତି ଦିଆଯାଉଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏଥିପ୍ରତି ପ୍ରାଥମିକତା ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପର ୩୭ଟି ବିସ୍ଥାପିତ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇନଥିବା ଅଭିଯୋଗ କରାଯାଇଥିଲା। ଓଏଚ୍ପିସି ଦେଇଥିିବା ଟଙ୍କାର କାମ ହୋଇନଥିବା ବିସ୍ଥାପିତ ଗଣ ପରିଷଦ ନେତା ମାନନ୍ତ କୁମାର ଭଇଁସା ଅଭିଯୋଗ କରଥିଲେ।
ଖାତିଗୁଡାରେ +୩ କଲେଜ କରିବାକୁ ଦାବି କରିଥିଲେ ଓ ଉଚ୍ଚ ଶିକ୍ଷାରେ ବିସ୍ଥାପିତ ପରିବାରର ପିଲାମାନଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି କରାଯାଇଥିଲା। ଖାତିଗୁଡା ଡାକ୍ତରଖାନରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ଗର୍ଭବତୀ ମହିଳାମାନେ ବହୁ ହଇରାଣ ହେଉଥିବା କୁହାଯାଇଥିଲା। ତେବେ ଡାକ୍ତର ଅଭାବ ରହିଥିବାବେଳେ ଏଥିପାଇଁ ବିଜ୍ଞାପନ ପ୍ରକାଶିତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସିଏସଆର ପାଣ୍ଠି ରେ ପାତର ଅନ୍ତର ନୀତି ଆପଣାଯାଉଥିବାବେଳେ ମୁଖିଗୁଡା ଅଞ୍ଚଳରେ ବହୁ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଖାତିଗୁଡା ଅଞ୍ଚଳରେ ଖର୍ଚ୍ଚ ହେଉନାହିଁ। ଏହାକୁ ନେଇ ଅଭିଯୋଗ କରାଯିବା ପରେ ଖାତିଗୁଡାର କଲେଜକର୍ମଚାରୀ ଦରମା ବାବଦୁକ ବହୁ ଟଙ୍କା ଖର୍ଚ୍ଚ କରାଯାଉଥିବା ସିସିଇ ଇଂ.ସାହୁ କହିଥିଲେ। ବୈଠକରେ ପରିଷଦର ଦୁଇ ଗୋଷ୍ଠି ମଧ୍ୟରେ କିଛି ସମୟ ପାଇଁ ପାଟିତୁଣ୍ଡ ହୋଇଥିଲା। ଜିଲାପାଳ ହସ୍ତକ୍ଷେପ କରିବା ପରେ ଶାନ୍ତ ପଡିଥିଲା। ତେବେ ଏହି ଦାବିଗୁଡିକ ତୁରନ୍ତ ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳଡଃ.ମିଶ୍ର କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏଥିରେ ଗଣପରିଷଦର ସମସ୍ତ କର୍ମକର୍ତ୍ତା ଓ ବିସ୍ଥାପିତ ଲୋକ ଯୋଗଦେଇଥିଲେ।