କେନ୍ଦ୍ରମନ୍ତ୍ରୀଙ୍କର ପାପଡାହାଣ୍ଡି ସହୀଦ ମୀନାର ପରିଦର୍ଶନ

ନବରଙ୍ଗପୁର: କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍‍ ବାର୍ଲା ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗସ୍ତ ଅବସରରେ ଆଜି ପାପଡାହାଣ୍ଡି ସହୀଦମୀନାର ପରିଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ସହୀଦ ସ୍ମୃତି କମିଟିର ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୋମନାଥ ବିଷୋୟୀ ସ୍ୱାଗତ ଜଣାଇବା ସହିତ ଏହାର ଇତିହାସ ସଂପର୍କରେ ଅବଗତ କରାଇଥିଲେ। ୧୯୪୨ ମସିହା ଅଗଷ୍ଟ ୨୪ରେ ଇଂରେଜ ପୁଲିସ ଗୁଳିମାଡରେ ଏଠାରେ ୧୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହୀଦ ହୋଇଥିଲେ। ସେହି ଲୋମହର୍ଷଣ ଘଟଣା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅବଗତ କରାଇଥିଲେ। ଏହା ସହିତ ମାଥିଲି ଗୁଳିକାଣ୍ଡରେ ମଧ୍ୟ ୧୧ଜଣ ସହୀଦ ସଂପର୍କରେ ସୂଚନାଦେଇଥିଲେ। ତାଙ୍କର ସ୍ୱରଚିତ ଦୁଇଟି ପୁସ୍ତକ ପ୍ରଦାନ କରିଥିଲେ।

 

ଏହି ସହୀଦମୀନାରର ପୁନରୁଦ୍ଧାର ଓ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଅତିରିକ୍ତ ଜିଲାପାଳଙ୍କୁ କହିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ବାର୍ଲା ସହୀଦମୀନାର ପରିସରରେ ଚାରା ରୋପଣ କରିଥିଲେ। ଜିଲା ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ବିରଞ୍ଚି ନାରାରଣ ତ୍ରିପାଠୀ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ବିଜେପି ନେତା ଗୈାରୀଶଙ୍କର ମାଝୀ ଓ ବହୁ ମାନ୍ୟଗଣ୍ୟବ୍ୟକ୍ତି ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକ ଓ ତହସିଲଦାର ଯୋଗେଶ୍ୱର ଭୋଇ ପ୍ରମୂଖ ଉପସ୍ଥିତଥିଲେ।

Comments are closed.