ନବରଙ୍ଗପୁର ସହରରେ ଅବାଧରେ ଗାଇଗୋରୁ ବିଚରଣ

ନବରଙ୍ଗପୁର: ନବରଙ୍ଗପୁର ଜିଲା ସଦର ମହକୁମା ସହରରେ କ୍ରମଶଃ. ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଯାନବାହନ ବଢ଼ୁଛି। ଫଳରେ ସହରର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖା ଦେଉଛିା ସହରରେ ଦୀର୍ଘ ମାସ ହେଲା ମୁଖ୍ୟରାସ୍ତାରେ ଗାଇ ଗୋରୁ ଓ ବୁଲା କୁକୁରଙ୍କର ରାଜୁତି ଚାଲି ଆସିଛି। ଶତାଧିକ ଗାଇଗୋରୁ ଓ ବୁଲାକୁକୁର ମୁଖ୍ୟରାସ୍ତା ଓ ବିଭିନ୍ନ ସାହିଗଳିରେ ଅବାଧରେ ବୁଲୁଥିବା ବେଳେ ରାସ୍ତା ମଝିରେ ଶୋଇ ରହୁଛନ୍ତି। ଯାହାକି ଯାନବାହନ ଚଳାଚଳରେ ବାଧ୍ୟାପ୍ରାପ୍ତ ହେଉଛି। ଗାଇ ମାଲିକମାନେ ସକାଳେ ଗାଇଠାରୁ ଖିର କାଡିବା ପରେ ଖୋଲାରେ ଛାଡି ଦେଉଛନ୍ତି। ଦିନ ସାରା ଗାଇମାନେ ସହର ସାରା ବୁଲି ବିଭିନ୍ନ ଦୋକାନରେ ପଶି ଯାଉଥିବା ବେଳେ ରାସ୍ତାକଡରେ ବସାଇଥିବା ଫଳ ଓ ପନିପରିବାକୁ ଜବରଦସ୍ତ ଟାଣି ନେଇ ଖାଉଛନ୍ତି। ଯାହାକି ଛୋଟ ଓ ଗରୀବ ପସରାରେ ବିକୁଥିବା ପରିବାବାଲିମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।

ବିଶେଷକରି ପୁରୁଣା ଦୈନିକ ବଜାର, କୃଷକ ବଜାର ଭଳି ସ୍ଥାନରେ ବହୁ ଗାଇ ପଶିଯାଇ ବିକ୍ରି ପାଇଁ ରହିଥିବା ପରିବା ସବୁ ଖାଇଦେଉଥିବାବେଳେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ବ୍ୟବସାୟୀ ମାନେ ବାରମ୍ବାର ପୌରପାଳିକାକୁ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ସହରରେ ପୂର୍ବରୁ କାଞିଆ ହୋଦା ଥିଲା। ସହରରେ ଅବାଧରେ ବୁଲୁଥିବା ଗାଇଗୋରୁକୁ ନେଇ ପୌରପାଳିକା ପକ୍ଷରୁ ସେଠାରେ ରଖାଯାଉଥିଲା। ପରେ ଗାଇ ମାଲିକ ଆସି ଜୋରିମାନା ଦେଇ ନିଜ ଗାଇକୁ ମୁକୁଳାଇ ନେଉଥିଲେ। ଫଳରେ ସହରେ ଗାଇଗୋରୁ ବୁଲିବା ବନ୍ଦ ଥିଲା। କିନ୍ତୁ କିଛିବର୍ଷ ହେଲା ଏହା କାର୍ଯ୍ୟକାରୀ କରାଯାଉ ନାହିଁ। ବର୍ତ୍ତମାନ ସହରରେ କାଞିଆ ହୋଦା ନଥିବାବେଳେ ମାଲିକମାନେ ବେନିୟମ ଭାବରେ ଗାଇଗୋରୁ ମାନଙ୍କୁ ମନଇଚ୍ଛା ଛାଡିଦେଉଛନ୍ତି। ତେବେ ଏସଂପର୍କରେ ପୌରପ୍ରଶାସନ ପକ୍ଷରୁ କୋଣସି ପଦକ୍ଷେପ ନନେବା ସହର ବାସୀଙ୍କର ପରିତାପର ବିଷୟ ହୋଇଛି।

Comments are closed.