ଜିଲା ଶିକ୍ଷା ଅଧିକାରୀ ଛୁଟିରେ, ଅନ୍‍ଲାଇନ କ୍ଲାସ୍‍ ପାଲଟିଛି ପ୍ରହସନ

ଶିିକ୍ଷାବର୍ଷର ୯ମାସ ବିତିଲା, ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ହିସାବ ନାହିଁ

ନବରଙ୍ଗପୁର: ରାଜ୍ୟ ସରକାର ଶିକ୍ଷାକୁ ପ୍ରାଥମିକତା ଦେଉଥିବାବେଳେ ପଛୁଆ ନବରଙ୍ଗପୁର ଜିଲାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସରକାର ଶିକ୍ଷାର ବିକାଶ ପାଇଁ ବହୁ ପଦକ୍ଷେପ ନେଉଥିଲେ ହେଁ ନବରଙ୍ଗପୁର ଜିଲାର ଏହାର ସଠିକ କାର୍ଯ୍ୟକାରିତାନେଇ ସାଧାରଣ ରେ ପ୍ରଶ୍ନ ଉଠିଛି। ରାଜ୍ୟ ସରକାର ଅଧୀନରେ ଜିଲାରେ ୧୯୫ ଟି ସରକାରୀ ହାଇସ୍କୁଲ, ଅପ୍‍ଗ୍ରେଡେଡ୍‍ ହାଇସ୍କୁଲ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ଓ ଏସଏସଡି ହାଇସ୍କୁଲ ରହିଛି। ଏହା ସହିତ ପ୍ରାୟ ୨୦ରୁ ଅଧିକ ଘରୋଇ ହାଇସ୍କୁଲ ରହିଛି। ସରକାର ଅଧୀନରେଥିବା ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀ ପିଲା ପାଠ ପଢୁଥିବାବେଳେ ଏହି ହାଇସ୍କୁଲଗୁଡିକରେ ବର୍ତ୍ତମାନ ସୁଦ୍ଧା କେତେ ଛାତ୍ରଛାତ୍ରୀ ରହିଛନ୍ତି ତାହାର ହିସାବ ଜିଲା ଶିକ୍ଷା କାର୍ଯ୍ୟାଳୟ ପାଖରେ ନଥିବା ଜଣାପଡ଼ିଛି। ଗତ ଏପ୍ରିଲ ମାସରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ନାମଲେଖା ଆରମ୍ଭ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ହାଇସ୍କୁଲରେ ନାମଲେଖାଉଥବା ଏହି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଫଳରେ ଏଠାରେ ଛାତ୍ରଛାତ୍ରୀଙ୍କରର ତଥ୍ୟନଥିବା ଜଣାପଡିଛି।
ହାଇସ୍କୁଲ ଗୁଡିକର ପ୍ରଧାନଶିକ୍ଷକ ମାନେ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ନାମଲେଖା ରିପୋର୍ଟ ଦେଉନାହାନ୍ତି। କରୋନା କଟକଣା ଯୋଗୁ ନବମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମଲେଖାଇବାରେ ବିଳମ୍ବ କରୁଥିବା ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ନୂତନ ଶିକ୍ଷା ବର୍ଷ ଆରମ୍ଭର ୯ମାସ ବିତି ଯାଇଥିଲେ ହେଁ କେତେ ଛାତ୍ରଛାତ୍ରୀ ହାଇସ୍କୁଲରେ ପାଠ ପଢୁଛନ୍ତି ତାହାର କୈାଣସି ତଥ୍ୟ ନଥିବା ବିଭାଗର ଅପାରଗତାକୁ ପଦାରେ ପକାଇଥିବା କୁହାଯାଉଛି।
ଆଉ କିଛି ମାସ ପରେ ବାର୍ଷିକ ପରୀକ୍ଷା ହେବାର ସମ୍ଭାବନା ରହିଛି। ତଥାପି ଛାତ୍ରଛାତ୍ରୀଙ୍କର ହିସାବ ନାହିଁ ବିଭାଗ ପାଖରେ। ରାଜ୍ୟ ସରକାର କରୋନାକୁ ଦୃଷ୍ଟିରେ ରଖି ଅନ୍‍ଲାଇନ ମାଧ୍ୟମରେ ଶିକ୍ଷାଦାନ ପାଇଁ ନିର୍ଦେଶ ଦେଇଥିଲେ। ତେବେ ନବରଙ୍ଗପୁର ଜିଲାରେ ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା ପ୍ରହସନ ପାଲଟିଥିବା ଜଣାପଡିଛି। ନବରଙ୍ଗପୁରଜିଲାରେ ମାତ୍ର ୩୦ ପ୍ରତିଶତରୁ କମ୍‍ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କ୍ଲାସ୍‌ରେ ଭାଗ ନେଉଥିବା ଜଣେ ବିଭାଗୀୟ କର୍ମଚାରୀ କହିଛନ୍ତି। ଯାହାକି ଚିନ୍ତାର କାରଣ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଙ୍କର ଅପାରଗତା କାରଣରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ ହୋଇଛି।
କିଛି ଦିନ ହେଲା ସେ ଛୁଟିରେ ଥିବାବେଳେ ଏବେ ଜିଲା ବିଜ୍ଞାନ ପରିଦର୍ଶକ ଜିଲା ଶିକ୍ଷା ଅଧିକାରୀ ଭାରପ୍ରାପ୍ତ ଦାୟୀତ୍ୱରେ ରହିଛନ୍ତି। ଜିଲା କାର୍ଯ୍ୟାଳୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ଦୁଇଟି ପଦବୀ ଖାଲି ପଡିଛି। ଫଳରେ ଏବେ ଭାରପ୍ରାପ୍ତ ଜିଲା ବିଜ୍ଞାନ ପରିଦର୍ଶକ ଜିଲା ଶିକ୍ଷାବିଭାଗର ମୁଖ୍ୟ ଦାୟିତ୍ୱରେ ରହିଛନ୍ତି। ଫଳରେ ଜିଲାର ଶିକ୍ଷାବିଭାଗ ବାଟବଣା ହୋଇଥିବା ଆଲୋଚନା ହୋଇଛି। ଗତ ଜିଲା ପରିଷଦ ବୈଠକରେ ଜିଲା ଶିକ୍ଷାବିଭାଗର କାର୍ଯ୍ୟନେଇ ବିଧାୟକ ଓ ଲୋକପ୍ରତିନିଧିମାନେ ବର୍ଷିଥିଲେ ହେଁ କୈାଣସି ପରିବର୍ତ୍ତନ ପରିଲକ୍ଷିତ ହୋଇ ପାରିନି। ଜିଲା ଶିକ୍ଷା ଅଧିକାରୀଙ୍କର ପ୍ରଶାସନିକ ଦକ୍ଷତା ଅଭାବରୁ ଏଭଳି ଚରମ ଅବହେଳା ଦେଖାଦେଇଥିବା ଲୋକପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟ ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନନେଲେ ଆଦିବାସୀ ଅଧ୍ୟୁସିତ ଓ ପଛୁଆ ଏହି ଜିଲାକ୍ଷେତ୍ରରେ ଆହୁରି ଅଧିକ ପଛକୁ ଚାଲିଯିବ,ଏଥିରେ ସନ୍ଦେହ ନାହିଁ।
ନବରଙ୍ଗପୁର ଜିଲାରେ ଥିବା ହାଇସ୍କୁଲଗୁଡ଼ିକରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ତାହାର ତଥ୍ୟ ଭାରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ସ୍ୱାଇଁ ଦେଇପାରିନଥିଲେ। କରୋନା କଟକଣା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ନବମ ଶ୍ରେଣୀରେ ନାମଲେଖା ଚାଲୁରହିଛି ଏବଂ କୌଣସି ହାଇସ୍କୁଲରୁ ମଧ୍ୟ ନାମଲେଖା ରିପୋର୍ଟ ଆସିନାହିଁ ବୋଲି ସେ କହିଥିଲେ। ଅପରପକ୍ଷରେ ନବରଙ୍ଗପୁର ଜିଲାପାଳ ଅଜିତ୍‍ କୁମାର ମିଶ୍ର କହିଥିଲେ ଯେ ଜିଲା ଶିକ୍ଷା ଅଧିକାରୀ ଛୁଟିରେ ଅଛନ୍ତି ଏବଂ ସେ ଛୁଟିରୁ ଫେରିବା ପରେ ପଦକ୍ଷେପ ନେବେ ବୋଲି କହିଥିଲେ।

Comments are closed.