୧୩୨ଜଣ ସମ୍ବାଦପତ୍ର ବିତରକଙ୍କୁ ମିଳିଲା ପରିଚୟପତ୍ର

ନବରଙ୍ଗପୁର: ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାର ୧୩୨ଜଣ ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ଦିଆଯାଇଛି। ଏହି ଅବସରରେ ମିଶନଶକ୍ତି ହଲଠାରେ ବିତରଣ କାର୍ଯ୍ୟକ୍ରମରେ ଜିଲାପାଳ କମଳଲୋଚନ ମିଶ୍ର ଯୋଗଦେଇ କୋଭିଡ ସମୟରେ ସମ୍ବାଦପତ୍ର ବିତରକଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ସମୟରେ ସମସ୍ତ ବିତରକଙ୍କୁ ରାଜ୍ୟ ସରକାର ୬ହଜାରଟଙ୍କା ଲେଖାଏଁ ସହାୟତା ଦେଇଥିଲେ। ତେବେ ଜିଲାର ୧୩୨ଜଣ ସମ୍ବାଦପତ୍ର ବିତରକଙ୍କୁ ପରିଚୟ ପ୍ରଦାନ କରାଯିବା ଖୁସିର ବିଷୟ ବୋଲି କହିଥିଲେ। ଗତ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ କାରଣରୁ ଏହା ବିଳମ୍ବ ହୋଇଥିବା କହିଥିଲେ। ତେବେ ସରକାରୀ ନିୟମ ପ୍ରକାରେ ସମସ୍ତ ପରିଚୟପତ୍ରଧାରୀଙ୍କୁ ସୁବିଧା ସୁଯୋଗ ଦିଆଯିବ ବୋଲି କହିଥିଲେ। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ କହିଥିଲେ ଯେ ବହୁଦିନ ଧରି ରହିଥିବା ଦାବିକୁ ସରକାର ପୂରଣ କରିବା ସହିତ ଜିଲାର ସମସ୍ତ ସମ୍ବାଦପତ୍ର ବିତରକମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା ଖୁସିଆଣିଦେଇଛି। ଏହାଦ୍ୱାରା ବିତରକମାନେ ସରକାରୀ ମାନ୍ୟତା ପାଇ ପାରିବା ସହିତ ସମସ୍ତ ସୁବିଧା ପାଇପାରିବେ ବୋଲି କହିଥିଲେ। ଜିଲାର ସମସ୍ତ ୧୦ଟିବ୍ଳକ ଓ ୨ଟି ପୌରାଞ୍ଚଳରୁ ସମ୍ବାଦପତ୍ର ବିତରକମାନେ ଜିଲାପାଳଙ୍କର ଠାରୁ ପରିଚୟପତ୍ର ଗ୍ରହଣ କରିଥିଲେ।

Comments are closed.