ପରିଚୟ ଖୋଜୁଛି ସାଗରମୁଣ୍ଡ ଜଳଭଣ୍ଡାର, ରକ୍ଷଣା ବେକ୍ଷଣ ଅଭାବରୁ ହେଉଛି ପୋତି

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକର ଡ଼ଙ୍ଗରଭେଜା ଗ୍ରାମ ପଞ୍ଚାୟତରେ ରହିଛି ସାଗରମୁଣ୍ଡା ଜଳଭଣ୍ଡାର। ସାଗର ଭଳି ଏକ ବୃହତ ବନ୍ଧ ଥିବାରୁ ଗ୍ରାମର ନାମ ସାଗର ମୁଣ୍ଡା। ରାଜା ରାଜୁଡା ଅମଳରେ ନିର୍ମିତ ସାଗରମୁଣ୍ଡା ଜଳଭଣ୍ଡାର ପ୍ରାୟ ୫୬ ଏକରରେ ପରିବେଷ୍ଟିତ ହୋଇଛି ଏହାର ସୀମା। ଜିଲାର ଏକ ପ୍ରସିଦ୍ଧ ଶୈବପୀଠ ଓ ଏକ ପାହାଡ଼ ଏହାର ଅସୀମିତ ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରେ। ସାଗରର ପାଣିରେ ଜଳସେଚନକରି ଶତାଧିକ ଚାଷୀ ଦୁଇଟି ଫସଲ କରି ଚଳୁଛନ୍ତି। ଏହା ସହିତ ମାଛ ଚାଷ କରି ଅନେକ ଲୋକ ଏଠାରେ ନିଜର ଜୀବିକା ନିର୍ବାହ କରନ୍ତି । ହେଲେ ଆଜି ଏହି ଜଳଭଣ୍ଡାର ଶୁଷ୍କ ଆଉ ନିଜେ ନିଜର ପରିଚୟ ଖୋଜୁଛି। ପୁନରୁଦ୍ଧାର ପାଇଁ ଗୁହାରୀ କରୁଛି। ସମୟର କରାଳ ଗତିରେ ନିଜର ସର୍ବସ୍ୱ ହରେଇଥିବା ସାଗର ଆଜି ଶାସନ, ପ୍ରଶାସନ, ରାଜନୀତି, ବ୍ୟକ୍ତିକୈନ୍ଦ୍ରିକ ସ୍ୱାର୍ଥରେ ଜର୍ଜରିତ। ପୂର୍ବରୁ ମଧ୍ୟ ଏହି ସାଗରର ପୁନରୁଦ୍ଧାର ପାଇଁ ଅନେକ ଥର ସ୍ୱର ଶାଣିତ ହୋଇଥିଲେ ମଧ୍ୟ ଏହା ଏବେ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହୋଇପାରିନାହିଁ। କିଛି ଦିନ ତଳେ ଯୁବ ଆଇନଜୀବୀ ଶ୍ରୀକାନ୍ତ କୁମାର ପଣ୍ଡା ଏନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ଏହାର ପୁନରୁଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳସମ୍ପଦ ସଚିବ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ମନ୍ତ୍ରୀ, ଜଳସମ୍ପଦ ସଚିବ, ଓଡ଼ିଶା, ସାଂସଦ ଓ ପୂର୍ବତନ ସାଂସଦପ୍ରମୁଖଙ୍କୁ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି। ବହୁ ବର୍ଷ ଧରି ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ମଧ୍ୟ ଦାବି କରି ଅଅସୁଥିବାବେଳେ କୌଣସି ସୁଫଳ ମିଳିପାରିନାହିଁ।

Comments are closed.