ନବରଙ୍ଗପୁର ଦଳର ରେକର୍ଡ ସଂଖ୍ୟକ ପଦକ ହାସଲ

ନବରଙ୍ଗପୁର: ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଏଥେଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭୁବନେଶ୍ୱର ସ୍ଥିତ କିଟ ଏଥେଲେଟିକ ଷ୍ଟାଡିୟମରେ ୬୮ ତମ ରାଜ୍ୟ ଏଥେଲେଟିକ ମିଟରେ ଯୋଗ ଦେଇ ନବରଙ୍ଗପୁର ଦଳର ଖେଳାଳିମାନେ ମୋଟ ୫ଟି ସ୍ଵର୍ଣ, ୨ଟି ରୋପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଇତିହାସ ରଚିଛନ୍ତି।

ଏହି ପ୍ରତିଯୋଗିତାରେ ମହେନ୍ଦ୍ର ସାନ୍ତା ୨ ଟି ସ୍ଵର୍ଣ୍ଣ ସେହିପରି ବବିତା ସାନ୍ତା, ସୁରେନ୍ଦ୍ର ସାନ୍ତା, ଶିବ ପରଜା ଗୋଟିଏ ଲେଖାଏଁ ସ୍ଵର୍ଣ ପଦକ ହାସଲ କରିଛନ୍ତି। ସେହିପରି ସୁଶାନ୍ତ ସାୟାନ ୨ଟି ରୋପ୍ୟ ଏବଂ ଶୁଭମ ଜ୍ୟୋତି ସିଂ ୨ଟି ବ୍ରୋଞ୍ଜ, କାହ୍ନୁ ବିରୁଆ ଓ ଦୂର୍ଗା ହରିଜନ ଗୋଟାଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲାକୁ ଗର୍ବିତ କରିଛନ୍ତି। ଉକ୍ତ ସଫଳତା ପାଇଁ ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ଉପସଭାପତି ଏମ. ବାଳକୃଷ୍ଣ ରାଓ,ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଏଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଜିଲ୍ଳା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆଗାମୀ ଦିନରେ ଏହି ସଫଳତା ଆଗକୁ ଜାରି ରହିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଦଳର କୋଚ ଭାବରେ ଦୁର୍ୟ୍ୟ ହରିଜନ ଏବଂ ମ୍ୟାନେଜର ଭାବରେ ଶେଷ ସାନ୍ତା ଙ୍କୁ ଦାଇତ୍ୱ ଦିଆଯାଇଥିବା ବେଳେ ସପନ ବୈରାଗୀ ଓ ଏମ.ବିଜୟ କୁମାର ଅଫିସିଆଲ ଦାଇତ୍ୱ ତୁଲାଇଥିଲେ । ଦଳର ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା କ୍ରୀଡ଼ା ସଙ୍ଘର ସଭାପତି ଡ଼ଃ. କୋମଳ ଲୋଚନ ମିଶ୍ର ଏବଂ ଜିଲ୍ଲାର ପ୍ରାକ୍ତନ ଖେଳାଳି ମାନେ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Comments are closed.