ବିନା ରିପୋର୍ଟରେ କୁଷ୍ଠରୋଗୀ ଆଖ୍ୟା: ନଳାରେ ଭିତରେ ବିତୁଛି ବୃଦ୍ଧାଙ୍କ ଜୀବନ

ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାକୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି କହି ବାସନ୍ଦ କରାଯାଇଛି l ଏପରିକି ନିଜ ପୁଅ ବୋହୁ, ପରିବାର ଲୋକେ ମଧ୍ୟ ଘରୁ ତଡ଼ିଦେଇଛନ୍ତି l ଫଳରେ ଅନ୍ୟ କିଛି ଉପାୟ ନପାଇ ନଳାରେ (ହୋମ ପାଇପ/ ପାଣି ପାଇପ ) ଭିତରେ ଜଣେ ବୃଦ୍ଧାଙ୍କ ବିତୁଛି ଜୀବନ l ସ୍ଥାନୀୟ ପଞ୍ଚାୟତର ନେତା ଓ ଅଧିକାରୀମାନେ ଏ ଘଟଣା ଜାଣିଥିଲେ ମଧ୍ୟ କିଛି ପଦକ୍ଷେପ ନେଇନଥିବାରୁ ବର୍ତ୍ତମାନ ବୃଦ୍ଧା ଜଣକ ଅଭିଶପ୍ତ ଜୀବନ ବିତାଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡା ଗ୍ରାମର ୮ ନମ୍ବର ୱାର୍ଡରେ।
ବି.ମାଳିଗୁଡା ଗ୍ରାମର କମଳା ବିନ୍ଧାଣୀ (୫୫ବର୍ଷ) l ସ୍ୱାମୀ ଡ଼ମୁ ବିନ୍ଧାଣୀ ପ୍ରାୟ ୬ବର୍ଷ ତଳେ ମୃତ୍ୟୁ ହେବାପରେ ନିଜ ପୁଅବୋହୁ ସହିତ ରହିଆସୁଥିଲେ l କିନ୍ତୁ, ଭାଗ୍ୟର ବିଡମ୍ବନା ଅନ୍ୟ ପ୍ରକାରର ରହିଥିଲା। ଦିନେ ଚାଲି ଚାଲି ଯାଉଥିବା ବେଳେ ଝୁଣ୍ଟି ପଡି ଆହତ ହୋଇଥିଲେ। ଏହାପରେ ତାଙ୍କର ଗୋଡ଼ର ଆଙ୍ଗୁଠି ପୂଜ ହୋଇଯାଇଥିଲା l ପରବର୍ତ୍ତୀ ସମୟରେ ଆଙ୍ଗୁଠି ପୂଜ ହୋଇ ଛିଣ୍ଡିଯିବା ପରେ କମଳାକୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ଆଖ୍ୟା ଦେଇ ତାଙ୍କ ସମାଜ ଓ ବନ୍ଧୁ ବର୍ଗ ବାସନ୍ଦ କରିଦେଇଥିଲେ l ଏପରିକି ନିଜ ଔରସରୁ ଜନ୍ମ ନେଇଥିବା ପୁତ୍ର ମଧ୍ୟ ବୃଦ୍ଧା ମା’ଙ୍କୁ କୁଷ୍ଠ ରୋଗ ହୋଇଛି କହି ଘରୁ ବିଦା କରିଦେଇଥିଲେ l ନିଜ ପରିବାରବର୍ଗ, ବନ୍ଧୁ ବାନ୍ଧବ, ନିଜ ସମାଜ, ସାହିପଡିଶାରୁ ସାହାରା ନପାଇ ଏଣେ ତେଣେ ବୁଲିବା ସହିତ ପ୍ରାୟ କିଛି ମାସ ହେବ ଗ୍ରାମର ଶେଷ ମୁଣ୍ଡରେ ଭଙ୍ଗା ଓ ଅବ୍ୟବହୃତ ହୋଇ ପଡି ରହିଥିବା ନାଳରେ (ହୋମ ପାଇପ/ପାଣି ପାଇପ) ଭିତରେ ଜୀବନ ବିତାଉଛନ୍ତି। ସରକାର ତରଫରୁ ଦିଆ ଯାଉଥିବା ଏକ ଟଙ୍କିଆ ଚାଉଳ ସହ ଏମ୍‌ବିପିୱାଇ ଯୋଜନାରେ ପେନସନ ଆଣି ନିଜେ ରାନ୍ଧି ଖାଉଛି। ଏ ସମ୍ପର୍କରେ ଗ୍ରାମ ୱାର୍ଡ ମେମ୍ବର ଠାରୁ ପଞ୍ଚାୟତର ଅଧିକାରୀମାନେ ସମସ୍ତେ ଜାଣିଥିଲେ ମଧ୍ୟ ଚୁପ ରହିଥିବା ସୂଚନା ମିଳିଛି।

 


ତେବେ ସବୁଠାରୁ ବଡ କଥା ହେଉଛି, ବର୍ତମାନ ଆଧୁନିକ ଯୁଗରେ ମଧ୍ୟ ଲୋକେ ଡାକ୍ତରୀ ପରୀକ୍ଷା ନକରି କୁଷ୍ଠ ରୋଗୀର ଆଖ୍ୟା ଦେଇ ବାସନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ? ଏଥିସହ ବର୍ତ୍ତମାନ ଝଡ଼ିବର୍ଷାରେ ଅସୁରକ୍ଷିତ ଭାବେ ପଡିରହିଥିବା ବୃଦ୍ଧା ଉପରେ ଜିଲ୍ଲା ପ୍ରଶାସନର ନଜର କେବେ ପଡିବ, ତାହା ଦେଖିବାର ବାକି ରହିଲା ?

Comments are closed.