ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଦୁର୍ନୀତି, ତଦନ୍ତ ଦାବିକଲା ବିଜେଡି

ନବରଙ୍ଗପୁର: ନବରଙ୍ଗପୁର ଜିଲା ରାଇଘର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଜିଲା ବିଜେଡ଼ି ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳକୁ ବାହ୍ୟ ମଳ ମୂତ୍ରରୁ ମୁକ୍ତ କରିବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ରାଇଘର ପଞ୍ଚାୟତ ସମିତିରେ ଅଞ୍ଚଳରେ ସମ୍ପୂର୍ଣ ବିଫଳ ହୋଇଥିବା ବିଜେଡ଼ି ଅଭିଯୋଗ କରିଛି। ଜିଲା ସଭାପତି ରମେଶ ମାଝୀ ନେତୃତ୍ୱରେ ଆୟୋଜିତ ଏକ ଶୋଭଯାତ୍ରା ସ୍ଥାନୀୟ ଅମଲା ଭବନ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ ପ୍ରତ୍ୟେକ ବିପିଏଲ ପରିବାରକୁପାଇଖାନା ତିଆରି କରିବା ପାଇଁ ସରକାର ଯେଉଁ ନୀତି ଏବଂ ନିୟମ ନିର୍ଦ୍ଧାରଣ କରିଛନ୍ତି ତାହାକୁ ସମ୍ପୂର୍ଣ ରୂପେ ଅଣଦେଖା କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ରାଇଘର ବ୍ଲକରେ ମୋଟ ୩୪୫୦୫ ଗୋଟି ପାଇଖାନା ନିର୍ମାଣ କରାଯାଇଥିବା ବାବଦରେ ୪୧ କୋଟି ୬୦ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିରୁ ରାଇଘର , ଗଞ୍ଜାପରା , ପରୁଆ , ଟିମନପୁର , ତୁରୁଢ଼ି , ପରଚିପାରା , ନାକଟିସିମାଡା , ମୁଣ୍ଡିବେଡା ଗ୍ରାମ ଗୁଡିକରେ ପ୍ରାୟ ୧ ହଜାର ପାଇଖାନା ବେନିୟମ ଭାବରେ ତିଆରି କରାଯାଇଛି ବୋଲି ଅଭିଯୋଗ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶାବଳୀ ଓ ଜିଲା ଜଳ ଏବଂ ପରିମଳ ମିଶନ ନିର୍ଦେଶନାମାକୁ ବେଖାତାରି କରି ରାଇଘର ପଞ୍ଚାୟତର ବିଭିନ୍ନ ଗ୍ରାମର ବିପିଏଲ ହିତାଧିକାରୀଙ୍କ ପାଇଖାନାଗୁଡ଼ିକୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଛାଡ଼ି ଦିଆଯାଇ ୧୨ କୋଟି ଟଙ୍କାର ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି । ରାଇଘର ବ୍ଲକରେ ପାଇଖାନାରେ ନିର୍ମାଣରେ ହୋଇଥିବା ଅନିୟମିତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ବିଜେଡି ଦାବି କରିଛି । ଏହି ଦାବିପତ୍ର ପ୍ରଦାନ ବେଳେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ସଦାଶିବ ତ୍ରିପାଠୀ, ଜିଲ୍ଲା ମହିଳା ସଭାପତି ମଞ୍ଜୁଳା ମାଝୀ, ପ୍ରଦୀପ ମାଝୀ, ତାପସ ତ୍ରିପାଠୀ ସମେତ ନଗର ସଭାପତି ପ୍ରମୋଦ ରଥ, ପ୍ରମୋଦ ପାଢ଼ୀ, ସୁନିଲ ସାହୁ, ଦିଲୁ ପଣ୍ଡା ଶହ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Comments are closed.