ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି, ଚଳ ଚଞ୍ଚଳ ହେଲାଣି କୁମ୍ଭାରଶାଳ

ନବରଙ୍ଗପୁର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୁଅରେ ଝଲସିବ ଅମାବାସ୍ୟାର ଅମା ଅନ୍ଧକାର ରାତି। ତେଣୁ ଏବେ ଠାରୁ ଚଳ ଚଞ୍ଚଳ ହେଲାଣି କୁମ୍ଭାର ଶାଳ। ଦିନ ରାତି ପରିଶ୍ରମ କରି ଭଳିକି ଭଳି ଦୀପ ସହ କୁମ୍ଭ ଓ ଅନ୍ୟାନ୍ୟ ମାଟି ସାମଗ୍ରୀ ତିଆରି କରୁଛନ୍ତି କୁମ୍ଭକାର ପରିବାର। ପରିବାରର ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଦୀପ ଗଢିବାରେ ବ୍ୟସ୍ତ। ଗତ ବର୍ଷ କରୋନା ଯୋଗୁଁ ବ୍ୟବସାୟ ମାନ୍ଦା ଥିଲା। କିନ୍ତୁ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ସେମାନେ ଆଶା ରଖିଛନ୍ତି। ଦୀପ ଗଢି ବିକ୍ରି କଲେ ସେମିତି ବିଶେଷ ଲାଭ ମିଳୁ ନାହିଁ କିନ୍ତୁ ନିଜ କୌଳିକ ବୃତ୍ତି କୁ ନ ଛାଡ଼ି ପିଢ଼ି ପରେ ପିଢ଼ି ଏହି କାର୍ଯ୍ୟ କରିଆସୁଛନ୍ତି।

ଆଧୁନିକ ଯୁଗରେ ମଧ୍ୟ ମାଟି ଦୀପର ଢେର ଚାହିଦା ରହିଛି। ଦୀପ ଗଢ଼ିବା ପାଇଁ ମାଟି ଠାରୁ ଆରମ୍ଭ କରି ଜାଳ ପର୍ଯ୍ୟନ୍ତ ସବୁ ଜିନିଷ କିଣିବାକୁ ପଡୁଛି। ଏଥିପାଇଁ ବହୁ ଦୂରରୁ ମାଟି ଆଣିବାକୁ ପଡୁଛି। ଦୀପ ତିଆରି କରିବାକୁ ଘରର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି। ରାଜ୍ୟର ବିଭିନ୍ନ ସହର ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡର ଜଗଦଳପୁର ଏବଂ ଅନ୍ୟ ସହରକୁ ଯାଇ ମଧ୍ୟ ଦୀପ ବିକ୍ରି କରିବାକୁ ଯୋଜନା ରହିଛି ବୋଲି ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମର ଦୁର୍ଗା କୁମ୍ଭାର, ସାନଭରଣ୍ଡୀ ଗ୍ରାମର ହଳଧର କୁମ୍ଭାର, ସୁଭଦ୍ରା କୁମ୍ଭାର ଏବଂ ପୂଜାରୀଗୁଡା ଗ୍ରାମର କୈଳାଶ କୁମ୍ଭାର ପ୍ରମୁଖ ପ୍ରକାଶ କରିଛନ୍ତି।

Comments are closed.