ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ ଶୁଭାରମ୍ଭ କଲେ ନବରଙ୍ଗପୁର ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ତାଙ୍କର ଖାଦ୍ୟଶସ୍ୟର ଉଚିତ ମୂଲ୍ୟ। ମାଣ୍ଡିଆ ବିକ୍ରୀ କରିବାକୁ ହଟହଟା ହେବେନି ଚାଷୀ। କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଶୁଭାରମ୍ଭ ହୋଇଛି ଜିଲାସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ। ୩୨୯୫ ଟଙ୍କା ପ୍ରତି କ୍ୟୁଇଣ୍ଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ କ୍ରୟ କରିବେ ରାଜ୍ୟ ସରକାର।
ଆଜି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ସମବାୟ ସମିତିକୁ ଯାଇ ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ଜିଲାସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥକୁ ଶୁଭାରମ୍ଭ କରିଛନ୍ତି। ଏଥର ଉଚିତ ମୂଲ୍ୟରେ ମାଣ୍ଡିଆ ବିକ୍ରୀ କରିପାରିବେ ଚାଷୀ। ପୂର୍ବରୁ ହାଟ ବଜାର କିମ୍ବା ଦଲାଲ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ କଷ୍ଟ ଉପାର୍ଜିତ ମାଣ୍ଡିଆ ଖୁବ କମ ଦରରେ ବିକ୍ରି ହେଉଥିଲା। ଏବେ କିନ୍ତୁ ମାଣ୍ଡିଆ ବିକ୍ରୀ କରିବା ସୁବିଧା ଚାଷୀ ପାଇ ପାଇପାରିବେ ବୋଲି ବିଧାୟକ କହିଥିଲେ।
ପ୍ରତି କିସମରର ମାନ ୩୨୯୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଆଉ ଚାଷୀ ନାମ ପଞ୍ଜିକରଣ ୩୧ ଡିସେମ୍ବର ସୁଦ୍ଧା କରିପାରିବେ ବୋଲି ଜିଲା ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଶଶାଙ୍କ ଶେଖର ସାହାଣୀ କହିଛନ୍ତି। ଆଉ ସାରା ଜିଲାରେ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଭିନ୍ନ ଭିନ୍ନ ୧୩ଟି ସ୍ଥାନରେ ମଣ୍ଡି ଆୟୋଜନ କରି ୧୫ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ। ଜିଲାରେ ମାଣ୍ଡିଆର ଅଭାବୀ ବିକ୍ରି ଥିବାରୁ ଚାଷୀ ମାଣ୍ଡିଆ ଚାଷକୁ ମୁହଁ ଫେରାଇ ନେଇଥିଲେ। ଏବେ କିନ୍ତୁ ମାଣ୍ଡିଆ ମଣ୍ଡି ଆରମ୍ଭ ହେବାକୁ ନେଇ ଚାଷୀମାନେ କିଛି ଲାଭବାନ ହେବେ ବୋଲି ଆଶା ରଖିଛନ୍ତି।

Comments are closed.